Wednesday, 08 Apr, 6.32 am ସମାଜ

ହୋମ
କରୋନା ଉପରେ ତାପମାତ୍ରାର ପ୍ରଭାବ

ଆଗରୁ ବିଶ୍ୱବାସୀ ସମ୍ମୁଖୀନ ହୋଇଥିବା ସାଇନ୍‌ଫ୍ଲୁ ବାର୍ଡଫ୍ଲୁ ଏବଂ ଇବୋଲା ଫ୍ଲୁକୁ ପଛରେ ପକାଇ କରୋନା ମାନବଜଗତ ଉପରେ ଆତଙ୍କ ଖେଳାଇ ଚାଲିଛି। ଆଶଙ୍କା କରାଯାଉଛି ଯେ ୨କୋଟିରୁ ଅଧିକ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହେବେ ଏବଂ ୪ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିବେ।
ଭାରତ ଭଳି ଗ୍ରୀଷ୍ମପ୍ରଧାନ ଦେଶରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିବ ବୋଲି ଆଶା କରାଯାଉଛି। ବିଗତ ବର୍ଷର ବିଭିନ୍ନ ଭୂତାଣୁଜନିତ ରୋଗର ବିଶ୍ଲେଷଣ କଲେ ଜଣାପଡୁଛି ଯେ ଭାରତରେ ଆଗରୁ ଦେଖାଯାଇଥିବା ସ୍ବାଇନଫ୍ଲୁ ଏବଂ ବାର୍ଡଫ୍ଲୁ ସାଧାରଣତଃ ଶୀତଋତୁରେ ହୋଇଥାଏ। ଗ୍ରୀଷ୍ମ ଋତୁରେ ଏହାର ପ୍ରଭାବ କମିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହୁଛି ଭୂତାଣୁଜନିତ ଜ୍ୱର ରୋଗ ଗ୍ରୀଷ୍ମପ୍ରଧାନ ଅଂଚଳରେ ଶୀତ ଋତୁରେ ହୋଇଥାଏ। କରୋନା ମଧ୍ୟ ଏକ ଭୂତାଣୁଜନିତ ଜ୍ୱର ରୋଗ। ଏହା ମଧ୍ୟ ଶୀତ ଋତୁରେ ଆରମ୍ଭ ହୋଇଛି ଏବଂ ଗ୍ରୀଷ୍ମପ୍ରଧାନ ଦେଶରେ ଏହାର ପ୍ରଭାବ କମ୍ ରହିଛି। ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ସହିତ କରୋନାର ପ୍ରଭାବ କମିଛି।
ଭାରତ ସହିତ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ଥାଇଲାଣ୍ଡ, ସାଉଦି ଆରବ, ପାକିସ୍ତାନ, ସିଙ୍ଗାପୁର, ମାଳଦ୍ୱୀପ ଏବଂ ମ୍ୟାଁ ମ୍ୟାର ଭଳି ଦେଶ ଯେଉଁଠାରେ ବାୟୁମଣ୍ଡଳର ତାପମାତ୍ରା ୩୦ଡିଗ୍ରୀ ପାଖାପାଖି ଅଛି ସେଠାରେ କରୋନା ରୋଗୀଙ୍କ ସଂଖ୍ୟା ଶୀତପ୍ରଧାନ ଦେଶ ଅପେକ୍ଷା କମ୍ ଥିବାବେଳେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ଅଙ୍କରେ ସୀମିତ ଅଛି। ଆଫ୍ରିକା ମହାଦେଶର ୫୪ଟି ଦେଶ ମଧ୍ୟରୁ ଆଲଜେରିଆ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ୍‌କୁ ଛାଡି ଅନ୍ୟ ସବୁ ଦେଶରେ ବର୍ତ୍ତମାନ ତାପମାତ୍ରା ପ୍ରାୟ ୨୫ଡିଗ୍ରୀ. ପାଖାପାଖି ଅଛି। ଦୁଇଟି ଆଫ୍ରିକୀୟ ଦେଶ ଦକ୍ଷିଣ ସୁଦାନ ଏବଂ ଲେସ୍ଥୋ ରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ହୋଇନାହିଁ। ଆଫ୍ରିକାର ୨୧ଟି ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨ଅଙ୍କରେ ସୀମିତ ଥିବା ବେଳେ ୧୪ଟି ଦେଶରେ ରୋଗୀ ସଂଖ୍ୟା ୧ ଅଙ୍କରେ ସୀମିତ ଅଛି। ସେହିପରି ୨୦ଟି ଆଫ୍ରିକୀୟ ଦେଶରେ କୌଣସି କରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ।

ଅନ୍ୟ ପକ୍ଷରେ ଭାରତ କଥା ଯଦି ଦେଖିବା ଏଠାରେ ଜାନୁଆରୀ ୩୦ ତାରିଖ ଦିନ ଦେଶର ପ୍ରଥମ କରୋନା ରୋଗୀ ଚିହ୍ନିତ ହୋଇଥିଲେ। ଫେବୃଆରୀ ୨ ତାରିଖରେ ୨ୟ ରୋଗୀ ଏବଂ ୩ ତାରିଖରେ ୩ୟ ରୋଗୀ ଚିହ୍ନଟ ହୋଇଥିଲେ। ମାର୍ଚ୍ଚ ୫ ତାରିଖ ବେଳକୁ ଏହି ସଂଖ୍ୟା ୩୮ରେ ପହଞ୍ଚିଥିଲା। ମାର୍ଚ୍ଚ ୧୩ ତାରିଖରେ ଦେଶର ପ୍ରଥମ କରୋନା ରୋଗୀର ମୃତ୍ୟୁ ଘଟିଥିଲା ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ତା'ର ରିପୋର୍ଟରେ ପ୍ରକାଶ କରିଛି। ସେହିପରି ମାର୍ଚ୍ଚ ୧୫ ତାରିଖ ବେଳକୁ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଥିଲା। ଏପ୍ରିଲ୍ ୩ତାରିଖ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪୦୬୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଛି। ତେବେ ଏଠାରେ ଗୋଟିଏ କଥା ଦେଖିବାର ଅଛି ଯେ କରୋନା ଭୟରେ ଅଧିକ ସଂକ୍ରମିତ ଦେଶରୁ ଭାରତକୁ ଲକ୍ଷାଧିକ ଲୋକ ଫେରିଆସିଛନ୍ତି। ଚୀନ୍‌ରୁ ମଧ୍ୟ ଭାରତକୁ ଶହଶହ ଲୋକ ଫେରିଛନ୍ତି। ଏପରି ସ୍ଥଳେ କରୋନା ଆକ୍ରାନ୍ତ ସଂଖ୍ୟା ଏବଂ ତଜ୍ଜନିତ ମୃତ୍ୟୁ ସଂଖ୍ୟା ଶୀତ ପ୍ରଧାନ ଦେଶଠାରୁ କ'ଣ କମ୍ ନୁହେଁ?

ଓଡ଼ିଶାରେ ମାର୍ଚ୍ଚ ୧୪ ତାରିଖରେ ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା। ଇଟାଲିରୁ ଫେରିଥିବା ଏହି ରୋଗୀ ଜଣଙ୍କ ପ୍ରାୟ ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଥିଲା ଘରେ ବାପ-ମା'ଙ୍କ ସାଙ୍ଗରେ ରହିବା ସହିତ ଏକ ଘରୋଇ କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥିଲା। ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲା ସେମାନଙ୍କ ମଧ୍ୟରୁ ନିଜ ବାପା ମା' ଏବଂ ଘରୋଇ ଡାକ୍ତର କରୋନାରେ ସଂକ୍ରମିତ ହୋଇନାହାନ୍ତି ବୋଲି ମେଡିକାଲ ରିପୋର୍ଟ ଆସିଛି। ଏହି ବ୍ୟକ୍ତି ଭୁବନେଶ୍ୱରର ଯେଉଁ ଅଂଚଳରେ ରହୁଥିଲେ ଏପର୍ଯ୍ୟନ୍ତ ସେ ଅଂଚଳର କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୋଇନାହାନ୍ତି ଏବଂ ରାଜ୍ୟର ପ୍ରଥମ କରୋନା ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟର ୨ୟ ସଂକ୍ରମିତ ବ୍ୟକ୍ତି ଯେ କି ଇଂଲଣ୍ଡରୁ ଆସିଥିଲେ ଏବଂ ତାଙ୍କ ସଂସ୍ପର୍ଶରେ ୪୬ରୁ ଅଧିକ ବ୍ୟକ୍ତି ଆସିଥିଲେ। ରାଜ୍ୟର ଦ୍ୱିତୀୟ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥହୋଇ ଘରକୁ ଫେରିଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ କରୋନା‌େ‌ର ସଂକ୍ରମିତ ହେବାର ସୂଚନା ନାହିଁ। ସେହିପରି ରାଜ୍ୟର ୩ୟ ସଂକ୍ରମଣ ବ୍ୟକ୍ତି ଯେ କି ସର୍ବାଧିକ ୧୨୪ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସେତେବେଳେ କୁହାଯାଉଥିଲା ଏହି ବ୍ୟକ୍ତିଜଣଙ୍କ ବୋଧହୁଏ ରାଜ୍ୟରେ କରୋନାର ସୁପର ​‌​‌ସ୍ପ୍ରେଡ୍‌ର ହେବେ। ହେଲେ ତାଙ୍କ ସହିତ ଦିଲ୍ଲୀରୁ ସାଙ୍ଗ ହୋଇ ଫେରିଥିବା ତାଙ୍କ ସ୍ତ୍ରୀ ଓ ଝିଅ ଏବଂ ଯେଉଁ ବିଧାନ ସଭାର ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ସେ ସମସ୍ତଙ୍କର କରୋନା ନେଗେଟିଭ୍ ରିପୋର୍ଟ ଆସିଛି। ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରାୟ ୮୦ହଜାର ବ୍ୟକ୍ତି କରୋନା ଭୟରେ ଫେରିଥିବା ବେଳେ ବିଦେଶରୁ ୪ହଜାରରୁ ଅଧିକ ବ୍ୟକ୍ତି ରାଜ୍ୟକୁ ଆସିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଜଣେ କରୋନା ରୋଗୀ ଅତି କମରେ ଦୁଇଜଣଙ୍କୁ ସଂକ୍ରମିତ କରିଥାଏ। ରାଜ୍ୟରେ ତାପମାତ୍ରା ୩୫ଡିଗ୍ରୀରୁ ଅଧିକ ଥିବାରୁ ଏପରି ହୋଇନାହିଁ।

ଆମ୍ଭେ ସମସ୍ତେ ଜାଣିଛୁ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ଆମ ଦେଶରେ ସୂର୍ଯ୍ୟଙ୍କର ପୂଜା ବହୁତ ମାତ୍ରାରେ କରାଯାଇଥାଏ। ସୂର୍ଯ୍ୟଙ୍କ କିରଣ ଜୀବାଣୁ ଏବଂ ଭୂତାଣୁକୁ ମାରି ବାୟୁମଣ୍ଡଳକୁ ମୁକ୍ତ କରିଥାଏ। ଏହାଛଡା ସୂର୍ଯ୍ୟକିରଣ ମଣିଷ ଶରୀରରେ ଭିଟାମିନ୍-ଡି କ୍ୟାଲସିୟମ ଏବଂ ଫସଫରସ୍ ପ୍ରସ୍ତୁତ କରି ଶରୀରର ରୋଗ ପ୍ରତିଷେଧକ କାର୍ଯ୍ୟରେ ସହାୟକ ହୋଇଥାଏ। ତାପମାତ୍ରା ବଢ଼ିବା ସହିତ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ହେଉଛି ଏହା ତଥ୍ୟ ଭିତ୍ତିକ ଯୁକ୍ତି ! ଏହା ବୈଜ୍ଞାନିକସମ୍ମତ ନୁହେଁ। ଯୁକ୍ତିର ସତ୍ୟାସତ୍ୟ କରୋନା ଭୂତାଣୁର ସଂକ୍ରମଣ ହ୍ରାସ ପରେ ଜଣାପଡିବ। ସେ ପର୍ଯ୍ୟନ୍ତ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ନିଜ ସହିତ ନିଜ ପରିବାର, ବନ୍ଧୁବାନ୍ଧବ, ରାଜ୍ୟବାସୀ, ଦେଶବାସୀ ଏବଂ ବିଶ୍ୱବାସୀଙ୍କ ସୁରକ୍ଷା ପାଇଁ ଆମକୁ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ସରକାରଙ୍କ ମାର୍ଗଦର୍ଶିକା ମାନି କାର୍ଯ୍ୟକରିବା ଆବଶ୍ୟକ।

ଅଶୋକ କୁମାର ବରାଳ
ପ୍ଲଟ୍ ନଂ.୧୩୫୦, ପାଇକନଗର, ଭୁବନେଶ୍ୱର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Samaja Odia
Top