ପାଟଣା : ପାଖରେ ନକଲି ବନ୍ଧୁକ ରଖି ୪ଟି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଚୋରି। ଚତୁରତାର ସହ ଗାଡ଼ିରେ ଲଗାଇଥିଲେ ନକଲି ନମ୍ବର ପ୍ଲେଟ। ଶେଷରେ ପୁଲିସ ହାତରେ ଧାରା ପଡ଼ିଲେ।
ଘଟଣା ଅନୁସାରେ, ଗତ ମାର୍ଚ୍ଚ ୨୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ୨୪ଘଣ୍ଟା ମଧ୍ୟରେ ୪ଟି ପେଟ୍ରୋଲ ପମ୍ପରୁ ସମାନ ଢଙ୍ଗରେ ଚୋରି ହୋଇଥିଲା। ଘଟଣାରେ ୨ଜଣଙ୍କୁ ପଣ୍ଡାପଡ଼ା ପୁଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ କାର ଓ ଖେଳଣା ବନ୍ଧୁକ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
୨୧ତାରିଖ ସନ୍ଧ୍ୟା ୬. ୩୦ରେ ବାଙ୍କପାଟୁଳର ଶ୍ରୀ ଗଣେଶ ଫିଲିଙ୍ଗ ଷ୍ଟେସନକୁ ଗୋଟିଏ କାରରେ ଡ୍ରାଇଭର ସମେତ ଦୁଇ ଜଣ ଯାଇ ୧୭ହଜାର ଟଙ୍କାର ତେଲ ନେଇ ବିଲ ମାଗିଥିଲେ। ବିଲ ଦେବା ସମୟରେ ଏହି ଦୁଇଜଣ ଅପରାଧୀ ଗାଡି ଷ୍ଟାର୍ଟ କରି ଦ୍ରୁତ ଗତିରେ ଚମ୍ପଟ ମାରିଥିଲେ। ପରେ ସନ୍ଧ୍ୟା ୭ଟାରେ କଟରାବେଡାରେ ଥିବା ଦିବ୍ୟାଂଶୁ ଫିଲିଙ୍ଗ ଷ୍ଟେସନ ୧୮ହଜାର ଟଙ୍କାର ତେଲ ନେଇ ଅନୁରୂପ ଭାବେ ଚମ୍ପଟ ମାରିଥିଲେ। ରବିବାର ସନ୍ଧ୍ୟା ୬.୪୦ରେ ସାନମସିଣାବିଲାର ଜଗା ତାରିଣୀ ଫିଲିଙ୍ଗ ଷ୍ଟେସନରୁ ୧୭ହଜାର ୮ ଶହ ଟଙ୍କାର ପେଟ୍ରୋଲ ଓ ସନ୍ଧ୍ୟା ୭.୪୦ରେ ବୃନ୍ଦାବନ ଫିଲିଙ୍ଗ ଷ୍ଟେସନରୁ ୧୫ ହଜାର ଟଙ୍କାର ତେଲ ନେଇ ଫେରାର ହୋଇଥିଲେ। ଘଟଣାକୁ ନେଇ ପଣ୍ଡାପଡା ଥାନା କେସ୍ ନମ୍ବର ୮୫/୨୬ରେ ମାମଲା ରୁଜୁ କରିଥିଲା।
ତେବେ ମାର୍ଚ୍ଚ ୨୬ ସନ୍ଧ୍ୟା ୬.୧୧ରେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ପତଣ୍ଡା ଗ୍ରାମର ଦୀପଙ୍କର ପଣ୍ଡା ଏବଂ ରାଜେଶ ପଣ୍ଡା ଏକ ହୁଣ୍ଡାଇ କାରରେ ପଣ୍ଡାପଡାର ମା କାଳୀ ଫିଲିଂ ଷ୍ଟେସନକୁ ଯାଇଥିଲେ। କାରରେ ୧୫ ଶହ ଟଙ୍କାର ପେଟ୍ରୋଲ ଏବଂ ୧୬ ହଜାର ଟଙ୍କାର ପେଟ୍ରୋଲ ପ୍ଲାଷ୍ଟିକ୍ ଜାର୍କିନରେ ଭର୍ତ୍ତି କରିଥିଲେ। ପରେ ସମାନଢଙ୍ଗରେ ପଳାଇଥିଲେ। ଏସମ୍ପର୍କରେ ପୁଲିସରେ ସୂଚନା ଦିଆଯିବା ପରେ ଶୁକ୍ରବାର ଭୋର ସମୟରେ କୁଆଝରଣ ଜଙ୍ଗଲରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୁଲିସ।
