Monday, 23 Mar, 12.02 pm ସମାଜ

ହୋମ
ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ

୧୯୨୧ ମାର୍ଚ୍ଚ ୨୩ ତାରିଖ। ଓଡ଼ିଶାର ଇତିହାସ ସହିତ ମହାତ୍ମା ଗାନ୍ଧୀଙ୍କ ଜୀବନ ଏହି ଦିନଠାରୁ ଭିନ୍ନ ମୋଡ଼ ନେଲା। ସ୍ୱାଧୀନତା ସଂଗ୍ରାମ, ସାମାଜିକ ସଂସ୍କାର ଓ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିହେଲା। ପତ୍ନୀ କସ୍ତୁରବା ଓ ପୁଅ ଦେବଦାସଙ୍କ ସହ ପୁରୀ ଏକ୍ସପ୍ରେସ ଯୋଗେ ଆସି ସେଦିନ ବଡ଼ି ଭୋର୍‍ରେ ଗାନ୍ଧିଜୀ ପହଞ୍ଚିଲେ କଟକ ରେଳ ଷ୍ଟେସନରେ। ବିରାଟ ଜନସମୁଦ୍ର ଭିତରେ ଷ୍ଟେସନରୁ ସ୍ୱରାଜ ଆଶ୍ରମ ପର୍ଯ୍ୟନ୍ତ ନେବା ଲାଗି ପ୍ରାୟ ୨ ଘଣ୍ଟା ସମୟ ଲାଗିଯାଇଥିଲା।
ଗାନ୍ଧିଜୀଙ୍କ ଏହି ପ୍ରଥମ ଓଡ଼ିଶା ଗସ୍ତର ଐତିହାସିକ ସ୍ମୃତି ସମ୍ପର୍କରେ ବିଶିଷ୍ଟ ସାମ୍ବାଦିକ ରାଧାନାଥ ରଥ ସେତେବେଳେ ଲେଖିଥିଲେ, '୧୯୧୨ରେ ଭାରତର ବଡ଼ଲାଟ ଲର୍ଡ ହାର୍ଡିଞ୍ଜ ଯେତେବେଳେ ପ୍ରଥମ ଥର ପାଇଁ କଟକ ଆସିଥିଲେ ସେତେବେଳେ ଲକ୍ଷଲକ୍ଷ ଲୋକ ଯେପରି ତାଙ୍କୁ ଦେଖିବା ପାଇଁ ରାସ୍ତାକଡ଼ରେ ଜମା ହୋଇଥିଲେ, ଗାନ୍ଧୀ ଦର୍ଶନାର୍ଥୀ ଲୋକେ ସେହିପରି ଉଣା ଅଧିକେ ଜମା ହେଲେ। … କିନ୍ତୁ ଯେତେବେଳେ ଭାରତର ଦରିଦ୍ର ଜନତା ହୃଦୟର ବଡ଼ଲାଟ ମହାତ୍ମାଗାନ୍ଧୀ କଟକରେ ଆସି ପହଞ୍ଚିଲେ ସେତେବେଳକୁ ତାଙ୍କୁ ଦେଖିବା ପାଇଁ ସେହିପରି ହଜାରହଜାର ଲୋକ ଜମା ହେଲେ। ସୁଦୂର ଗାଁ ଗଣ୍ଡାରୁ ଚୁଡ଼ା ଚାଉଳ ବାନ୍ଧି, ପିଲାକବିଲାଙ୍କୁ ଧରି ଲୋକେ ବହୁ ଦୂରରୁ ଚାଲିଚାଲି ଆସିଥିଲେ। ହାର୍ଡିଞ୍ଜ ବେଳର ଥାଟ ପଟୁଆର ନ ଥିଲା, ଆଡମ୍ବର ନ ଥିଲା, ପୁଲିସ ବାହିନୀ ନ ଥିଲେ ଏବଂ ତମ୍ବୁ ଓ ଶିବିର ନ ଥିଲା। ଲୋକେ ନଈକୂଳ, ଗଛମୂଳ, ନଈବାଲି ଓ ସହର ଭିତରେ କାହା ପିଣ୍ଡା, କାହା ଦାଣ୍ଡ ଏପରିକି ଉନ୍ମୁକ୍ତ ପଡ଼ିଆରେ ଛାମୁଣ୍ଡିଆ ତଳେ ପଡ଼ିରହି ଗାନ୍ଧୀ ଦର୍ଶନ ପାଇଁ ଭୋକ ଉପାସରେ ସୁଦ୍ଧା ଚାହିଁ ରହିଥିଲେ।'
କଟକ କାଠଯୋଡ଼ି ନଦୀ ଶଯ୍ୟାରେ ଏକ ବିରାଟ ସାଧାରଣ ସଭାରେ ଅସହଯୋଗ ଆନ୍ଦୋଳନ, ସ୍ୱରାଜର ବିଭିନ୍ନ ଦିଗ, ସାମ୍ପ୍ରଦାୟିକ ଏକତା ଆଦି ବିଭିନ୍ନ ପ୍ରସଙ୍ଗରେ ଗାନ୍ଧିଜୀ କହିଥିଲେ। ଏହି ସଭାରେ ପୌରୋହିତ୍ୟ କରିଥିଲେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଉତ୍କଳମଣି ଗୋପବନ୍ଧୁ ଦାସ। ଗାନ୍ଧିଜୀଙ୍କୁ ସ୍ୱାଗତ ଜଣାଇ ସେଦିନ ଗୋପବନ୍ଧୁ କହିଥିଲେ, 'ବୁଦ୍ଧଙ୍କଠାରୁ ଆରମ୍ଭ କରି କବୀର, ରାମାନୁଜ, ଶଙ୍କର, ନାନକ, ଚୈତନ୍ୟଙ୍କ ଯାଏଁ ଭାରତରେ ଯେତେ ଯେତେ ମହାତ୍ମା ଜନ୍ମଗ୍ରହଣ କରିଛନ୍ତି ସେ ସମସ୍ତଙ୍କର କିଛି ନା କିଛି ସମ୍ପର୍କ ଆମର ଏହି ଓଡ଼ିଶା ଭୂମିରେ ରହିଛି। ଆଜିକୁ ପ୍ରାୟ ୩୦୦ ବର୍ଷ ତଳେ ଠିକ୍‍ ଆଜିର ଦୋଳ ପୂର୍ଣ୍ଣିମା ତିଥିରେ ଚୈତନ୍ୟ ମହାପ୍ରଭୁ ଏହି ନଦୀର ବାଲୁକାରେ ପ୍ରେମ ଧର୍ମ ପ୍ରଚାର କରିବାକୁ ଆସିଥିଲେ। ୩୦୦ ବର୍ଷ ପରେ ଆଜି ଠିକ୍‍ ସେହିଦିନରେ ଆଉ ଜଣେ ମହାତ୍ମା ରାଜନୈତିକ ପ୍ରେମ ଧର୍ମ ପ୍ରଚାର କରିବାକୁ ଆସିଛନ୍ତି। ………… ଆଜି ମହାତ୍ମାଗାନ୍ଧୀଙ୍କ ଶୁଭାଗମନ ଉତ୍କଳ ଇତିହାସରେ ଏକ ନୂତନ, ଚିରସ୍ମରଣୀୟ ଘଟଣା। ଏହି ଶୁଭ ଅବସରରେ ମୁଁ ଆପଣମାନଙ୍କୁ ନିବେଦନ କରୁଛି, ଆପଣମାନେ ଓଡ଼ିଆ ଜାତିର ପ୍ରାଚୀନ ଗୌରବ ଓ ଧର୍ମ ପ୍ରାଣକୁ ମନେ ପକାଇ ତାଙ୍କର ବାର୍ତ୍ତାକୁ ହୃଦୟଙ୍ଗମ କରନ୍ତୁ।'
ଗାନ୍ଧିଜୀ କଟକରେ ମହିଳା, ମୁସଲମାନ, ଗୁଜରାଟୀ ଓ ମାରୱାଡ଼ି ଏବଂ ଛାତ୍ର ଯୁବକଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱାଧୀନତା ଆନ୍ଦୋଳନରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଚେତାଇ ଦେଇଥିଲେ। କଟକରୁ ଗାନ୍ଧିଜୀ ଭଦ୍ରକ ଯାଇ ସେଠାରେ ମଧ୍ୟ ଏକ ବିଶାଳ ଜନସମାବେଶରେ ଉଦ୍‍ବୋଧନ ଦେଇଥିଲେ। ଭଦ୍ରକରୁ ଫେରି ସତ୍ୟବାଦୀ ବନବିଦ୍ୟାଳୟ ପରିଦର୍ଶନ କରିବା ସହିତ ସେଠାରେ ବି ହଜାରହଜାର ଲୋକଙ୍କୁ ସମ୍ବୋଧିତ କରିଥିଲେ। ସେଠାରୁ ଗାନ୍ଧିଜୀ ପୁରୀ ଯାଇ ୩ ଦିନ ଅବସ୍ଥାନ କରିବା ସହିତ ସାଧାରଣ ସଭାରେ ଉଦ୍‍ବୋଧନ ଦେଇଥିଲେ। ଏହି ଗସ୍ତ ଅବସରରେ ସେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ। ପୁରୀରୁ ଗାନ୍ଧିଜୀ ବ୍ରହ୍ମପୁର ଯାଇ ସେଠାରେ ମଧ୍ୟ ସାଧାରଣ ସଭା ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗାନ୍ଧିଜୀଙ୍କ ଏହି ପ୍ରଥମ ଓଡ଼ିଶା ଗସ୍ତ ୧୯୨୧ ମାର୍ଚ୍ଚ ୨୩ରୁ ୨୯ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଥିଲା। ଏହି ଅବସରରେ ସେ ଭାଷାଭିତ୍ତିକ ଉତ୍କଳ ପ୍ରଦେଶ ଗଠନ ଏବଂ ମାତୃଭାଷା ମାଧ୍ୟମରେ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ପ୍ରଥମ ଓଡ଼ିଶା ଗସ୍ତ ପୂର୍ବରୁ ଗାନ୍ଧିଜୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଉତ୍କଳ ପ୍ରଦେଶ କମିଟି ଗଠନ କରାଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜନୈତିକ ପରିଚିତି ଦେଇଥିଲେ। ଏହାଛଡ଼ା ଓଡ଼ିଶାର ପୁରୀ ଜିଲ୍ଲା ସମେତ କେତେକ ଅଞ୍ଚଳରେ ଉପୁଜିଥିବା ଭୟଙ୍କର ଦୁର୍ଭିକ୍ଷ ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ବ୍ୟାପକ ରିଲିଫ୍‍ ବ୍ୟବସ୍ଥା କରିଥିଲେ। ଉତ୍କଳ ଭଳି ଗୋଟିଏ ପ୍ରାଚୀନ ଜାତିର ଭସ୍ମାବଶେଷ ଉପରେ ନୂତନ ଭାରତ ନିର୍ମାଣ କରାଯାଇନପାରେ ଏବଂ ଦେଶର କୌଣସି ଅଞ୍ଚଳର ପ୍ରଗତି ବାଧାପ୍ରାପ୍ତ ହେଲେ ଏହାଦ୍ୱାରା ଦେଶର ସାମଗ୍ରିକ ବିକାଶ ସମ୍ଭବପର ନୁହେଁ ବୋଲି ମଧ୍ୟ ମତ ଦେଇଆସୁଥିଲେ। ତେଣୁ ତାଙ୍କର ଏହି ପ୍ରଥମ ଓଡ଼ିଶା ଗସ୍ତ ବେଶ୍‍ ପ୍ରାସଙ୍ଗିକ ଥିଲା।
