Dailyhunt

କ୍ଷମା ମାଗିଲେ କଂଗ୍ରେସ ଅଧ୍ୟକ୍ଷ

ସମାଜ 3 weeks ago

ନୂଆଦିଲ୍ଲୀ:କେରଳ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୁଜରାଟ ଲୋକଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କ୍ଷମା ମାଗିଛନ୍ତି। ସେ ଜାଣିଶୁଣି ଏଭଳି ଟିପ୍ପଣୀ ଦେଇନଥିଲେ, ଆଉ ଏହାକୁ ଜାଣିଶୁଣି ଭୁଲ୍ ଭାବେ ଦର୍ଶାଯାଉଛି, ତଥାପି ସେ ଦୁଃଖିତ ବୋଲି କହିଛନ୍ତି।

ଖଡଗେ ନିଜ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ନିକଟରେ କେରଳରେ ଦିଆଯାଇଥିବା ମୋର ଏକ ନିର୍ବଚାନୀ ଭାଷଣରେ କିଛି ଟିପ୍ପଣୀକୁ ଜାଣିଶୁଣି ଭୁଲ୍ ଭାବେ ସମାଲୋଚନା କରାଯାଉଛି।

ତଥାପି ମୁଁ ନିଜ ତରଫରୁ ଦୁଃଖ ପ୍ରକାଶ କରୁଛି । ଗୁଜରାଟର ଲୋକଙ୍କ ପାଇଁ ମୋ ମନରେ ସବୁବେଳେ ସର୍ବୋଚ୍ଚ ସମ୍ମାନ ରହିଛି ଆଉ ରହିବ । ଏଠିକାର ଲୋକଙ୍କ ଭାବନାକୁ ଆଘାତ ଦେବା ମୋର କୌଣସି ଉଦ୍ଦେଶ୍ୟ ନଥିଲା ।

ସୂଚନାଯୋଗ୍ୟ, କେରଳ ନିର୍ବାଚନ ପ୍ରଚାର ସମୟରେ ଖଡଗେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଏହି ସମୟରେ ସେ ଗୁଜରାଟ ଲୋକଙ୍କୁ ଟାର୍ଗେଟ କରିଥିଲେ । ଆଉ ଯେଉଁଥିପାଇଁ ବିବାଦ ଆରମ୍ଭ ହୋଇଥିଲା । ଖଡଗେ କହିଥିଲେ,ମୋଦି ଜୀ ଆପଣ ଗୁଜରାଟର ଅପାଠୁଆ ଲୋକଙ୍କୁ ବୋକା ବନାଇପାରନ୍ତି,କିନ୍ତୁ କେରଳ ଲୋକ ବୋକା ନୁହନ୍ତି ।

ଖଡଗେଙ୍କ ଏଭଳି ଟିପ୍ପଣୀକୁ ବିଜେପି ନେତାମାନେ ନିନ୍ଦା କରିଥିବା ବେଳେ ଖଡଗେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଏଥିରେ ସାମିଲ ଥିଲେ । ଭୂପେନ୍ଦ୍ର କହିଥିଲେ, ଏହି ଟିପ୍ପଣୀ ବହୁତ ଆପତ୍ତିଜନକ ଏବଂ ଦୁଭର୍ଗ୍ୟପୂର୍ଣ୍ଣ । ଖଡଗେ କେବଳ ୬.୫ କୋଟି ଗୁଜରାଟୀଙ୍କ ଅପମାନ କରିନାହାନ୍ତି ବରଂ ମହାତ୍ମା ଗାନ୍ଧି ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଭୂମିର ଗରିମାକୁ ମଧ୍ୟ ଆଘାତ ଦେଇଛନ୍ତି । ଏହି ଟିପ୍ପଣୀ ଯୋଗୁଁ ରାଜ୍ୟର ଜନତାଙ୍କ ଅପମାନ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia