Dailyhunt

ଜୁନ ପହିଲାରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ରେଳ ଡିଭିଜନ

ସମାଜ 1 week ago

ଭୁବନେଶ୍ବର: ପୂର୍ବତଟ ରେଳପଥ ଅଧୀନରେ ଥିବା ରାୟଗଡ଼ା ରେଳ ଡିଭିଜନ ଜୁନ ପହିଲାରୁ କାର୍ଯ୍ୟକ୍ଷମ ହେବ। ଏହି ଦିନ ରାୟଗଡ଼ା ଡିଭିଜନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ତାହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ମଙ୍ଗଳବାର ଆନ୍ଧ୍ରପ୍ରଦେଶରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଜୁନ ପହିଲାରେ ବିଶାଖାପାଟଣାରେ ଅବସ୍ଥିତ ଦକ୍ଷିଣତଟ ରେଳପଥ ଜୋନ ଆନୁଷ୍ଠାନିକ ଭାବେ କାର୍ଯ୍ୟ କରିବ।

ପୂର୍ବତଟ ରେଳପଥ ଅଧୀନରେ ଥିବା ୱାଲଟିୟର ଡିଭିଜନ ଏଥିରେ ମିଶିବ। ଏହି ପରିପ୍ରେକ୍ଷୀରେ ସେହି ଦିନ ରାୟଗଡ଼ା ଡିଭିଜନ ପାଇଁ ବିଜ୍ଞପ୍ତି ଜାରି କରାଯିବ।
ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣତଟ ରେଳପଥ ଜୋନ ବିଜ୍ଞପ୍ତି ପ୍ରକାଶ ଦିନ ନୂତନ ରାୟଗଡ଼ା ଡିଭିଜନକୁ କାର୍ଯ୍ୟକ୍ଷମ କରାଯିବ। ରାୟଗଡ଼ା ରେଳ ଡିଭିଜନ ଓଡ଼ିଶାର ରେଳ ଭିତ୍ତିଭୂମିକୁ ମଜଭୁତ କରିବ। ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଆଦିବାସୀ ବହୁଳ ଅଞ୍ଚଳର ଜନସାଧାରଣ ଉପକୃତ ହେବେ ବୋଲି କୁହାଯାଉଛି। ଏହି ଡିଭିଜନରେ କୋରାପୁଟ-ସିଙ୍ଗାପୁର ରୋଡ୍ ରେଳପଥର ୧୬୪ କି.ମି., ଥେରୁବାଲି-କୋନେରୁ ଷ୍ଟେସନର ୩୬ କି.ମି., କୋଟାଭାଲସା-କିରାଣ୍ଡୁଲ (କେ.କେ) ଲାଇନର ୪୪୨ କି.ମି., ପାରଳାଖେମୁଣ୍ଡି-ଗୁଣପୁରର ୫୩.୫ କି.ମି. ରେଳପଥ ରହିବ। ପୂର୍ବତଟର ପଲାସା-ଇଚ୍ଛାପୁରମ୍ ସେକ୍ସନକୁ ଦକ୍ଷିଣତଟ ରେଳପଥରେ ମିଶ୍ରଣ କରିବା ନେଇ ରେଳବୋର୍ଡର ନିଷ୍ପତ୍ତିକୁ ରାଜ୍ୟର ବିଭିନ୍ନ ମହଲରୁ ତୀବ୍ର ବିରୋଧ ହୋଇଥିଲା। ସରକାର ଏହା ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଅଧିକ ରାଜସ୍ବ ଦେଉଥିବା କେ.କେ ଲାଇନକୁ ରାୟଗଡ଼ା ଡିଭିଜନ ଅଧୀନରେ ରଖାଯିବ। ରାୟଗଡ଼ାରେ ନୂତନ ଡିଭିଜନର ସୃଷ୍ଟି ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବ। ନୂତନ ଡିଭିଜନରେ ନୂଆ ନିଯୁକ୍ତି, ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ସହ ସେହି ଅଞ୍ଚଳର ପ୍ରଗତିରେ ସହାୟକ ହେବ ବୋଲି ଜଣାଯାଇଛି। ୧୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ନୂତନ ରେଳ ଡିଭିଜନର ଆଧୁନିକ କାର୍ଯ୍ୟାଳୟରେ ଡିଆରଏମଙ୍କ ଅଫିସ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ଏବଂ କର୍ମଚାରୀଙ୍କ ପାଇଁ ବାସଗୃହ ସୁବିଧା ରହିବ। ପୂର୍ବରୁ ବରିଷ୍ଠ ରେଳ ଅଧିକାରୀଙ୍କୁ ନୂଆ ଡିଭିଜନରେ ନିଯୁକ୍ତ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia