Monday, 30 Mar, 3.52 am ସମାଜ

ବଡ଼ ଖବର
ଏଥର ବିନାଭକ୍ତରେ ରଥଯାତ୍ରା !

ଭୁବନେଶ୍ୱର (ଶ୍ରୀକୁମାର ଶୁକ୍ଲ) : କରୋନାର ପ୍ରଭାବ ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କ ବିନା ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପନ୍ନ ହୋଇପାରେ। ଆସନ୍ତା ଏପ୍ରିଲ ୨୬ରେ ଅକ୍ଷୟ ତୃତୀୟା ପଡୁଛି। ମଝିରେ ଆଉ ସମୟ ମାସେ ମଧ୍ୟ ନାହିଁ। ଏହିଦିନ ଠାରୁ ପାରମ୍ପରିକ ରୀତି ମତେ ଶ୍ରୀଜୀଉଙ୍କର ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ସେତେବେଳକୁ ଯଦି ରାଜ୍ୟ ତଥା ଦେଶରେ କରୋନା ପରିସ୍ଥିତିରେ ସୁଧାର ଆସି ନ ଥିବ, ତେବେ ପ୍ରଶାସନ ନିରାଡ଼ାମ୍ବର ଭାବେ ରଥଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଆଶଂକା ଉପୁଜିଛି।
ମିଳିଥିବା ସୂଚନା ଅନୁାୟୟୀ, ୩ରଥ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ଇତିମଧ୍ୟରେ ୨ଟ୍ରିପ୍‍ କାଠ ପୁରୀରେ ପହଞ୍ଚି ଯାଇଛି। ବିଗତ ବସନ୍ତ ପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ପୂଜା ମଧ୍ୟ ସମ୍ପନ୍ନ ହୋଇଥିବାରୁ ଆଉ କୌଣସି ମତେ ପ୍ରଶାସନ ପକ୍ଷରେ ରଥଯାତ୍ରାକୁ ବନ୍ଦ କରିବା ସହଜସାଧ୍ୟ ହେବନି। ତେବେ ସେତେବେଳେ ପରିସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି କିଭଳି ରଥଯାତ୍ରା କରାଯାଇ ପାରିବ ସେନେଇ ସରକାର ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି। ଏଥର ଜୁନ୍‍ ୨୩ରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାରେ ପ୍ରତିବର୍ଷ ୮ରୁ ୧୦ ଳକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଓଡିଶାରେ କରେନା ସଂକ୍ରମଣର ଅଧିକ ଆଶଂକା ଥିବାରୁ ସମ୍ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ କଟକଣା ଜାରୀ କରାଯାଇଛି।

ଏବେ ବିମାନ, ରେଳ ଓ ବସ୍‍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହାଛଡା ଅନ୍ୟ ରାଜ୍ୟର ଲୋକମାନେ ଯେପରି ଆସି ନ ପାରିବେ ସେଥିଲାଗି ସେମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏଭଳି ସ୍ଥିତିରେ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକଙ୍କକୁ ପୁରୀରେ ଏକତ୍ର ହେବାଲାଗି ଯେ ସରକାର ଅନୁମତି ଦେବେ ତାହା ଅନିଶ୍ଚିତ ଅବସ୍ଥାରେ ରହିଛି । ଅତୀତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରିଚାଳନାରେ ବ୍ୟତିକ୍ରମ ରହିଛି।

୧୯୭୯ ରାଜ୍ୟରେ ଜନତା ସରକାରଙ୍କ ସମୟରେ କେତେକ ଦାବି ପୂରଣ ଲାଗି ପୋଲିସ କର୍ମଚାରୀମାନେ ଧର୍ମଘଟ କରି ରଥଯାତ୍ରରେ ଆଦୌ ସହଯୋଗ କଳେନି। ସେତେବେଳେ ସଚ୍ଚିଦାନନ୍ଦ ରଥ ଜିଲାପାଳ ଥାଆନ୍ତି । ଜିଲାପାଳଙ୍କ ଉଦ୍ୟମକ୍ରମେ ଅବିଭକ୍ତ ପୁରୀ ଜିଲାର ସ୍ୱେଚ୍ଚାସେବୀମାନଙ୍କ ସହଯୋଗରେ ଶ୍ରୀଜୀଉଙ୍କ ରଥଯାତ୍ରା ନିର୍ବିଘ୍ନରେ ସମ୍ପନ୍ନ ହୋଇଥିଲା । ଏପରିକି ସୂର୍ଯ୍ୟାସ୍ତ ପୂର୍ବରୁ ଗୋଟିଏ ଦିନରେ ତିନୋଟିଯାକ ରଥ ଗୁଣ୍ଡିଚା ଘରେ ପହଞ୍ଚିଯାଇଥିଲା।

ଯଦି ଆମେ ଇତିହାସ ପୃଷ୍ଠାକୁ ଓଲଟାଇବା ତେବେ ରଥଯାତ୍ରାକୁ ନେଇ ଅନେକ ତଥ୍ୟ ମିଳିଥାଏ। ଐତିହ୍ୟ ବିଶାରଦ ଡଃ ସୁରେନ୍ଦ୍ର କୁମାର ମିଶ୍ରଙ୍କ କହିବା ଅନୁଯାୟୀ, ପ୍ରତିକୂଳ ପରିସ୍ଥିତି ଯୋଗୁଁ ଅନେକ ଥର ରଥଯାତ୍ରାରେ ବ୍ୟତିକ୍ରମ ଦେଖାଦେଇଛି। ସେ କହିଲେ ୧୫୬୮ରେ ଶ୍ରୀମନ୍ଦିରକୁ କଳାପାହାଡ଼ ଆକ୍ରମଣ କରିଥିଲା। ସେତେଳେଳେ ବିଶର ମହାନ୍ତି ମହାପ୍ରଭୁଙ୍କ ବ୍ରହ୍ମକୁ ହୁଗୁଳିରୁ ମୃଦଙ୍ଗ ଭିତରେ ଲୁଚାଇ ଆଣିବା ପରେ ମୂର୍ତ୍ତି ଗଢ଼ି କୁଜଙ୍ଗଗଡ଼ ଠାରୁ ୨କିମି ଦୂର ମହାବୀର ଆଶ୍ରମରେ ରଖିଥିଲେ।

ଏକଥା କୁଜଙ୍ଗ ରାଜା ଜାଣିବା ପରେ ସେ ଶ୍ରୀଜୀଉଙ୍କ ଲାଗି କୁଜଙ୍ଗଗଡ଼ରେ ମନ୍ଦିର ତିଆରି କରି ମୂର୍ତ୍ତିଗୁଡିକୁ ସେଠାକୁ ନେଇ ଆସିଥିଲେ। ୧୫୭୦ରୁ ୧୫୭୫ ପର୍ଯ୍ୟନ୍ତ କୁଜଙ୍ଗଗଡ଼ରେ ରଥଯାତ୍ରା ହୋଇଥିଲା। ୧୬୧୧ ମସିହାରେ ମୋଗଲ ସୁବେଦାର କଲ୍ୟାଣ ମଲ୍ଲ ଶ୍ରୀମନ୍ଦିର ଆକ୍ରମଣ କରିବା ସମୟରେ ଶ୍ରୀବିଗ୍ରହମାନଙ୍କୁ ଚିଲିକାର ମହିଷାନାସୀ ଠାରେ ରଖାଯାଇଥିଲା। ସେତେବେଳେ ଚିକାର ନାସୀ ଠାରୁ ମହିଷା ନାସୀ ପର୍ଯ୍ରନ୍ତ ୩ କିମି ରାସ୍ତାରେ ରଥଯାତ୍ରା ହୋଇଥିଲା।

ସେଠାରେ ଥିବା ସର୍ବେଶ୍ୱର ମହାଦେବଙ୍କ ମନ୍ଦିର ଗୁଣ୍ଡିଚାମନ୍ଦିର ଭାବେ ବ୍ୟବହୃତ ହୋଇଥିଲା। ୧୬୨୩ରେ ମିର୍ଜା ଅହମ୍ମଦ ବେଗ୍‍ ଆକ୍ରମଣ କରିଥିବା ବେଳେ ଶ୍ରୀବିଗ୍ରହମାନଙ୍କୁ ଚିଲିକା ନିକଟ ଅନ୍ଧାରିଗଡରେ ରଖାଯାଇଥିବା ବେଳେ ସେଠାରେ ନବକଳେବର ଓ ରଥଯାତ୍ରା ହୋଇଥିଲା। ୧୬୯୨ରେ ଇସଲାମ୍‍ ଖାଁ ଆକ୍ରମଣ ସମୟରେ ଶ୍ରୀବିଗ୍ରହମାନଙ୍କୁ ବଡ଼ଦେଉଳ ପରିସରରେ ଥିବା ବିମଳା ମନ୍ଦିର ପଛପଟେ ଲୁଚାଇ ରଖାଯାଇଥିଲା। ସେତେବେଳେ ପରମ୍ପରାକୁ ରକ୍ଷା କରିବା ଳାଗି ମନ୍ଦିର ଭିତରେ ସେବାୟତମାନେ ମିଶି ଅତ୍ୟନ୍ତ ଗୁପ୍ତରେ ମନ୍ଦିର ପରିସରରେ ଚନ୍ଦନ ଯାତ୍ରା ଓ ରଥଯାତ୍ରା ହୋଇଥିଲା।

ବାହାର ପୋଖରିଆରେ ପଟା ପଡ଼ି ସ୍ନାନପୂର୍ଣ୍ଣିମା ନୀତି କରାଯାଇଥିବା ବେଳେ ଭୋଗମଣ୍ଡପ ଘରକୁ ଗୁଣ୍ଡିଚା ଘର ଭାବେ ବ୍ୟବହାର କରାଯାଇଥିଲା। ବାହୁଡ଼ା ଦିନ ଠାକୁମରନେ ରତ୍ନ ସିାଂହନକୁ ଫେରିଥିଲେ। ସେହିପରି ୧୭୩୩ରେ ମହମ୍ମଦ ତକୀ ଖାଁ ଶ୍ରୀମନ୍ଦିର ଆକ୍ରମଣ କରିଥିଲା। ସେତେବେଳେ ଚିଲିକା ନିକଟ ଗଙ୍ଗାଧରପୁର ରେଳ ଷ୍ଟେସନ ଠାରୁ ୨ କିମି ଦୂର ନଇରୀ ଠାରେ ଗଜପତି ରାମଚନ୍ଦ୍ର ଦେବଙ୍କ ପୁଅ ଭାଗିରଥୀ କୁମାର ରଥଯାତ୍ରା କରାିଥିଲେ।

ଏ ସମ୍ପର୍କରେ ମତଦେଇ ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କହିଲେ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା କରାଯାଇଛି। ଏଣୁ ଏଥର ମଧ୍ୟ କିଛି ଅସୁବିଧା ହେବନି। ପୁରୀରେ କେହି କରୋନା ଆକ୍ରାନ୍ତ ରୋଗୀ ନାହାଁନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ବାହାରୁ ଲୋକଙ୍କୁ ଅଣାନଯାଇ ପୁଲିସ, ସେବାୟତ ଓ ପୁରୀ ସହରବାସୀଙ୍କୁ ନେଇ ରଥଯାତ୍ରା କରାଯାଇ ବିପଦ ରକ୍ଷା କରାଯାଇ ପାରିବ। ପରମ୍ପରା ଦୃଷ୍ଟିରୁ କୌଣସି ମତେ ରଥଯାତ୍ରାକୁ ବନ୍ଦ କରାଯାଇପାରିବ ନାହିଁ। ତେବେ ଚଳିତବର୍ଷ କିଭଳି ରଥଯାତ୍ରା କିଭଳି ନିର୍ବିଘ୍ନରେ କରାଯାଇପାରିବ ତାହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ପୂର୍ବରୁ ଦେଶ ତଥା ରାଜ୍ୟର ପରିସ୍ଥିତି ଉପରେ ସବୁକିଛି ନିର୍ଭର କରୁଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Samaja Odia
Top