ସମାଜ ଡେସ୍କ: ଭାରତର ଜିଡିପି (ମୋଟ୍ ଘରୋଇ ଉତ୍ପାଦ)ରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ କ୍ୱାର୍ଟରରେ ଜିଡିପରେ ୭.୮ ପ୍ରତିଶତ ବୃଦ୍ଧି ଘଟିଛି, ଯାହାକୁ ନେଇ ଅର୍ଥନୀତି ବିଶେଷଜ୍ଞମାନେ ବେଶ୍ ଆଶାବାଦୀ ହୋଇପଡିଛନ୍ତି । ଏହି ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଉଦାହରଣୀୟ' ବୋଲି କହିଛନ୍ତି ।
ଗତ ୨୦୨୫-୨୬ ଆର୍ଥିକ ବର୍ଷର ଏହି କ୍ୱାର୍ଟରେ ଅଭିବୃଦ୍ଧି ଥିଲା ମାତ୍ର ୬.୯ ପ୍ରତିଶତ ବୋଲି ଭାରତୀୟ ରିଜର୍ବ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଆରବିଆଇ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଏହି ଏପ୍ରିଲ-ଜୁନ୍ କ୍ୱାର୍ଟର ପାଇଁ ଅଭିବୃଦ୍ଧି ଲକ୍ଷ୍ୟ ୭ ପ୍ରତିଶତ ରଖାଯାଇଥିବା ବେଳେ ଜିଡିପି ଅଭିବୃଦ୍ଧି ଏହି ଲକ୍ଷ୍ୟକୁ ଟପିଯାଇଛି । ପରିସଂଖ୍ୟାନ ବିଭାଗ ତଥ୍ୟ ଅନୁଯାୟୀ ରିୟଲ ଇଷ୍ଟେଟ୍, ଆଇଟି, ସେବା ଇତ୍ୟାଦି କ୍ଷେତ୍ରରେ ଅଭିବୃଦ୍ଧି ଯୋଗୁ ଜିଡିପି ଏହି ସଂଖ୍ୟା ଛୁଇଁ ପାରିଛି । ସମସ୍ତ ଭାରତୀୟଙ୍କ ମିଳିତ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
