କଟକ:କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ପକ୍ଷରୁ ଜଗତପୁର ଗୋଲେଇ ଛକ ନିକଟରେ ଚଢ଼ଉ କରାଯାଇ ୧୨୭ ଗ୍ରାମ ହେରୋଇନ ଜବତ କରାଯାଇଛି। ଏହି ଘଟଣାରେ ମାଲଗୋଦାମ ଥାନା ଅଧୀନ ଯୋବ୍ରା ଟିଣପିଟା ସାହିର ଏସ୍.କେ. ଇସ୍ମାଇଲ (୨୮)ଙ୍କୁ ଗିରଫ କରାଯାଇଛି। ଡି.ଏସ୍.ଇ. ବିକାଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଆଜି ଜଗତପୁର ଗୋଲେଇ ଛକ ନିକଟରେ ଚଢ଼ଉ ହୋଇଥିଲା।
ଚଢ଼ଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ୧୨୭ ଗ୍ରାମ ହେରୋଇନ ଜବତ ହୋଇଥିଲା। ଜବତ ହେରୋଇନର ଆନୁମାନିକ ବଜାର ମୂଲ୍ୟ ୧୨.୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ଏହି ଘଟଣାରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଇସ୍ମାଇଲଙ୍କୁ କୋର୍ଟରେ ହାଜର କରାଯିବା ପରେ ନ୍ୟାୟିକ ହାଜତକୁ ପଠାଯାଇଛି।ଚଢ଼ଉରେ ଅବକାରୀ ସବ୍-ଇନ୍ସପେକ୍ଟର ଶ୍ରୀଧର ସିଂହ, ଅବକାରୀ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଆଶୁତୋଷ ଜେନାଙ୍କ ସମେତ ସୌରଜିତ ନାଥ, ଯୋଗେନ୍ଦ୍ର ସାହୁ ଓ ଚନ୍ଦ୍ରମା ବାର୍ଗେ ପ୍ରମୁଖ ସାମିଲ ଥିଲେ। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।