ଓଡ଼ିଶା ଗସ୍ତ ପୂର୍ବରୁ ଓଡ଼ିଶାର ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଗାନ୍ଧିଜୀ ଯେଉଁ ନିବେଦନ କରିଥିଲେ ସେଥିରେ ଲେଖିଛନ୍ତି, 'ଭୂତର ଆବେଶ ପରି ଓଡ଼ିଶା ମୋ ମନକୁ ଆଚ୍ଛନ୍ନ କରି ରଖିଛି। ଏପରି ଏକ ଗୌରବୋଳ ଓ ବୀରତ୍ୱପୂର୍ଣ୍ଣ ଦେଶ ଦାରିଦ୍ର୍ୟ ପ୍ରପୀଡ଼ିତ….. ଯେଉଁମାନେ ନିଜକୁ ଭାରତୀୟ ମନେ କରିବାରେ ଗର୍ବ ଅନୁଭବ କରନ୍ତି, ସେମାନଙ୍କର ଧର୍ମ ହେଉଛି ଭାରତର କୌଣସି ଅଂଶ ଦୁର୍ବଳ ହେଲେ ସେମାନେ କଷ୍ଟ ଅନୁଭବ କରିବେ। ଯଦି ଏ ବିଚାର ଠିକ୍‍ ତେବେ ଓଡ଼ିଶାର ଦୁଃଖରେ ଆମେ ଦୁଃଖୀ ନ ହେବା କିପରି…..। …ମୁଁ ବିଶ୍ୱାସ କରୁଛି ଓଡ଼ିଶାର ଦୁଃଖ ଦୁର୍ଦଶାରେ ସମଭାଗୀ ହେବା ପାଇଁ ଯେଉଁ ଉଦ୍ୟମ ଚାଲିଛି ସେଥିରେ ପ୍ରତ୍ୟେକ ଭାରତୀୟ ନିଜକୁ ସାମିଲ କରିବେ…। ଯେ ପର୍ଯ୍ୟନ୍ତ ଲକ୍ଷଲକ୍ଷ ଲୋକେ ଅନାହାରରେ ମରୁଛନ୍ତି ସେ ପର୍ଯ୍ୟନ୍ତ ଭାରତରେ ବିଳାସବ୍ୟସନରେ, ବିବାହ ଉତ୍ସବରେ ଭୁରି ଭୋଜନ ଦେବା ଓ ଅନ୍ୟ ମଉଜ ମଜଲିସ୍‍ରେ ଖର୍ଚ୍ଚ କରିବା ଅପରାଧ ରୂପେ ଗଣାଯିବା ଉଚିତ୍‍। ଆମ ପରିବାରରେ ଜଣେ ଖାଇବାକୁ ନ ପାଇ ମରୁଥିଲେ ଆମେ ଭୋଜିର ଆୟୋଜନ କରିବୁ ନାହିଁ। ଠିକ୍‍ ସେହି ଦୃଷ୍ଟିରୁ ଭାରତକୁ ଗୋଟିଏ ପରିବାର ବିଚାରି ଓଡ଼ିଶାବାସୀଙ୍କ ଦୁର୍ଦଶା ସମୟରେ ଆମ ସମସ୍ତଙ୍କୁ ଛିଡ଼ା ହେବାକୁ ପଡ଼ିବ।'
୧୯୨୧ରେ ପ୍ରଥମ ଗସ୍ତ ବେଳେ ଗାନ୍ଧିଜୀ ବ୍ରିଟିଶ୍‍ ସରକାର ସମ୍ପର୍କରେ କହିଥିଲେ, 'ଇସି ସଲତ୍‍ନତ୍‍ ମେଁ ସୈତନିୟାତ୍‍ ଆଗୈ, ଇସ୍‍କୋ ହଟାନା ପଡ଼େଗା।' ପୁରୀରେ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କୁ ଭେଟିବା ପରେ 'ୟଙ୍ଗ ଇଣ୍ଡିଆ'ରେ ଗାନ୍ଧିଜୀ ଲେଖିଥିଲେ, 'ଓଡ଼ିଶାରେ କଙ୍କାଳମାନ ଦେଖିବାକୁ ମୁଁ ପ୍ରସ୍ତୁତ ହୋଇ ଯାଇଥିଲି। ମାତ୍ର ଅବସ୍ଥା ଏତେ ଶୋଚନୀୟ ବୋଲି ମୋର ଧାରଣା ନ ଥିଲା, ମୁଁ ଭୟଙ୍କର ଦୃଶ୍ୟ ଦେଖିଲି….. ସେମାନେ ଚିତ୍କାର କରି ଅତି କରୁଣ ସ୍ୱରରେ କହୁଥିଲେ ଆମର ଖାଦ୍ୟ ଲୋଡ଼ା। ଆଉ କେତେକ କହୁଥିଲେ ଦର କେବେ କମିବ। ମୁଁ ଜାଣିଲି ଯେ ବହୁ ଲୋକଙ୍କ ପାଇଁ ସ୍ୱରାଜର ଅର୍ଥ ଶସ୍ତାରେ ଅନ୍ନ ବସ୍ତ୍ର ମିଳିବା….. ଏଠି ମୋର କଲିଜା ଛିଣ୍ଡିଗଲା ପରି ଲାଗିଲା। ଏଠାରେ ଯାହା ଘଟିଛି ତାହା ଯଦି ଘଟିଚାଲେ, ଅର୍ଥାତ୍‍ ଲୋକେ ଦୁର୍ଭିକ୍ଷ ପୀଡ଼ିତ ହୋଇ ଖାଦ୍ୟ ନ ପାଇ ଉପାସରେ ମରନ୍ତି ତା' ହେଲେ ସ୍ୱରାଜ୍ୟ ଆମେ ପାଇଲୁ କି ନାହିଁ ଏଥିରେ କି ପାର୍ଥକ୍ୟ ରହିବ? ଯଥାର୍ଥ ସ୍ୱରାଜ୍ୟରେ କୌଣସି ଜଣେ ହେଲେ ବ୍ୟକ୍ତିଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଭୋକିଲା କିମ୍ବା ଲଙ୍ଗଳା ରହିବାକୁ ଦିଆଯିବ ନାହିଁ।' ପରେ ଆଉଠାଏ ଗାନ୍ଧିଜୀ ଲେଖିଛନ୍ତି, 'ସମଗ୍ର ଭାରତ ଭିତରେ ଓଡ଼ିଶା ମୋର ପ୍ରିୟତମ ସ୍ଥାନ…… ଓଡ଼ିଶାର କିଛି ସେବା କରିପାରିଲେ ଭାରତର ସେବା କରିପାରିବି ବୋଲି ମୁଁ ଉପଲବ୍ଧି କରିଛି। ତେଣୁ ଓଡ଼ିଶା ମୋ ପାଇଁ ହୋଇଯାଇଛି ଏକ ତୀର୍ଥଭୂମି।'
ଉତ୍କଳମଣି ଗୋପବନ୍ଧୁ ଦାସ ଓ ତାଙ୍କ ସହଯୋଗୀମାନଙ୍କ ସମ୍ପର୍କରେ ଗାନ୍ଧିଜୀ କହୁଥିଲେ ଯେ ଏଭଳି କେତେକ ତ୍ୟାଗୀ ପୁରୁଷ ମିଳିଗଲେ ଶୀଘ୍ର ସ୍ୱରାଜ୍ୟ ଆସିବ। ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ ଲେଖିଛନ୍ତି, 'ଓଡ଼ିଶାର କରୁଣ ସ୍ଥିତି ଗାନ୍ଧିଜୀଙ୍କ ମନ ଓ ପ୍ରାଣକୁ ଏଭଳି ଦୋହଲାଇ ଦେଇଥିଲା ଯେ ସେହି ବର୍ଷ ସେପ୍ଟେମ୍ବର ମାସରେ ଅଳ୍ପ ଲୁଗା ପରିଧାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।'
ଗାନ୍ଧିଜୀ ୧୯୨୧ରେ ତାଙ୍କ ପ୍ରଥମ ଓଡ଼ିଶା ଗସ୍ତ ଯେଉଁ ମୂଳଦୁଆ ପକାଇଥିଲା ତାହା ସେବା, ସଂଗ୍ରାମ ଓ ସଂସ୍କାର କ୍ଷେତ୍ରକୁ ବେଶ୍‍ ସମୃଦ୍ଧ କରିଥିଲା। ୯୯ ବର୍ଷ ତଳର ଇତିହାସର ଏହି ରୋମାଞ୍ଚକର ସ୍ମୃତିର ଦୋହନ ଏବେ ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି।

ପ୍ରହଲାଦ କୁମାର ସିଂହ
prahalladsinha@gmail.com

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Samaja Odia
Top