ଗୁଆହାଟି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମସି) ଦିନକୁ ଦିନ ଅଧିକ ବିପର୍ଯ୍ୟୟର ସମ୍ମୁଖୀନ ହେବାରେ ଲାଗିଛି। ଟିଏମସିର ବରିଷ୍ଠ ନେତାମାନେ ଦଳ ଛାଡିବାରେ ଲାଗିଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଦଳର ଦୁଇଜଣ ବରିଷ୍ଠ ନେତା ଦଳୀୟ ପଦରୁ ଇସ୍ତଫା ଦେଇଥିବାବେଳେ ଶୁକ୍ରବାର ଟିଏମସିର ଆସାମ ପ୍ରଦେଶ ମୁଖ୍ୟ ଅଭିଜିତ୍ ମଜୁମ୍ଦାର ଦଳରୁ ଇସ୍ତଫା ଦେଇଛନ୍ତି।
ଦଳ ଛାଡିବା ପରେ ମଜୁମଦାର ଅଭିଯୋଗ କରିଛନ୍ତି ଯେ ଟିଏମସି କେବଳ ମୁସଲମାନ ସମ୍ପ୍ରଦାୟ ପାଇଁ କାର୍ଯ୍ୟ କରିଆସୁଛି। ଉଭୟ ପଶ୍ଚିମବଙ୍ଗ ଓ ଆସାମରେ ମୁସଲମାନ ଭୋଟ ବ୍ୟାଙ୍କ ଉପରେ ଦଳ ଗୁରୁତ୍ବ ଦେଉଛି। ଏପରି ମନୋଭାବ ରଖୁଥିବା ଦଳ ମଧ୍ୟରେ ସେ ରହି କାମ କରିପାରିବେ ନାହିଁ ବୋଲି କହିଛନ୍ତି। ମଜୁମଦାର ତାଙ୍କ ଇସ୍ତଫା ପତ୍ର ଇମେଲ୍ ମାଧ୍ୟମରେ ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ପାଖକୁ ପଠାଇ ଦେଇଛନ୍ତି।
ଗୁରୁବାର ଟିଏମସିର ପୂର୍ବତନ ରାଜ୍ୟସଭା ସଦସ୍ୟ ଶାନ୍ତନୁ ସେନ୍ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଥିଲେ। ୨୦୨୪ରେ ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ଏବଂ ଦଳର ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଯୋଗୁଁ ସେ ଆଉ ମୁଖପାତ୍ର ଦାୟିତ୍ବ ତୁଲାଇବାକୁ ଉଚିତ ମଣୁନାହାନ୍ତି ବୋଲି ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଶାନ୍ତନୁ ଉଲ୍ଲେଖ କରିଥିଲେ। ସେହିପରି ବୁଧବାର ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାର ଦଳର ମହିଳା ସଭାପତି ପଦ ଏବଂ ଅନ୍ୟାନ୍ୟ ସାଂଗଠନିକ କମିଟିରୁ ଇସ୍ତଫା ଦେଇଥିଲେ। କାକୋଳି ମଧ୍ୟ ତାଙ୍କ ଇସ୍ତଫା ପତ୍ରରେ ଦଳ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଉଠାଇଥିଲେ।
