ବାଲେଶ୍ବର: ଦିନରେ ଗରମ ସନ୍ଧ୍ୟାରେ ଝଡ଼ ବର୍ଷା। ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳ ବୈଶାଖିର ପ୍ରଭାବ। ୧୪ ଜିଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର କରିଛି ସତର୍କ। ଦିନରେ ଅସହ୍ୟ ଗରମ, ଗୁଳୁଗୁଳି ଆଉ ଅପରାହ୍ଣ ହେଲେ ବଦଳି ଯାଉଛି ପାଗ। ରାଜ୍ୟରେ ଜାରି ରହିଛି ଖରା ତାତି ସାଙ୍ଗକୁ ଝଡ଼ ବର୍ଷାର ପ୍ରଭାବ। ପ୍ରତିଦିନ ରାଜ୍ୟରେ ଅପରାହ୍ଣ ହେଉ ହେଉ ତାଣ୍ଡବ ରଚୁଛିି କାଳ ବୈଶାଖି।
ଆସନ୍ତା ୯ତାରିଖ ଯାଏଁ ରାଜ୍ୟରେ ଝଡ଼ ବର୍ଷାର ପ୍ରଭାବ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି ଜିଲାକୁ ସୋମବାର ପାଇଁ ସତର୍କତା ଜାରି କରିବା ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବାର ଆଶଙ୍ଗା କରାଯାଇ ୟେଲୋ ଉଆର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ।
ଏହା ସହିତ ଗତ କିଛି ଦିନ ହେଲା ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଫଳରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଅପରାହ୍ଣ ସମୟ ହେଲେ ଘୋଟି ଆସୁଛି କଳା ହାଣ୍ଡିଆ ମେଘ ଓ ପ୍ରବଳ ବର୍ଷୁଛି। ଗଞ୍ଜାମ, ଦିଗପହଣ୍ଡି, ବାଙ୍କି, ବାଲେଶ୍ବର ସହିତ ଅନେକ ସ୍ଥାନରେ କାଳ ବୈଶାଖି ତାଣ୍ଡବ ରଚିଛି। କେବଳ ସେତିକି ନୁହେଁ, କାଳ ବୈଶାଖି ପ୍ରଭାବରେ କଳାହାଣ୍ଡି ,ବଲାଙ୍ଗୀର, ଆଠଗଡ଼ ଓ ବରଗଡ଼ରେ ବି କୋପ ଦେଖାଇଛି କୁଆପଥର ବର୍ଷା। ଏହା ଫଳରେ ବିଭିନ୍ନ ସ୍ଥାନରେ କୁଆ ପଥର ଆସ୍ଥରଣ ପଡ଼ି ହିମପାତ ହେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏସବୁ ପାଇଁ ଅଦିନିଆ କାଳ ବୈଶାଖି ଫଳରେ ଚାଷ ହୋଇଥିବା ଫସଲ ସବୁ ନଷ୍ଟ ହୋଇଯାଇଛି।
କେବଳ ସେତିକି ନୁହେଁ ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳ ବୈଶାଖି ସକ୍ରିୟ ରହିଛି। ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟରେ ଅସ୍ଥିର ପାଣିପାଗ ଅନୁଭୂତ ହେବ। ବିଶେଷତଃ କୁଆ ପଥର ବର୍ଷା ହେବାନେଇ ସତର୍କ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ ଓ ବାଲେଶ୍ବରକୁ ଅରେଞ୍ଜ ଆଲର୍ଟ ଜାରିକରାଯାଇଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମୁଖ୍ୟ ମନୋରମା ମହାନ୍ତି କହିଛନ୍ତି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରା ରାଜ୍ୟର କିଛି କିଛି ସ୍ଥାନରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ବର୍ଷା ସହିତ ୫୦ରୁ ୬୦ କିିମି ପବନ ବହିବାର ଆଶଙ୍କା ରହିବା ସହ କୁଆ ପଥର ବର୍ଷିବାର ମଧ୍ୟ ସମ୍ଭାବନା ରହିଛି। ମୟୂରଭଞ୍ଜ ଓ ବାଲେଶ୍ବର ଜିଲାକୁ ଅରେଞ୍ଜ ଆଲର୍ଟ ଜାରିକରାଯାଇଛି।
ଅନ୍ୟପଟେ ଗତ କିଛି ଦିନ ହେଲା ବାଲେଶ୍ବରରେ ପ୍ରବଳ ବର୍ଷା ହେଉଛି। ରବିବାର ଓ ସୋମବାର ଜିଲାର ସୋର, ନୀଳଗିରି, ଔପଦା, ରେମୁଣା,ବାଲିଆପାଳ ଓ ଭୋଗରାଇ ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହା ସହିତ ବିଜୁଳି, ପ୍ରଚଣ୍ଡ ଶବ୍ଦରେ ଘଡ଼ଘଡ଼ି ମଧ୍ୟ ହୋଇଛି। ରବିବାର ଜିଲାରେ ପାଖା ପାଖି ମୋଟ ଏକ ଘଣ୍ଟା ବର୍ଷା ହୋଇଥିବା ବେଳେ ସୋମବାର ଜିଲାରେ ୪୫ ମିନିଟ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହା ସହିତ ସୋମବାର ବାଲେଶ୍ବରରେ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ୪୧ରୁ ୬୧ କିମି ବେଗରେ ପବନ ସହ ଝଡ଼ ବର୍ଷାସହିତ , ୫ରୁ ୧୫ ମିମି ବର୍ଷା ହୋଇଛି। ସେହିପରି ୩୦ ସତକଡ଼ାରୁ ୬୦ ଶତକଡ଼ା ଘଡ଼ଘଡ଼ି ହୋଇଛି।
ଏହା ସହିତ ବାଲେଶ୍ବରରେ ଦିନ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଥିବା ବେଳେ ବର୍ଷା ହେବା ପରେ ରାତି ତାପମାତ୍ରା ୯ ସୁଦ୍ଧା ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ଥିବା ବେଳେ, ଭଦ୍ରକରେ ଦିନ ତାପମାତ୍ରା ୩୨ ଡିଗ୍ରୀ ଥିବାବେଲେ ରାତି ତାପମାତ୍ରା ଚାନ୍ଦବାଲିରେ ୨୪.୮ ଡିଗ୍ରୀ ସେଲସିୟସ ରହିଥିଲା। ଅନ୍ୟପଟେ ଦିନ ମୟୂରଭଞ୍ଜ ବାରିପଦାରେ ଦିନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ରହିଥିଲା।
