Dailyhunt

ଏସବୁ ଜିଲ୍ଲାକୁ ବଜ୍ରପାତ ସହ ଝଡ଼ବର୍ଷା ସତର୍କତା

ସମାଜ 1 week ago

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ପବନରେ କେଉଁଠି ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଛି ତ ଆଉ କେଉଁଠି ଘର ଛପର ଉଡ଼ାଇ ନେଇଛି। ପୁଣି କେଉଁଠି ପ୍ରବଳ କୁଆପଥର ପଡ଼ିଛି। ଏଭଳି ପରିସ୍ଥିତି ଗଞ୍ଜାମ ଜିଲାର ଚିକିଟି, ଦିଗପହଣ୍ଡି, ସାନଖେମୁଣ୍ଡି ଏବଂ ପାତ୍ରପୁର ଅଞ୍ଚଳରେ ଦେଖିବାକୁ ମିଳିଛି।

ସେହିପରି ଉପକୂଳ, ପଶ୍ଚିମ, ଦକ୍ଷିଣ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ କାଳବୈଶାଖୀ ଦ୍ବାରା ବଜ୍ରପାତ ସହିତ ଝଡ଼ବର୍ଷା ହୋଇଛି। କାଳବୈଶାଖୀ ପ୍ରଭାବରେ ପଶ୍ଚିମରେ ତାତି କମିଛି। ସୁବର୍ଣ୍ଣପୁରରେ କାଳବୈଶାଖୀ ତାଣ୍ଡବ ରଚିଛି। ଏଠାରେ ସବୁଠୁ ଅଧିକ ୩୦ ମି.ମି. ବର୍ଷା ହୋଇଛି। ଗୋପାଳପୁରରେ ୮.୬ମି.ମି. ଓ ଖୋରଧାରେ ୫ମି.ମି. ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବର, ଚାନ୍ଦବାଲି, କଟକ, ପାରାଦ୍ବୀପ, କେନ୍ଦୁଝର, ବଲାଙ୍ଗିର, ଦାରିଙ୍ଗବାଡ଼ି, ନୟାଗଡ଼, ବୌଦ୍ଧ, ରାୟଗଡ଼ା, ଢେଙ୍କାନାଳ, ଖୋରଧା ଏବଂ ରାଉରକେଲାରେ ବଜ୍ରପାତ ସହିତ ଝଡ଼ବର୍ଷା ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଛି। ପଶ୍ଚିମରେ ଦିନ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିଲା। କିନ୍ତୁ ସେଠାରେ ଏବେ ତାପମାତ୍ରା ୩୫ରୁ ୩୬ ଡିଗ୍ରୀକୁ ଖସି ଆସିଛି। ଉପକୂଳ ଓଡ଼ିଶାରେ ପାରଦ ୩୨ରୁ ୩୩ଡିଗ୍ରୀ ମଧ୍ୟରେ ରହିଛି। ମାଲକାନଗିରିରେ ତାପମାତ୍ରା ୩୯.୪ ଡିଗ୍ରୀ ଥିବାବେଳେ ଭୁବନେଶ୍ବରରେ ୩୪.୨ ଏବଂ କଟକରେ ୩୨.୮ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia