ପାରାଦ୍ୱୀପ : ପାରାଦ୍ବୀପ ବନ୍ଦରଠାରୁ ପ୍ରାୟ ୩୦୦କିଲୋମିଟର ଦୂର ସମୁଦ୍ରରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଓସନ ୱିନରକୁ ଠାବ କରାଯାଇପାରିନାହିଁ। ଜାହାଜକୁ ନେଇ ରହସ୍ୟ ବଢି ଚାଲିଥିବାବେଳେ ଉଦ୍ଧାର ହୋଇଥିବା ୨ଜଣ କ୍ରୁ ସଦସ୍ୟ ପାନ ଟଙ୍ଗଲାଇ ଓ ଚେନ ଜିଆନେ ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ତଟରଖି ବାହିନୀ ଗୁରୁବାର ପାରାଦ୍ବୀପକୁ ଆଣିଛନ୍ତି।
ଉଭୟଙ୍କୁ ପଚରାଉଚରା କରାଯାଉଛି। ଜାହାଜ ବୁଡି ସଂକ୍ରାନ୍ତରେ ଉଭୟଙ୍କଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରି ନିଖୋଜ ଜାହାଜକୁ ଠାବ କରିବା ସହଜ ହେବ ବୋଲି ତଟରଖି ବାହିନୀର ବରିଷ୍ଠ ସଦସ୍ୟମାନେ ଆଶାପ୍ରକାଶ କରିଛନ୍ତି। ପ୍ରକାଶ ଯେ, ପାରାଦ୍ବୀପ ବନ୍ଦରରୁ ଲୁହାପଥର ବୋେଝଇ କରି ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିବା ପାନାମା ଜାହାଜ ଓସନ ୱିନର ମଝି ସମୁଦ୍ରରେ ବୁଡି ଯାଇଥିଲା। ଜାହାଜରେ ୨୪ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏବେ ବି ୨୨ଜଣ କ୍ରୁ ସଦସ୍ୟ ନିଖୋଜ ରହିଥିବାବେଳେ ଜାହାଜ ସମ୍ପର୍କରେ କୌଣସି
ତଥ୍ୟ ହାସଲ କରାଯାଇନାହିଁ। ଗତକାଲି ଜାହାଜରେ ଥିବା ଏକ ଲାଇଫ ବୋଟକୁ ତଟରଖୀ ବାହିନୀ ଉଦ୍ଧାର କରିଥିଲେ।
ଗୁରୁବାର ଦୁଇ କ୍ରୁ-ସଦସ୍ୟ ପାନ ଟଙ୍ଗଲାଇ ଓ ଚେନ ଜିଆନେଙ୍କୁ କୋଷ୍ଟଗାର୍ଡ ଅଧିକାରୀ ପାରାଦ୍ବୀପ ଆଣିବା ପରେ ଏମଭି ଓସନ ୱିନରର ବୁଡ଼ିବା ଅସଲ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।
ସୂଚନାଥାଉ କି, ୨୦ ତାରିଖରେ ପାରାଦ୍ବୀପରୁ ଲୁହାପଥର ନେଇ ସିଙ୍ଗାପୁର ଯାଉଥିବା ପଣ୍ୟବାହୀ ଜାହାଜ ଏମ୍ଭି ଓସନ୍ ୱିନର ପାରାଦ୍ବୀପ ଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ନିଖୋଜ ହୋଇଯାଇଥିଲା। ଜାହାଜରେ ଥିବା ୨୪ ଜଣ କ୍ରୁ-ସଦସ୍ୟଙ୍କ ମଧ୍ୟରୁ ୨ ଜଣଙ୍କୁ ଏକ ତୈଳବାହୀ ଜାହାଜ ଉଦ୍ଧାର କରି କୋଷ୍ଟଗାର୍ଡକୁ ହସ୍ତାନ୍ତର କରିଥିଲେ। ଜାହାଜ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ଚୀନର ୨ଟି ଜାହାଜ ସାମିଲ ଅଛନ୍ତି। ଦୁଇ କ୍ରୁ-ସଦସ୍ୟ ପାରାଦ୍ବୀପରେ ପହଞ୍ଚିବା ପରେ ଇମିଗ୍ରେସନ ବିଭାଗର ଏକ ସ୍ବତନ୍ତ୍ର ଟିମ୍, ପାରାଦ୍ବୀପ ଅତିରିକ୍ତ ଏସପି ଆଜିଙ୍କ୍ୟ ମାଣେ ଓ ସିଆଇଏସଏଫ ଅଧିକାରୀ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ଉଭୟଙ୍କୁ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଇମିଗ୍ରେସନ ବିଭାଗ ପକ୍ଷରୁ ଜାହାଜ ମାଲିକଙ୍କ ଦ୍ବାରା ନିଯୁକ୍ତ ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି। ଉକ୍ତ ଏଜେନ୍ସି ଉଭୟଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ପାରାଦ୍ବୀପର ଏକ ହୋଟେଲରେ ରଖାଯାଇଛି। ସେଠାରେ ଇମିଗ୍ରେସନ ବିଭାଗ, ଓଡ଼ିଶା ପୁଲିସ ଓ କୋଷ୍ଟଗାର୍ଡ ପକ୍ଷରୁ ଉଭୟଙ୍କୁ ଓସନ ୱିନର ବୁଡ଼ିବାର କାରଣ, ନିଖୋଜ ୨୨ ଜଣ କ୍ରୁ-ସଦସ୍ୟଙ୍କ ବିଷୟରେ ପଚରା ଉଚରା କରାଯାଉଛି। ଉଦ୍ଧାର ଦୁଇ ସଦସ୍ୟ ଚୀନର ହୋଇଥିବାରୁ ସେମାନଙ୍କ ଭାଷା ବୁଝିବାରେ ସମସ୍ୟା ହେଉଛି। ଜଣେ ଭାଷା ଅନୁବାଦକ ପହଞ୍ଚିବା ପରେ ତଦନ୍ତ ପ୍ରକ୍ରିୟା ଆଗେଇ ପାରିବ ବୋଲି ପୁଲିସ କହିଛି।
ସେପ୍ଟେମ୍ବର ୨ରେ ମାଲବ୍ୟ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରେ ବଡ ସଫଳତା..
