Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଗୁଜରାଟରେ ଚାନ୍ଦିପୁରା ଭୂତାଣୁ ନେଲାଣି ୨୨ ପିଲାଙ୍କ ଜୀବନ

ସମାଜ 2 weeks ago

ହମଦାବାଦ୍‌ : ଗୁଜରାଟରେ ଚାନ୍ଦିପୁରା ଭୂତାଣୁର ଆତଙ୍କ ବଢ଼ିବାରେ ଲାଗିଛି। ବିଶେଷ କରି ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଏହା ବିପଜ୍ଜନକ ସାଜିଛି। ଏ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ଯୋଗୁଁଁ ୨୨ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ୧୮୪ ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଛି।

ସେଥିମଧ୍ୟରୁ ନମୁନା ପରୀକ୍ଷାରୁ ୩୫ ଜଣଙ୍କଠାରେ ଚାନ୍ଦିପୁରା ଭୂତାଣୁ ସଂକ୍ରମଣ ହୋଇଥିବା ନିଶ୍ଚିତ ହୋଇଛି। ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ସକ୍ରିୟ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ତତ୍ତ୍ବାବଧାନରେ ସ୍ୱାସ୍ଥ୍ୟ ବିଭାଗ ଚାନ୍ଦିପୁରା ଭୂତାଣୁଜନିତ ସ୍ଥିତି ଉପରେ ନଜର ରଖିଛି ଏବଂ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁଯାୟୀ, ବର୍ତ୍ତମାନ ୭ ଜଣ ଆକ୍ରାନ୍ତ ହସ୍ପିଟାଲର ଆଇସିୟୁରେ
ଅଛନ୍ତି। ସେମାନଙ୍କୁ ସୁପର-ସ୍ପେସାଲିଷ୍ଟ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି। ଇତିମଧ୍ୟରେ ଗାନ୍ଧୀନଗରରେ ସ୍ୱାସ୍ଥ୍ୟ ବିଭାଗ ଦଳ ରାଜ୍ୟର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଘରୋଇ ଡାକ୍ତରଖାନାର ଡାକ୍ତରମାନଙ୍କ ସହିତ ବୈଠକ କରିଛନ୍ତି। ରୋଗୀଙ୍କ ଚିକିତ୍ସା ଏବଂ ଯତ୍ନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଚାନ୍ଦିପୁରା ଭୂତାଣୁର ଚିକିତ୍ସା ପାଇଁ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନାହିଁ। ଆକ୍ରାନ୍ତଙ୍କୁ ସେମାନଙ୍କ ଲକ୍ଷଣ ଆଧାରରେ ଚିକିତ୍ସା କରାଯାଉଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।
ସଂକ୍ରମିତ ପିଲାମାନଙ୍କୁ ଗାନ୍ଧୀନଗର, ସାବରକଣ୍ଠା-ହିମ୍ମତନଗର, ପାଟନ, ରାଜକୋଟ ଏବଂ ଭାବନଗରର ସିଭିଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁରୁତରଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ନଜର ରଖି ପରୀକ୍ଷାକୁ କଡ଼ାକଡ଼ି କରିଛି ଏବଂ ସନ୍ଦିଗ୍ଧ ମାମଲାଗୁଡ଼ିକୁ ଚିହ୍ନଟ ତଥା ପୃଥକ୍‌ କରିବା ପାଇଁ କାର୍ଯ୍ୟ କରୁଛି।
ସୂଚନାଥାଉ କି ଚାନ୍ଦିପୁରା ଭାଇରସ ମୁଖ୍ୟତଃ ସ୍ୟାଣ୍ଡ୍ ଫ୍ଲାଏ(ବାଲିଆ ମାଛି) କାମୁଡ଼ା ଦ୍ୱାରା ବ୍ୟାପିଥାଏ। ଏହି ମାଛି ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଦେଖାଯାଇଥାନ୍ତି। ତେଣୁ ଲୋକଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ​‌ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଯଦି ପିଲାମାନଙ୍କ ଠାରେ ଜ୍ୱର, ବାନ୍ତି, ମୂର୍ଚ୍ଛା କିମ୍ବା ଅନ୍ୟ କୌଣସି ଗୁରୁତର ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ତୁରନ୍ତ ନିକଟତମ ଡାକ୍ତରଖାନାକୁ ଆଣିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଚାନ୍ଦିପୁରା ଭାଇରସ୍ ରେବଡୋଭିରିଡେ ଫ୍ୟାମିଲିର ଅଣୁଜୀବ। ଏହା ପଶ୍ଚିମ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତରେ ବିଶେଷକରି ମୌସୁମୀ ଋତୁରେ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ)ର ସମସ୍ୟା ସୃଷ୍ଟିକରିଥାଏ। ଏହି ଭାଇରସ୍ ବାଲିଆ ମାଛି, କେତେକ ବିଶେଷ ପ୍ରକାର ମଶା ଏବଂ ଅନ୍ୟ କିଛି କୀଟପତଙ୍ଗ ଦ୍ୱାରା ସଂକ୍ରମିତ ହୋଇଥାଏ। ଗୁଜରାଟରେ, ବାଲିଆମାଛି ଫ୍ଲେବୋଟୋମସ୍ ପାପାଟାସିକୁ ଏହି ଭାଇରସ୍‌ର ମୁଖ୍ୟ ବାହକ ବୋଲି କୁହାଯାଇଥାଏ।

ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia