Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ନିଶାସକ୍ତର ଟାଙ୍ଗିଆ ଚୋଟରେ ଜଣଙ୍କ ମୃତ୍ୟୁ

ସମାଜ 1 week ago

ଦ୍ମପୁର : ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଥିବା ବେଳେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ତଥା ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି।ନିଶା ପ୍ରଭାବରେ ମଣିଷ ହିତାହିତ ଜ୍ଞାନ ଭୁଲିଯାଇ ବିନା କାରଣରେ ଜଣଙ୍କ ଜୀବନ ନେଇଥିବା ଭଳି ଏକ ଗୁରୁତର ଘଟଣା ସ୍ଥାନୀୟ ଶ୍ରୀବଲ୍ଲଭପୁର ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତକ ଜଣକ ହେଲେ ରବି ଶବର (୩୭) ଏବଂ ଅଭିଯୁକ୍ତ ଜଣକ ହେଲେ ଶ୍ୟାମ ପରଜା। ପଦ୍ମପୁର ଥାନା ପୋଲିସ ତତ୍ପରତା ପ୍ରକାଶ କରି ହତ୍ୟାକାରୀକୁ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ​ସୂଚନା ଅନୁସାରେ, ଗତ ଶୁକ୍ରବାର ଶ୍ୟାମ ପରଜା ଏବଂ ଦୟାନିଧି ଶବର ନିଶାସକ୍ତ ଅବସ୍ଥାରେ ସାହି ମଧ୍ୟରେ ପାଟିତୁଣ୍ଡ କରୁଥିଲେ। ଏହି ସମୟରେ ଗ୍ରାମର ରବି ଶବର ସେମାନଙ୍କୁ ସାହି ଭିତରେ ଗଣ୍ଡଗୋଳ ନକରିବା ପାଇଁ ବାରଣ କରିଥିଲେ।

ଏହାକୁ ନେଇ ଦୟାନିଧି ଶବର ପଦ୍ମପୁର ଥାନାରେ ଶ୍ୟାମ ପରଜାଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଶ୍ୟାମକୁ ଥାନାକୁ ଆଣି ବୁଝାସୁଝା କରି ପରବର୍ତ୍ତୀ ସମୟରେ ଛାଡ଼ି ଦେଇଥିଲା। ତେବେ ଏହି ଘଟଣାକୁ ନେଇ ଶ୍ୟାମ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା। ​ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଗ୍ରାମରେ ଏକ ଭୋଜି ଚାଲିଥିବା ବେଳେ ସେଠାରେ ରବି ଶବର ଉପସ୍ଥିତ ଥିଲେ।

ଏହାର ସୁଯୋଗ ନେଇ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଥିବା ଶ୍ୟାମ ପରଜା ପଛ ପଟୁ ଆସି ଏକ ଟାଙ୍ଗିଆ ଦ୍ୱାରା ରବିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ରବି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ଟଳି ପଡ଼ିଥିଲେ। ଗ୍ରାମବାସୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରବିଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ପଦ୍ମପୁର ଥାନା ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଫୋରେନ୍ସିକ ଓ ଅନୁସନ୍ଧାନକାରୀ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଶ୍ୟାମ ପରଜାକୁ ଥାନା ଅଟକ ରଖିଛି। ପୂର୍ବରୁ କୌଣସି ଶତ୍ରୁତା ନଥାଇ କେବଳ ନିଶା ଜନିତ ଉତ୍ତେଜନାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia