Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କାମରେ ଆସୁନି ଆଧାର କାର୍ଡ; ନିୟମଗିରିରେ ବଢ଼ୁଛି ଡଙ୍ଗରିଆଙ୍କ ଅସନ୍ତୋଷ

ସମାଜ 2 weeks ago

​କଲ୍ୟାଣସିଂହପୁର:ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା ଛିଡ଼ା କରିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲୀ ପଞ୍ଚାୟତ ସଦରରେ ଅନୁଷ୍ଠିତ ମାଗଣା ଆଧାର କ୍ୟାମ୍ପରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି।

ପାହାଡ଼ିଆ ଅଞ୍ଚଳର ଶିଶୁମାନଙ୍କୁ ଆଭା (ABHA) ଆଇଡି, ଅଙ୍ଗନବାଡ଼ି ପୋଷଣ ଯୋଜନା ଓ ବିଦ୍ୟାଳୟରେ ନାମଲେଖାର ସୁବିଧା ପାଇଁ ଏହି କ୍ୟାମ୍ପ୍ ଆୟୋଜନ ହୋଇଥିଲା। ତେବେ ନୂତନ ଭାବେ ତିଆରି ହୋଇଥିବା ଅଧିକାଂଶ ଆଧାର କାର୍ଡରେ ପୂର୍ଣ୍ଣ ଜନ୍ମ ତାରିଖ (DOB) ବଦଳରେ କେବଳ ବର୍ଷ କିମ୍ବା ମାସ ଉଲ୍ଲେଖ ରହିଛି। ଫଳରେ ସମ୍ପୂର୍ଣ୍ଣ ତାରିଖ ନଥିବାରୁ ଏହି କାର୍ଡ କୌଣସି ସରକାରୀ ଯୋଜନାରେ ବ୍ୟବହାର ହୋଇପାରୁନାହିଁ।

​ଏହି ସମସ୍ୟା ବାବଦରେ ଆଧାର ଅପରେଟରଙ୍କୁ ପଚାରିବାରୁ ସେ କହିଛନ୍ତି, “ଚିକିତ୍ସାଳୟ ପକ୍ଷରୁ ହିତାଧିକାରୀଙ୍କୁ ଡିଜିଟାଲ୍ ଜନ୍ମ ପ୍ରମାଣପତ୍ର ବଦଳରେ ହାତଲେଖା କାଗଜ ଦିଆଯାଉଛି। ଅନ୍ୟପଟେ ଏ ସମ୍ପର୍କରେ ମେଡିକାଲ ଅଫିସର ଡାକ୍ତର ସୌମ୍ୟରଞ୍ଜନ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, “ଅରିଜିନାଲ୍ ଜନ୍ମ ପ୍ରମାଣପତ୍ର ପାଇଁ ଲୋକଙ୍କୁ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିବାକୁ ପଡ଼ିବ,ତା’ପରେ ହିଁ ସେମାନେ ମୂଳ ପ୍ରମାଣପତ୍ର ପାଇପାରିବେ। ତେବେ ଡାକ୍ତରଖାନା ଓ ପ୍ରଶାସନର ଏଭଳି ନିୟମ ଭିତରେ ନିରୀହ ଡଙ୍ଗରିଆ ପରିବାରଗୁଡ଼ିକ ନାହିଁ ନଥିବା ହଇରାଣ ହେଉଛନ୍ତି। ଏହି ଭୁଲ ସଂଶୋଧନ କରିବା ପାଇଁ ସେମାନଙ୍କୁ ଦୁର୍ଗମ ପାହାଡ଼ ଅତିକ୍ରମ କରି କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାକୁ ଯିବା ସହ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଶିବିର ଜରିଆରେ ଉଭୟ ଡିଜିଟାଲ୍ ଜନ୍ମ ପ୍ରମାଣପତ୍ର ଓ ଆଧାର ସଂଶୋଧନ ସୁବିଧା ଯୋଗାଇଦେବାକୁ ସ୍ଥାନୀୟ ବାସିନ୍ଦା ଦୃଢ଼ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia