Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଦୋହାରେ ଆମେରିକା-ଇରାନ ଶାନ୍ତି କଥାବାର୍ତ୍ତା

ସମାଜ 2 weeks ago

ଦୋହା: କାତାରର ରାଜଧାନୀ ଦୋହାରେ ଇରାନ ସହିତ ହୋଇଥିବା ଆଲୋଚନା ସକାରାତ୍ମକ ରହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ କଥାବାର୍ତ୍ତା ଦ୍ବାରା ୱାଶିଂଟନ ଓ ତେହେରାନ ମଧ୍ୟରେ ସମ୍ପର୍କ ଏବେ ସୁଧୁରୁଛି। ଗତ ସପ୍ତାହରେ ଆମେରିକା ପକ୍ଷରୁ ଇରାନ ଉପରେ ଜୋରଦାର ଆକ୍ରମଣ କରାଯିବା ସତ୍ତ୍ୱେ ଏହି ବୈଠକ ସଫଳ ହୋଇଥିବା ସେ ଦାବି କରିଛନ୍ତି।

ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି, ଇରାନର ପରମାଣୁ ନିରସ୍ତ୍ରୀକରଣ ପ୍ରକ୍ରିୟା ଭଲ ଦିଗରେ ଗତି କରୁଛି। ଆମର ସମ୍ପର୍କ ଏବେ ବହୁତ ଭଲ ଅଛି। ଦୋହାରେ ଉଭୟ ଦେଶ ମଧ୍ୟରେ ପରୋକ୍ଷ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ କାତାର ଏବଂ ପାକିସ୍ତାନ ମଧ୍ୟସ୍ଥ ସାଜିଛନ୍ତି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଏବଂ ସ୍ଥାୟୀ ଯୁଦ୍ଧବିରତି ନେଇ ଏହି ବୈଠକରେ ବୈଷୟିକ ଆଲୋଚନା ଚାଲିଛି। ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ, ଗତ ସପ୍ତାହରେ ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନର ଡ୍ରୋନ୍ ଆକ୍ରମଣ ପରେ ଆମେରିକା ଲଗାତାର ୩ ରାତି ଧରି ଇରାନ ଉପରେ ଜୋରଦାର ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ପୁଣି ଥରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରାଯାଇଛି। ଅନ୍ୟପଟେ ଇରାନର ବୈଦେଶିକ ମନ୍ତ୍ରଣାଳୟ ଏହି ଆଲୋଚନାକୁ ପ୍ରାଥମିକ ସ୍ତରର ଥିବା କହିଛି ଏବଂ ଆମେରିକା ସହ କୌଣସି ପ୍ରତ୍ୟକ୍ଷ ଆଲୋଚନା ହେଉଥିବା କଥାକୁ ପ୍ରତ୍ୟାଖ୍ୟାନ କରିଛି।

ଅନ୍ୟପଟେ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ପଣ୍ୟବାହୀ ଜାହାଜ ଠାରୁ ଟିକସ ଆଦାୟ ପାଇଁ ଇରାନ ଏବଂ ଓମାନ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ତେବେ ଏହି ପ୍ରସ୍ତାବକୁ ଆମେରିକା ବିରୋଧ କରୁଥିବା ଜଣାପଡ଼ିଛି।ରିପୋର୍ଟ ଅନୁଯାୟୀ ହର୍ମୁଜ ଦେଇ ଯାତାୟାତ କରୁଥିବା ପଣ୍ୟବାହୀ ଜାହାଜ ଠାରୁ ଟିକସ ଆଦାୟ ପାଇଁ ପ୍ରଥମେ ଓମାନ ଏକ ପ୍ରସ୍ତାବ ଦେଇଥିଲା। ପରବର୍ତ୍ତୀ ସମୟରେ ଇରାନ ଏହାକୁ ସମର୍ଥନ କରିଥିଲା। ଅନ୍ୟପକ୍ଷରେ ପଣ୍ୟବାହୀ ଜାହାଜ ଟିକସ ପ୍ରଦାନ କରିବାକୁ ବାଧ୍ୟ ନୁହେଁ ବୋଲି ଓମାନ ତରଫରୁ ଦର୍ଶାଯାଇଥିବା ବେଳେ ଏହାକୁ ବାଧ୍ୟତାମୂଳକ କରିବାକୁ ଇରାନ ଦାବି କରିଛି। ତେବେ ହର୍ମୁଜ ଦେଇ ଚଳାଚଳ କରୁଥିବା ଜାହାଜଗୁଡ଼ିକ ଠାରୁ ଟିକସ ଆଦାୟ ପ୍ରସ୍ତାବକୁ ଆମେରିକା ବିରୋଧ କରିଛି। ସମସ୍ତ ଜାହାଜ ବିନା କୌଣସି ଟିକସ ଦେଇ ପୂର୍ବପରି ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବା ଉପରେ ଆମେରିକା ଗୁରୁତ୍ବାରୋପ କରିଛି।

ସୂଚନାଥାଉ କି ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜ ଠାରୁ ଟିକସ ଆଦାୟ ପ୍ରସ୍ତାବକୁ କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିରୋଧ କରିଥିଲେ। ଏହାକୁ ନେଇ ଟ୍ରମ୍ପ ଓମାନକୁ ଚେତାବନୀ ମଧ୍ୟ ଦେଇଥିଲେ। ସେହିପରି ୟୁରୋପର ବିଭିନ୍ନ ଦେଶ ମଧ୍ୟ ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜ ଉପରୁ ଟିକସ ଆଦାୟ ପ୍ରସ୍ତାବକୁ ବିରୋଧ କରିଛନ୍ତି। ଏହି ପ୍ରସ୍ତାବ ଅନ୍ତର୍ଜାତୀୟ ସାମୁଦ୍ରିକ ନିୟମର ପରିପନ୍ଥୀ ବୋଲି ୟୁରୋପର ବିଭିନ୍ନ ରାଷ୍ଟ୍ର ତରଫରୁ ଦର୍ଶାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia