ନୀଳଗିରି:ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିଲେ ମହିଳା। ହଠାତ ୩ଜଣ ଡ଼କାୟତ ତାଙ୍କୁ ଅଟକାଇ କହିଲେ, 'ମାଉସୀ ପଇସା ଦିଅ'। ଅରାଜି ହେବାରୁ ମୁଣ୍ଡରେ ବନ୍ଧୁକ ଲଗାଇ ଗାଲରେ ବ୍ରହ୍ମ ଚଟକଣିଟେ ବସାଇଲେ। ମୁଣ୍ଡ ବୁଲାଇ ଦେବାରୁ ମହିଳା ଜଣକ ତଳେ ପଡ଼ିଗଲେ। ତା' ପରେ ଜଙ୍ଗଲ ଭିତରେ ମହିଳା ଓ ଡକାୟତଙ୍କ ଭିତରେ ଦୀର୍ଘ ସମୟ ଧରି ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା।
ନିଜେ ମାଡ଼ ଖାଇଲେ ପଛେ କିନ୍ତୁ ଡକାୟତଙ୍କୁ ପାନେ ଦେଇଥିଲେ। ଜଙ୍ଗଲ ଭିତରେ ମହିଳା ଜଣକ ଏକାକୀ ସେମାନଙ୍କ ସହ ଲଢ଼ି ଚାଲିଥିଲେ। ତିନି ଡକାୟତ ମହିଳାଙ୍କ ପାଖରେ ଥିବା ନଗଦ ୨ହଜାର ଟଙ୍କା, ବ୍ୟାଙ୍କ ପାସବହି, ଆଧାର କାର୍ଡ଼, ମୋବାଇଲ ପ୍ରଭୃତି ଝାମ୍ପି ଦେଇଛନ୍ତି ସତ; ହେଲେ ଯେଉଁ ବନ୍ଧୁକ ଦେଖାଇ ଡକାୟତମାନେ ଡରାଉ ଥିଲେ, ମହିଳା ଜଣକ ସାହସିକତାର ସହ ତାହାକୁ ଭାଙ୍ଗି ଦେଇଛନ୍ତି। ପାଟି ହୁରି କରିବାରୁ ଟଙ୍କା ପଇସା ଧରି ଏକ ବାଇକ୍ରେ ଡକାୟତମାନେ ଛୁ ମାରିଥିବା ବେଳେ ମହିଳା ଜଣକ କିନ୍ତୁ ସେମାନଙ୍କ ବନ୍ଧୁକରୁ ଖଣ୍ଡେ ଭାଙ୍ଗି ପାଖରେ ଧରିଛନ୍ତି। ଏଭଳି ଏକ ଚର୍ଚ୍ଚିତ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲାର ନୀଳଗିରି ଅଞ୍ଚଳରେ।
ଦୀର୍ଘ ମାସର ବ୍ୟବଧାନ ପରେ ପୁଣିଥରେ ନୀଳଗିରିର ତିନିକୋଶିଆ ଜଙ୍ଗଲରେ ଆତଙ୍କ ଖେଳିଯାଇଛି। ପୂର୍ବରୁ ଏହି ଜଙ୍ଗଲରେ ବସ ଡକାୟତି, ବାଇକ ଆରୋହୀଙ୍କୁ ଅଟକାଇ ଡକାୟତି କରିବା ନଜିର ରହିଛି। ନିଛାଟିଆ ଜଙ୍ଗଲର ସୁଯୋଗରେ ଦୁର୍ବୃତ୍ତମାନେ ଏଠାରେ ଛିନ୍ତାଇ କରିଥାନ୍ତି। ଏହି ଅଞ୍ଚଳରେ ୨ଟି ଥାନାର ବୋର୍ଡ଼ର ଅଞ୍ଚଳ ହୋଇଥିବା ଯୋଗୁ ପୁଲିସ ପାଟ୍ରୋଲିଂରେ ମଧ୍ୟ ହୁଗୁଳା ସୃଷ୍ଟି ହୁଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଯେଉଁଠି ପୁଲିସ ସୂଚନା ଫଳକ ଜରିଆରେ ଟୋଲ୍ଫ୍ରି ନମ୍ବର ଜାରି କରିଛି; ସେହିଠାରେ ହିଁ ମହିଳାଙ୍କୁ ଡକାୟତି ହୋଇଛି। ନୀଳଗିରି ବ୍ଲକ ଆମ୍ବଝର ଅଞ୍ଚଳର ମୁନି ସିଂ ନାମକ ମହିଳାଙ୍କୁ ଏହି ଡକାୟତି ହୋଇଥିବା ବେଳେ ସେ ଡକାୟତଙ୍କ ସହ ଧସ୍ତାଧସ୍ତି କରି ସେମାନଙ୍କ ବନ୍ଧୁକ ଭାଙ୍ଗି ଦେଇଛନ୍ତି। ଖବରପାଇ ବରହମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅର୍ଦ୍ଧଭଗ୍ନ ବନ୍ଧୁକକୁ ଜବତ କରିଛି। ପୁଲିସ ଏହି ଘଟଣାରେ ଅଧିକ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଖୁବ୍ଶୀଘ୍ର ଡକାୟତଙ୍କୁ ଧରାଯିବ ବୋଲି କହିଛନ୍ତି। ସେପଟେ ନିଛାଟିଆ ଜଙ୍ଗଲ ଭିତରେ ୩ଜଣ ଡକାୟତଙ୍କ ସହ ଲଢ଼ି ନିଜ ଜୀବନ ବଞ୍ଚାଇବା ସହ ସାହସିକତା ଦେଖାଇଥିବା ଏହି ଆଦିବାସୀ ମହିଳାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
