Dailyhunt

ମେ' ୫ ଯାଏ କାଳବୈଶାଖୀ ; ବଲାଙ୍ଗିରରେ ପାରଦ ୪୩.୨ ଡିଗ୍ରୀ

ସମାଜ 1 week ago

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ତାତି ସାମାନ୍ୟ ହ୍ରାସ ପାଇଛି। ଝାରସୁଗୁଡ଼ା, ହୀରାକୁଦ ଏବଂ ସମ୍ବଲପୁର ଆଦି ଅଞ୍ଚଳରେ ପାରଦ ତଳମୁହଁା ହୋଇଛି। ବୁଧବାର ବଲାଙ୍ଗିରରେ ବୁଧବାର ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ରହିଛି। ବୌଦ୍ଧରେ ୪୨.୬, ଅନୁଗୋଳ, ତାଳଚେର ଓ ଟିଟିଲାଗଡ଼ରେ ପାରଦ ୪୨.୫, ଝାରସୁଗୁଡ଼ାରେ ୪୨.୪, ସୁବର୍ଣ୍ଣପୁରରେ ୪୨.୨, ସୁନ୍ଦରଗଡ଼, ଭବାନୀପାଟଣା ଏବଂ ନୂଆପଡ଼ାରେ ୪୨, ରାଉରକେଲାରେ ୪୧.୨, ଢେଙ୍କାନାଳରେ ୪୧, ନୟାଗଡ଼ରେ ୪୦.୮, ସମ୍ବଲପୁର, ମାଲକାନଗିରି ଓ ବରଗଡ଼ରେ ୪୦.୬, ଭୁବନେଶ୍ବରରେ ୩୮.୭ ଏବଂ କଟକରେ ୩୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ମେ' ୫ପର୍ଯ୍ୟନ୍ତ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ବୁଧବାର ଅପରାହ୍ଣରେ ପାରାଦ୍ବୀପ, କଟକ, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ସୁବର୍ଣ୍ଣପୁରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ପବନ ମଧ୍ୟ ବହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇଟି ଜିଲାର କିଛି ଅଞ୍ଚଳରେ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିପାରେ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia