ନୂଆଦିଲ୍ଲୀ: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କ୍ରିମି ଲେୟର (ଆର୍ଥିକ ସ୍ବଚ୍ଛଳ ବର୍ଗ) ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଗତ ମାର୍ଚ୍ଚ ୧୧ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଉପରେ ତତ୍କାଳ ଆଶ୍ବସ୍ତି ଦାବି କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆବେଦନ ଦାୟର କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏଥିପାଇଁ ମନା କରିଦେଇଛନ୍ତି।
ଆସନ୍ତା ୧୭ ତାରିଖରେ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି। ମାର୍ଚ୍ଚ ୧୧ରେ ଦେଇଥିବା ନିଷ୍ପତ୍ତିକୁ ସିଭିଲ ସର୍ଭିସ ଏଗଜାମ (ସିଏସଇ)-୨୦୨୫ ପ୍ରାର୍ଥୀଙ୍କ ଉପରେ କାର୍ଯ୍ୟକାରୀ କରିବା ନେଇ ଏହି ଆବେଦନରେ ସ୍ପଷ୍ଟୀକରଣ ମଗା ଯାଇଥିଲା। ବିଚାରପତି ପିଏସ ନରସିଂହ ଓ ଆର ମହାଦେବନଙ୍କ ଖଣ୍ଡପୀଠ କେନ୍ଦ୍ରର ଏହି ଆବେଦନ ଉପରେ ନୋଟିସ ଜାରି କରିଛନ୍ତି। ୧୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବା ପାଇଁ ସବୁ ପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।
କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ମାର୍ଚ୍ଚ ୧୧ ତାରିଖର ନିଷ୍ପତ୍ତି ଚଳିତ ବର୍ଷ କାର୍ଯ୍ୟକାରୀ କଲେ ଗମ୍ଭୀର ସମସ୍ୟା ସୃଷ୍ଟି ହେବ। ଏବେ ଆଶାୟୀ ନିଜ ପଦରେ ନିଯୁକ୍ତି ପାଇଁ ଅପେକ୍ଷା କରି ରହିଛନ୍ତି। ତାଙ୍କ ଉପରେ ଏହି ନିଷ୍ପତ୍ତିର ପ୍ରଭାବ ପଡ଼ିବ। ଓବିସି କ୍ରିମିଲେୟର ନିୟମ ଆଧାରରେ ସିଏସଇ-୨୦୨୫ର ୯୫୮ଜଣ ମନୋନୀତ ପ୍ରାର୍ଥୀଙ୍କ ସେବା ଆବଣ୍ଟନ ପ୍ରକ୍ରିୟା ପରିଚାଳନା କରିବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କଠାରୁ ଅନୁମତି ଲୋଡିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କେବଳ ପିତାମାତାଙ୍କ ଦରମା କିମ୍ବା ଆୟ ଆଧାରରେ ପ୍ରାର୍ଥୀଙ୍କୁ ଓବିସି କ୍ରିମି ଲେୟାରରେ ସାମିଲ କରାଯାଇପାରିବ ନାହିଁ। ଏଥିପାଇଁ ପିତାମାତାଙ୍କ ସ୍ଥିତି ସହିତ ଆୟ ଏବଂ ସମ୍ପତ୍ତିକୁ ମଧ୍ୟ ବିଚାର କରିବା ଆବଶ୍ୟକ।
