ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭାର ଚୂଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହେବା ସହିତ ବୁଧବାର ପ୍ରକାଶ ପାଇଛି ଏକଜିଟ୍ ପୋଲ୍ (ବୁଥ ବାହୁଡା ମତ) ରିପୋର୍ଟ। ପଶ୍ଚିମବଙ୍ଗ ସହିତ ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି। ଆସାମରେ ବିଜେପି ତୃତୀୟ ଥର (ହ୍ୟାଟ୍ରିକ୍) କ୍ଷମତା ଅପରିବର୍ତ୍ତିତ ରଖିବା ନେଇ ଏକଜିଟ୍ ପୋଲ୍ ରିପୋର୍ଟ ପୂର୍ବାନୁମାନ କରିଥିବାବେଳେ ତାମିଲନାଡୁରେ ଦ୍ବିତୀୟ ଥର ପାଇଁ ଡିଏମ୍କେ ସରକାର ଅପରିବର୍ତ୍ତିତ ରହିବ।
ତେବେ ଏଠାରେ ଲୋକପ୍ରିୟ ଅଭିନେତା ଜୋଶେଫ୍ ବିଜୟଙ୍କ ତାମିଲାଗା ଭେଟ୍ରି କାଝାଗମ୍ (ଟିଭିକେ)ର ଜବରଦସ୍ତ ଏଣ୍ଟ୍ରି ଏଠାରେ ରୋଚକ ସ୍ଥିତି ସୃଷ୍ଟି କରିବ ବୋଲି ଏକଜିଟ୍ ପୋଲ୍ ଦର୍ଶାଇଛି। ତେବେ ସବୁଠାରୁ ଚର୍ଚ୍ଚାରେ ରହିଥିବା ପଶ୍ଚିମବଙ୍ଗ ଫଳାଫଳକୁ ନେଇ ପୂର୍ବାନୁମାନ ଅଧିକ ରୋଚକ ହୋଇଛି। ୭ଟି ଏକଜିଟ୍ ପୋଲ୍ ସଂସ୍ଥା (ଜିବିସି, ପି-ମାର୍କ, ମ୍ୟାଟ୍ରିଜ୍, ପିପୁଲ୍ସ ପଲ୍ସ, ଚାଣକ୍ୟ ଷ୍ଟ୍ରାଟେଜିଜ୍, ପୋଲ୍ ଡାଏରୀ ଓ ଜନମତ ପୋଲ୍ସ ଏଜେନ୍ସି) ମଧ୍ୟରୁ ୫ଟି ବିଜେପି ପ୍ରଥମ ଥର ପାଇଁ ବଙ୍ଗରେ କ୍ଷମତାକୁ ଆସିବ ବୋଲି ଅନୁମାନ କରିଥିବାବେଳେ ଅନ୍ୟ ୨ଟି (ପିପୁଲ୍ସ ପଲ୍ସ, ଜନମତ ପୋଲ୍ସ)ରେ ମମତାଙ୍କ ତୃଣମୂଳ କ୍ଷମତା ଅପରିବର୍ତ୍ତିତ ରଖିବ ବୋଲି ଦର୍ଶାଇଛନ୍ତି। ତେବେ ଏଠାରେ ମୋଦୀ-ଦିଦି ଟକ୍କର
କେଉଁ ଦଳକୁ ଶାସନ ଗାଦିରେ ବସାଇବ ତାହା ଆସନ୍ତା ୪ତାରିଖ ଗଣତି ପରେ ସ୍ପଷ୍ଟ ହେବ। ଦକ୍ଷିଣ ରାଜ୍ୟ କେରଳମ୍ରେ ଏଥର ବାମପନ୍ଥୀ ନେତୃତ୍ବାଧୀନ ଏଲ୍ଡିଏଫ୍ କ୍ଷମତାଚ୍ୟୁତ ହେବା ସହ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ ପୁଣି ଶାସନକୁ ଫେରିବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଶାସକ ବିଜେପି ଅଧିକ ସଂଖ୍ୟାର ସହ କ୍ଷମତା ବଜାୟ ରଖିବ। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏକଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ତାମିଲନାଡୁରେ ଏମ୍ କେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଶାସକ ଡିଏମକେ ଏହାର କ୍ଷମତା ବଜାୟ ରଖିବାର ସମ୍ଭାବନା ରହିଛି। ବିଭିନ୍ନ ଏଜେନ୍ସିର ଏକଜିଟ୍ ପୋଲ୍ର ଆକଳନକୁ ଆଧାର କରି ପ୍ରକାଶିତ ପୋଲ୍ ଅଫ ଏକଜିଟ୍ ପୋଲ୍ସର ତଥ୍ୟ ଅନୁଯାୟୀ ତାମିଲନାଡୁରେ ଡିଏମ୍କେ ୧୩୦ଟି ଆସନ ପାଇ ସରକାର ଗଠନ କରିବ। ଏଠାରେ ବିରୋଧୀ ଏଆଇଏଡିଏମ୍କେ ୬୫, ଟିଭିକେ ୩୧ ଓ ଅନ୍ୟାନ୍ୟ ଦଳ ୮ଟି ଆସନ ପାଇବେ। ରାଜ୍ୟର ମୋଟ ବିଧାନସଭା ଆସନ ସଂଖ୍ୟା ୨୩୪ ହୋଇଥିବାବେଳେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୧୮। ସେହିପରି ଆସାମରେ ଶାସକ ବିଜେପି କ୍ରମାଗତ ୩ୟ ଥର ପାଇଁ ସରକାର ଗଠନ କରିବାରେ ସଫଳ ହେବ। ପୋଲ୍ ଅଫ୍ ପୋଲ୍ସର ତଥ୍ୟ ଅନୁଯାୟୀ ବିଜେପି ଏଠାରେ ୮୮ ଆସନ ପାଇ ସରକାର ଗଠନ କରିବ। ସେହିପରି କଂଗ୍ରେସ ୨୭ ଓ ଅନ୍ୟାନ୍ୟ ଦଳ ୧୧ଟି ଆସନ ପାଇବେ ବୋଲି ଅନୁମାନ କରାଯାଇଛି। ଆସାମର ମୋଟ ବିଧାନସଭା ଆସନ ସଂଖ୍ୟା ୧୨୬ ହୋଇଥିବାବେଳେ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ଅଙ୍କ ହେଉଛି ୬୪। କେରଳରେ ପିନାରାଇ ବିଜୟନଙ୍କ ନେତୃତ୍ବାଧୀନ ଶାସକ ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲଡିଏଫ୍) ଏହି ନିର୍ବାଚନରେ ନିଜର କ୍ଷମତା ହରାଇବାର ଆଶଙ୍କା ପ୍ରକାଶ ପାଇଛି। ଏଠାରେ କଂଗ୍ରେସ ନେତୃତ୍ବାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍) କ୍ଷମତା ଦଖଲ କରିବାର ସମ୍ଭାବନା ରହିଛି। ପୋଲ୍ ଅଫ୍ ପୋଲ୍ସର ତଥ୍ୟ ଅନୁଯାୟୀ ରାଜ୍ୟର ମୋଟ ୧୪୦ଟି ବିଧାନସଭା ଆସନ ମଧ୍ୟରୁ ୟୁଡିଏଫ୍ ୭୭ଟି ଆସନ ପାଇବ ବୋଲି ଆକଳନ ହୋଇଛି। ସେହିପରି ଏଲ୍ଡିଏଫ୍ ୫୯, ବିଜେପି ୨ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ପାଇବେ। ସରକାର ଗଠନ ପାଇଁ ଏଠାରେ ମ୍ୟାଜିକ ସଂଖ୍ୟା ହେଉଛି ୭୧।
ପଶ୍ଚିମବଙ୍ଗର ଏକଜିଟ୍ ପୋଲ୍ର ତଥ୍ୟ ଅନୁଯାୟୀ ଏଠାରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ସଂଖ୍ୟାଗରିଷ୍ଠତା ଠାରୁ ଗୋଟିଏ ମାତ୍ର ଆସନ ଦୂରରେ ରହିବ। ପୋଲ ଅଫ୍ ପୋଲ୍ସର ତଥ୍ୟ ଅନୁଯାୟୀ ଟିଏମସି ୧୪୭ଟି ଆସନ ପାଇବ। ରାଜ୍ୟର ମୋଟ ବିଧାନସଭା ଆସନ ସଂଖ୍ୟା ୨୯୪ ହୋଇଥିବାରୁ ସରକାର ଗଠନ ପାଇଁ ମ୍ୟାଜିକ୍ ସଂଖ୍ୟା ହେଉଛି ୧୪୮। ତେଣୁ ଟିଏମସି ସଂଖ୍ୟାଗରିଷ୍ଠତା ଠାରୁ ଗୋଟିଏ ଆସନ ଦୂରରେ ରହିବ। ତେବେ ବିରୋଧୀ ବିଜେପି ଏଠାରେ ୧୩୭ଟି ଆସନ ପାଇବାର ଆକଳନ କରାଯାଇଛି। ରାଜ୍ୟରେ କଂଗ୍ରେସ ୨, ବାମଦଳ ୨ ଓ ଅନ୍ୟାନ୍ୟ ଦଳ ୬ଟି ଆସନ ପାଇବେ ବୋଲି ଏକଜିଟ୍ ପୋଲ୍ରେ ଅନୁମାନ କରାଯାଇଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଜେପି ଓ ଏଆଇଏନଆରସି ମେଣ୍ଟ ଏହାର କ୍ଷମତା ବଜାୟ ରଖିବ ବୋଲି ଏକଜିଟ୍ ପୋଲ୍ରେ ପୂର୍ବାନୁମାନ କରାଯାଇଛି। ପୋଲ୍ ଅଫ୍ ପୋଲ୍ସର ତଥ୍ୟ ଅନୁଯାୟୀ ବିଜେପି ନେତୃତ୍ବାଧୀନ ମେଣ୍ଟ ଏଠାରେ ୧୭ଟି ଆସନ ପାଇ ସରକାର ଗଠନ କରିବ। ଏଠାରେ କଂଗ୍ରେସ ୯ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନ ପାଇବ ବୋଲି ଅନୁମାନ କରାଯାଇଛି। ପୁଡୁଚେରୀର ମୋଟ ବିଧାନସଭା ଆସନ ସଂଖ୍ୟା ୩୦ ହୋଇଥିବାବେଳେ ସଂଖ୍ୟାଗରିଷ୍ଠତାର ମ୍ୟାଜିକ୍ ସଂଖ୍ୟା ୧୬। ମେ ୪ ତାରିଖରେ ଏହିସବୁ ବିଧାନସଭା ଆସନର ଭୋଟ ଗଣତି ହେବ। ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏପ୍ରିଲ ୯ ଓ ୨୩ରେ ଭୋଟ ଗ୍ରହଣ ହୋଇଥିଲା।
