ୱାଶିଂଟନ/ତେହେରାନ: ଆମେରିକା ସେନା ପକ୍ଷରୁ ଇରାନର ରାଜଧାନୀ ତେହେରାନ ନିକଟବର୍ତ୍ତୀ କରାଜ ସହରରେ ଥିବା ଏକ ନିର୍ମାଣାଧୀନ ଏକ ବୃହତ୍ ସେତୁ (ବି୧)କୁ ଧ୍ବଂସ କରାଯାଇଛି। ଉକ୍ତ ସେତୁ ତେହେରାନ ଓ କରାଜ୍ ସହରକୁ ସଂଯୋଗ କରୁଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧ୍ବଂସ ପାଇଥିବା ଉକ୍ତ ପୋଲର ଫଟୋ ଓ ଭିଡିଓକୁ ନିଜର 'ଟ୍ରୁଥ୍ ସୋସିଆଲ' ଆକାଉଣ୍ଟରେ ଅପ୍ଲୋଡ କରିଛନ୍ତି।
ଏହି ଅବସରରେ ଟ୍ରମ୍ପ କହିଛନ୍ତି ଯେ ଆଗାମୀ ଦିନରେ ଇରାନର ଏକାଧିକ ପୋଲକୁ ଉଡାଇ ଦିଆଯିବ। ଆମେରିକାର ଏହି ଆକ୍ରମଣରେ ୮ ଜଣ ପ୍ରାଣ ହରାଇଥିବାବେଳେ ୯୫ ଜଣ ଆହତ ହୋଇଛନ୍ତି ବୋଲି ଇରାନ କହିଛି। ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଗ୍ଛି ଏହି ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ନିରାଶ ହେବା ପରେ ଆମେରିକା ନିଜର ନୈତିକତା ହରାଇ ବେସାମରିକ ସ୍ଥାନକୁ ନିଶାଣ କରୁଛି ବୋଲି ଆରାଗ୍ଛି କହିଛନ୍ତି।
ସୂଚନାଯୋଗ୍ୟ ଚଳିତବର୍ଷ ଉକ୍ତ ପୋଲକୁ ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ଇରାନବାସୀ 'ଡେ ଅଫ୍ ନେଚର' ପର୍ବ ପାଳନ କରିବାକୁ ଉକ୍ତ ପୋଲ ନିକଟରେ ସମବେତ ହୋଇଥିବାବେଳେ ଏଭଳି ଆକ୍ରମଣ କାପୁରୁଷର ଲକ୍ଷଣ ବୋଲି ଅଲ୍ ଜଜିରା ଟିଭି ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଆମେରିକା ଆକ୍ରମଣରେ ଇରାନ ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡସ ନୌସେନା ଗୁଇନ୍ଦା ବିଭାଗ ମୁଖ୍ୟ ବେହନାମ୍ ରେଜାଇଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
ଅନ୍ୟପକ୍ଷରେ ଆମେରିକା ତରଫରୁ ତେହେରାନ ନିକଟବର୍ତ୍ତୀ କରାଜ ସହରରେ ନିର୍ମାଣାଧୀନ ବି୧ ପୋଲକୁ ଧ୍ବଂସ କରାଯାଇଥିବାରୁ ଇରାନ ପ୍ରତିଶୋଧ ପରାୟଣ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ୮ଟି ପ୍ରମୁଖ ପୋଲକୁ ଧ୍ବଂସ କରିବ ବୋଲି ଇରାନ ଧମକ ଦେଇଛି। ଇରାନର ହିଟ୍ ଲିଷ୍ଟରେ ଥିବା ପୋଲଗୁଡିକ ମଧ୍ୟରେ କୁଏତସ୍ଥିତ ଶେଖ ଜାବେର ଅଲ୍-ଅହମ୍ମଦ ଅଲ୍ ସବାହ୍ ସାମୁଦ୍ରିକ ପୋଲ, ସଂଯୁକ୍ତ ଆରବ ଏମିରେଟ୍ସରେ (ୟୁଏଇ) ଥିବା ଶେଖ ଜାୟେଦ ପୋଲ, ଅଲ୍ ମୁକ୍ତା ପୋଲ, ଶେଖ ଖଲିଫା ପୋଲ, ୟୁଏଇ-ବାହାରିନକୁ ସଂଯୋଗ କରୁଥିବା କିଙ୍ଗ୍ ଫୱାଦ ଲିଙ୍କିଂ ପୋଲ, ଜୋର୍ଡାନସ୍ଥିତ କିଙ୍ଗ୍ ହୁସେନ ପୋଲ, ଦାମିଆ ଓ ଆବ୍ଦାଉନ ପୋଲ ଅନ୍ୟତମ।
