ଭୁବନେଶ୍ବର : ଓଡ଼ିଶା ମାରିଜୁଆନା ଚାଲାଣର ସୁରକ୍ଷିତ ପଥ ସାଜିଛି। ବିମାନବନ୍ଦର ଦେଇ ଦିନକୁ ଦିନ ମାରିଜୁଆନା ଚୋରା ଚାଲାଣ ବଢ଼ିଛି। ବର୍ଷେ ଭିତରେ ପ୍ରାୟ କୋଟିଏ ଟଙ୍କାର ମାରିଜୁଆନା ଜବତ ହୋଇଛି। ମାରିଜୁଆନା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦୀର୍ଘ ଦିନ ଧରି ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା। ତେବେ ଦଲାଲଙ୍କ ଜରିଆରେ ଏହି ବିଦେଶୀ ନିଶା ଓଡ଼ିଶାରେ ତାର କାୟା ବିସ୍ତାର କରୁଛି।
ଜର୍ମାନୀ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରୁ ଉତ୍ପାଦିତ ହେଉଥିବା ମାରିଜୁଆନାକୁ ଥାଇଲ୍ୟାଣ୍ଡର ବ୍ୟାଙ୍କ୍କ ଓ ମାଲେସିଆର କ୍ବାଲାଲୁମ୍ପୁରରୁ ଭାୟା ଓଡ଼ିଶା ଦେଇ ବିଭିନ୍ନ ରାଜ୍ୟକୁ ଚାଲାଣ କରାଯାଉଛି। ସେଠାରୁ ମାରିଜୁଆନାକୁ ବିସ୍କୁଟ, ଚକୋେଲଟ୍, ଆମ୍ବଶଢ଼ା ସହ ଅନ୍ୟ ଖାଦ୍ୟ ପଦାର୍ଥରେ ଭର୍ତ୍ତି କରି ଅଣାଯାଉଛି। ମାରିଜୁଆନା ଚାଲାଣ ଲାଗି କିଲୋ ପିଛା ୧୫ରୁ ୧୮ ଲକ୍ଷ ଟଙ୍କା ଦଲାଲ ନେଉଛନ୍ତି। ମାରିଜୁଆନା ଆସୁଥିବା ଦେଶଗୁଡ଼ିକୁ ସିଧାସଳଖ ବିମାନ ଉଡ଼ାଣ ଓ ସୁରକ୍ଷା କୋହଳ ଥିବାରୁ ଏହି ପଥ ଦେଇ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।
ସେପଟେ ଅନ୍ତର୍ଜାତୀୟ ନିଶା ମାଫିଆ ଦୁବାଇରୁ ଏହାକୁ ପରିଚାଳନା କରୁଛନ୍ତି। ଦୁବାଇରେ ଲୁଚି ଦଲାଲଙ୍କ ଜରିଆରେ ମାରିଜୁଆନା ଓଡ଼ିଶାକୁ ପଠାଉଥିବା ଏକାଧିକ ମାଷ୍ଟରମାଇଣ୍ଡ୍ଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ମାଟିରେ ଚାଷ କରାଯାଉଥିବା ପାରମ୍ପରିକ ଗଞ୍ଜେଇ ପରି ଏହି ମାରିଜୁଆନା ଚାଷ କରାଯାଏନି। ମାରିଜୁଆନାକୁ ଘର ଭିତରେ ନିୟନ୍ତ୍ରିତ ତାପମାତ୍ରାରେ ଚାଷ କରାଯାଏ।
ଥାଇଲ୍ୟାଣ୍ଡରୁ ଆସୁଥିବା ଏହି ମାରିଜୁଆନାକୁ ପ୍ରାୟତଃ ଗରିବ ଲୋକଙ୍କ କୋକେନ୍ କୁହାଯାଏ। ବିଶେଷକରି ଦକ୍ଷିଣ ରାଜ୍ୟଗୁଡ଼ିକରେ ରେଭ୍ ପାର୍ଟିଗୁଡ଼ିକରେ ମାରିଜୁଆନା କ୍ରମଶଃ ଲୋକପ୍ରିୟ ହୋଇଛି। ମାରିଜୁଆନା ଚାଲାଣ ରୋକିବା ଲାଗି ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (ଡିଆର୍ଆଇ), ନାର୍କୋଟିକ୍ସ କେଣ୍ଟ୍ରାଲ ବ୍ୟୁରୋ (ଏନ୍ସିବି), ସୀମାଶୁଳ୍କ ବିଭାଗ(କଷ୍ଟମ୍ସ), ସ୍ବତନ୍ତ୍ର କାର୍ଯ୍ୟବଳ(ଏସ୍ଟିଏଫ୍) ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଚଢ଼ଉ କରିବା ଲାଗି ଖସଡ଼ା ପ୍ରସ୍ତୁତ ହୋଇଛି। ଯୁବପିଢ଼ିଙ୍କ ମଧ୍ୟରେ ଏହି ମାରିଜୁଆନା ସେବନ ଗତବର୍ଷ ଅପେକ୍ଷା ୩% ବଢ଼ିଥିବା ଏନ୍ସିବିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
