ଗୋପାଳପୁର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲା ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି। ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି।
ଗୁରୁବାର ରାକ୍ଷୀ ପୂର୍ଣ୍ଣମୀରେ ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଗୋଳାବନ୍ଧର ଅଧିବାସୀଙ୍କ ସଂଘର୍ଷ ଓ ତ୍ୟାଗ ଅସୀମ। ୧୯୮୪ ରେ ଆର୍ମୀ ଏୟାର ଡିଫେନ୍ସ କଲେଜ ପାଇଁ ଜମି ହସ୍ତାନ୍ତର ପରଠାରୁ ଦୀର୍ଘ ୪ ଦଶନ୍ଧି ଧରି ଅଣଦେଖା ହୋଇ ରହିଥିବା ଏହି ସମସ୍ୟାର ଆମ ସରକାର ସ୍ଥାୟୀ ସମାଧାନ କରିଛନ୍ତି। ବିଗତ ୨୪ ବର୍ଷର ଶାସନ କାଳରେ ଗଞ୍ଜାମ ଜିଲାରୁ ପ୍ରତିନିଧିତ୍ୱ କରିଥିବା ନେତୃତ୍ୱ ନୋଳିଆ ପରିବାରଙ୍କ ସ୍ୱରକୁ ଚାପି ରଖିଥିବା ବେଳେ, 'ଡବଲ ଇଞ୍ଜିନ' ସରକାର ଏହି ସମସ୍ୟା ସମାଧାନ କରିବା ପାଇଁ ପ୍ରାଥମିକତା ଦିଆଯାଇଛି। ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ଦିଗପହଣ୍ଡିର ସାନ୍ତରାପୁରଠାରେ ଥଇଥାନ କରାଯାଇ ୧୧୨ ପରିବାରକୁ ୧୦ ଡିସିମିଲ୍ ଘରବାରି ଓ ୨ ଏକର ଲେଖାଏଁ ଚାଷଜମି ଦିଆଯାଇଛି।
୯୬ ପରିବାରକୁ ପଟ୍ଟା ଦିଆଗଲା। ଆସନ୍ତା ବର୍ଷ ଶେଷ ସୁଦ୍ଧା ଛେଳିଗଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଗଞ୍ଜାମ ଓ ଗଜପତି ଜିଲାର ୬ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ବିରୋଧୀମାନେ ଦୀର୍ଘ ୨୪ ବର୍ଷ ଧରି ଗଞ୍ଜାମକୁ ନିଜର ଅଭେଦ୍ୟ ଦୁର୍ଗ ଭାବି କେବଳ ରାଜନୀତି କରିଛନ୍ତି। ବିସ୍ଥାପିତଙ୍କ ଦୁଃଖ ବୁଝିନାହାନ୍ତି। ଗଞ୍ଜାମ ଜିଲା ରାଜ୍ୟକୁ ୫ ଥର ମୁଖ୍ୟମନ୍ତ୍ରୀ ଦେଇଥିଲେ ସୁଦ୍ଧା ଗରିବ ନୋଳିଆଙ୍କ ସ୍ୱର କ୍ଷମତାର ଅଳିନ୍ଦ ପାଖରେ ପହଞ୍ଚିପାରି ନଥିଲା। ବର୍ଷ ବର୍ଷ ଧରି ଫାଇଲ୍ ତଳେ ଗୋଳାବନ୍ଧର ଭବିଷ୍ୟତ ଚାପି ହୋଇରହିଥିଲା। ଆମ ଡବଲ ଇଞ୍ଜିନ ସରକାର କେବଳ ଭାଷଣ କିମ୍ବା ପ୍ରତିଶ୍ରୁତି ନଦେଇ, ପ୍ରତ୍ୟେକ ବିସ୍ଥାପିତ ପରିବାରକୁ ସ୍ଥାୟୀ ଓ ସୁରକ୍ଷିତ ଅଧିକାର ଦେବାକୁ କାର୍ଯ୍ୟ କରିଛନ୍ତି। ବ୍ଲୁ-ଇକୋନୋମି, ଅର୍ଜିପଲ୍ଲୀ ଫିସିଙ୍ଗ ବନ୍ଦର ନବୀକରଣ, ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ଗୋପାଳପୁର ବନ୍ଦର ସମ୍ପ୍ରସାରଣ ଏବଂ ବାହୁଦାଠାରେ ୨୧,୫୦୦ କୋଟି ଟଙ୍କାର ନୂତନ ବୃହତ୍ ବନ୍ଦର ନିର୍ମାଣ ଯୋଜନା ବିଷୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଗୋପାଳପୁର ଶିଳ୍ପ ପାର୍କରେ ୪୦ ହଜାର କୋଟିରୁ ଅଧିକ ନିବେଶ ମାଧ୍ୟମରେ ୧୮ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ରାଜ୍ୟରେ ଆଗାମୀ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଥିବାରୁ ଯୁବଗୋଷ୍ଠୀଙ୍କୁ ନିଜକୁ ଦକ୍ଷ ଓ ପ୍ରଶିକ୍ଷିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା, ଗୋପାଳପୁର ଶିଳ୍ପ ପାର୍କରେ ୧୪ଟି ପ୍ରକଳ୍ପ ମାଧ୍ୟମରେ ୪୦ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ହେଉଛି ବୋଲି କହିଥିଲେ। ବାହୁଦାଠାରେ ୨୧,୫୦୦ କୋଟି ଟଙ୍କାରେ ମେଗା ବନ୍ଦର ନିର୍ମାଣ ଗଞ୍ଜାମର ବାଣିଜ୍ୟିକ ନକ୍ସାକୁ ବଦଳାଇ ଦେବ। ଏମଏସଏମଇ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ବକ୍ତବ୍ୟରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ଅାର୍ଜିପଲ୍ଲୀ ଫିସିଙ୍ଗ ବନ୍ଦରର ନବୀକରଣ ସହ ୨୮ଟି ନୂତନ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ପ୍ରତିଷ୍ଠା କରାଯାଉଥିବା କହିଥିଲେ।
ସୂଚନାଯୋଗ୍ୟ ଯେ ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ୍ ଅଧୀନରେ ୧,୩୭୧ଟି ଯୋଗ୍ୟ ପରିବାରକୁ ଆର୍ଥିକ ସ୍ୱାବଲମ୍ବନ ପାଇଁ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୬୮.୫୫ କୋଟି ଟଙ୍କାର ଏକକାଳୀନ କ୍ଷତିପୂରଣ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି। ଘର ନିର୍ମାଣ ସହାୟତା ବାବଦରେ ୪ କୋଟି ୨୫ ଲକ୍ଷ ୧୦ ହଜାର ଟଙ୍କା ଆବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଜେନା ବକ୍ତବ୍ୟ ରଖିଥିଲେ। ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ସରୋଜ କୁମାର ପାଢ଼ୀ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ରମେଶ ଚନ୍ଦ୍ର ଜେନା, ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବିଧାୟକ ନୀଳମଣି ବିଷୋୟୀ, ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ବିଧାୟକ କେ. ଅନିଲ କୁମାର, ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରା, ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢୀ ଓ ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର,ଜିଲାପାଳ ଭି. କୀର୍ତ୍ତି ଭାସନ୍ ଏବଂ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଗୋଳାବନ୍ଧ ସ଼୍ଥିତଆର୍ମି ଏଡ଼ି କଲେଜ ପରିସରରେ ପହଞ୍ଚିଥିଲେ। ସେଠାରେ ବ୍ରହ୍ମପୁର ବିଧାୟକ କେ. ଅନୀଲକୁମାରଙ୍କ ସମେତ ମନ୍ତ୍ରୀ, ସାଂସଦ ଓ ସେନା ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଧବଳେଶ୍ୱର ପୀଠକୁ ଯାଇ ସେଠାରେ ବାବା ଧବଳେଶ୍ୱରଙ୍କଠାରେ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଥିଲେ। ଏହା ସହ ଧବଳେଶ୍ୱର ମନ୍ଦିର ସମେତ ଚତୁଃପାର୍ଶ୍ବ ଉନ୍ନତିକରଣ ନିମନ୍ତେ ଶୁଭ ପ୍ରଦାନ କରିଥିଲେ। ୨.୫ କୋଟି ଟଙ୍କା ବିନିଯୋଗରେ ଉନ୍ନତିମୂଳକ କାର୍ଯ୍ୟ ଚାଲୁ ରହିଥିବାବେଳେ ଆବଶ୍ୟକ ପଡିଲେ ରାଜ୍ୟ ସରକାର ଦରକାର ପଡ଼ିଲେ ଆହୁରି ପାଣ୍ଠି ଯୋଗାଇ ଦିଆଯିବ ବୋଲି ମତପୋଷଣ କରିଥିଲେ।
ସେପ୍ଟେମ୍ବର ୨ରେ ମାଲବ୍ୟ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରେ ବଡ ସଫଳତା..
