Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଧୋନି ଅଂଶଧନ ମାଗି ନାହାନ୍ତି: ସିଏସ୍‌କେ

ସମାଜ 4 days ago

ଚେନ୍ନଇ: ନିକଟରେ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ମହେନ୍ଦ୍ର ସିଂହ ଧୋନି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଫ୍ରାଞ୍ଚାଇଜିରେ ମାଲିକାନା ବା ଅଂଶଧନ ମାଗିଛନ୍ତି। ତେବେ ସିଏସ୍‌କେର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) କାଶୀ ବିଶ୍ବନାଥ ଏହି ଗୁଜବକୁ ଖଣ୍ଡନ କରିଛନ୍ତି। ଏହାସହ ଆଇପିଏଲ୍‌ରେ ଧୋନିଙ୍କ ଭବିଷ୍ୟତକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା ଏବଂ ୨୦୨୭ ସଂସ୍କରଣରେ ଧୋନି ଖେଳିବେ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟୋକ୍ତି ଦେଇନଥିବା ବିଶ୍ବନାଥ ପ୍ରକାଶ କରିଛନ୍ତି।

ମହେନ୍ଦ୍ର ସିଂହ ଧୋନି ଓ ସିଏସ୍‌କେ ମଧ୍ୟରେ ମାଲିକାନାକୁ ନେଇ ମତଭେଦ ଥିବା କେତେକ ଅସମର୍ଥିତ ରିପୋର୍ଟରେ ଦାବି କରାଯିବା ପରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଥିଲା। ଏକ ରିପୋର୍ଟ ଅନୁଯାୟୀ, ଧୋନି ପ୍ରଥମେ ଫ୍ରାଞ୍ଚାଇଜିର ୨୫ ପ୍ରତିଶତ ଅଂଶଧନ ଦାବି କରିଥିଲେ ଏବଂ ପରେ ଏହାକୁ ୨୦ ପ୍ରତିଶତକୁ କମାଇଥିଲେ। ତେବେ ସିଏସକେ ପକ୍ଷରୁ ୫.୫ ପ୍ରତିଶତ ଅଂଶଧନର ପ୍ରସ୍ତାବ ଦିଆ ଯାଇଥିଲା। ତେବେ ଏହି ରିପୋର୍ଟ କେତେ ସତ; ଯାହା ଜଣା ପଡ଼ିନାହିଁ।

ବିଶ୍ବନାଥଙ୍କ ସ୍ପଷ୍ଟୀକରଣ ପରେ ଏହିସବୁ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଇପିଏଲ୍‌ରେ ଧୋନିଙ୍କ ଭବିଷ୍ୟତ ଏବଂ ୨୦୨୭ ସଂସ୍କରଣରେ ସେ ଖେଳିବେ କି ନାହିଁ, ସେ ନେଇ ବେଶ୍‌ ଆଲୋଚନା ଚାଲିଛି। ଆହତ ଥିବାରୁ ଗତବର୍ଷ ଏହି ପୂର୍ବତନ ଭାରତୀୟ ଅଧିନାୟକ ଗୋଟିଏ ହେଲେ ମ୍ୟାଚ୍ ଖେଳିନଥିଲେ। ସିଏସ୍‌କେ ପ୍ଲେଅଫ୍‌ରେ ପହଞ୍ଚି ପାରିନଥିଲା।

ସିଇଓ ବିଶ୍ବନାଥ କହିଛନ୍ତି, ଧୋନି ୨୦୨୭ ଆଇପିଏଲ୍ ଖେଳିବେ କି ନାହିଁ; ତାହା ଜଣାଇ ନାହାନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ କେବଳ ଅପେକ୍ଷା କରିବାକୁ ପଡ଼ିବ। ଧୋନି ଏପର୍ଯ୍ୟନ୍ତ ନଖେଳିବା ନେଇ କିଛି କହିନାହାନ୍ତି। ତେଣୁ ଆସନ୍ତୁ ଅପେକ୍ଷା କରିବା ବୋଲି ବିଶ୍ବନାଥ କହିଛନ୍ତି। ପୂର୍ବରୁ ବିଶ୍ବନାଥ କହିଥିଲେ ଯେ ଧୋନି ଯେକୌଣସି ଭୂମିକାରେ, ଏପରିକି ପ୍ରଶିକ୍ଷକ କିମ୍ବା ମାର୍ଗଦର୍ଶକ ଭାବେ ରହିଲେ ମଧ୍ୟ ସିଏସକେ ଖୁସି ହେବ। ଧୋନିଙ୍କ ସହ କୌଣସି ଆଲୋଚନା କରିନାହୁଁ। ଧୋନି ନିଜେ ନିଷ୍ପତ୍ତି ନିଅନ୍ତି ଏବଂ ଆମେ ତାହାକୁ ସମ୍ମାନଦେଉ ବୋଲି ସେ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia