ପଶ୍ଟିମବଙ୍ଗ:ବିଧାନସଭା ନିର୍ବାଚନ ବେଳେ ରାଜ୍ୟର ମାଲଦା ଜିଲ୍ଲାରେ ନ୍ୟାୟିକ ଅଧିକାରୀଙ୍କୁ ଘେରାବନ୍ଦୀ କରିବା ମାମଲାରେ ସୁପ୍ରିମକୋର୍ଟ ପଶ୍ଟିମବଙ୍ଗ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ଏହି ମାମଲାର ଶୁଣାଣି ସମୟରେ କୋର୍ଟ ସିଧାସଳଖ ରାଜ୍ୟର ମୁଖ୍ୟ ସଚିବଙ୍କୁ ପ୍ରଶ୍ନ କରିଥିଲେ, 'ଫୋନ୍ କାହିଁକି ଉଠାଉନାହଁ?' ଶୁଣାଣି ସମୟରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲା ଯେ ଏହି ଘଟଣାକରେ ଏ ପର୍ଯ୍ୟନ୍ତ ୧୧ ମାମଲା ରୁଜ୍ଜୁ ହୋଇସାରିଛି।
ଏନଆଇଏ କହିବା ଅନୁଯାୟୀ,ଏହି ମାମଲାରେ ଦାଏର ହୋଇଥିବା ଅଭିଯୋଗ ମଧ୍ୟରୁ ତିନୋଟି ନ୍ୟାୟିକ ଅଧିକାରୀଙ୍କୁ ଧମକ ଏବଂ ତାଙ୍କୁ ବେଆଇନ ଭାବରେ ବନ୍ଧକ ରଖିବା ସହ ଜଡି଼ତ। ଯାଞ୍ଚ ଏଜେନ୍ସି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ବି. ରାଜୁ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ଜଣେ ମହିଳା ବିଚାରପତିଙ୍କୁ ତାଙ୍କ କାର୍ଯ୍ୟକ୍ରମ ସ୍ଥଳରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଏକଥା ଶୁଣିବା ପରେ କୋର୍ଟ ପ୍ରଶ୍ନ କରିଥିଲେ ଯେ ସେ, ସେହି ମହିଳା ବିଚାରପତି କି ଯିଏ ଭିଡିଓରେ କାନ୍ଦୁଥିବା ଦେଖାଯାଉଛନ୍ତି।
ଏନଆଇଏ ଏହା ମଧ୍ୟ କହିଛି ଯେ ମହିଳା ଅଧିକାରୀଙ୍କୁ ପ୍ରବେଶ କରିବାକୁ ବାରଣ କରିବା ପାଇଁ ପ୍ରଥମ, ଘେରାବନ୍ଦୀ ପାଇଁ ଦ୍ୱିତୀୟ ଏବଂ ସ୍ଥାନୀୟ ପୋଲିସ ଦ୍ୱାରା ଅବହେଳା ପାଇଁ ତୃତୀୟ ଅଭିଯୋଗ ଦାଏର ହୋଇଥିଲା। ବିଭିନ୍ନ ଅଞ୍ଚଳରେ ଅବରୋଧ ପାଇଁ ଆହୁରି ୯ ଅନ୍ୟ ଅଭିଯୋଗ ଦାଏର କରାଯାଇଛି। ମୋଟ ୧୧ ମାମଲାରେ ତଦନ୍ତାଧିନ ରହିଛି। ଯେଉଁଥିରେ ୨୪ ଜଣଙ୍କୁ ଗିରଫ କରାଯାଇଛି।ଏପର୍ଯ୍ୟନ୍ତ ୩୦୯ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ୪୩୨ ଜଣଙ୍କ କଲ୍ ଡିଟେଲ୍ ରେକର୍ଡ ବିଶ୍ଳେଷଣ କରିବା ପାଇଁ ଦାବି କରାଯାଇଛି। ବର୍ତ୍ତମାନ ସ୍ଥାନୀୟ ପୋଲିସ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉଥିଲା। ଏବେ ଏନଆଇଏ ସମସ୍ତ ମାମଲା ହାତକୁ ନେବା ପାଇଁ ଅନୁମତି ମାଗିଛି। ଶୁଣାଣି ବେଳେ ପକ୍ଷର ମତ ଶୁଣିବା ପରେ କୋର୍ଟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଏକ ନିର୍ଦ୍ଦେଶ ଦେଇ ସମସ୍ତ ୧୨ ମାମଲାର ତଦନ୍ତ ଏନଆଇଏ ହାତକୁ ହସ୍ତାନ୍ତର କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ମାମଲା ଏନଆଇଏ କ୍ଷେତ୍ରାଧିକାର ମଧ୍ୟରେ ଆସିନପାରେ, ହେଲେ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଗମ୍ଭୀର। କୋର୍ଟ ରାଜ୍ୟ ପୋଲିସ ବିଭାଗକୁ ତୁରନ୍ତ କେସ୍ ଡାଏରୀ ଏବଂ ତଦନ୍ତ ସହିତ ଜଡିତ ସମସ୍ତ ରେକର୍ଡ ଏନଆଇଏ ହାତକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ମଧ୍ୟ କୁହାଯାଇଛି ଯେ ଏନଆଇଏ ଏ ପର୍ଯ୍ୟନ୍ତ ଗିରଫ ହୋଇଥିବା ଲୋକଙ୍କୁ ଜେରା କରିବ। ଶୁଣାଣି ସମୟରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ସେମାନଙ୍କ ସତ୍ୟପାଠ ଦାଖଲ କରିଥିଲେ। ରାଜ୍ୟ ପୋଲିସ ରିପୋର୍ଟ କରିଛି ଯେ ଦୁଇ ଅଭିଯୁକ୍ତ ଶାହଜାହାନ କାଦରୀ ଏବଂ ମଫାତୁଲ ଇସଲାମଙ୍କୁ ଗିରଫ କରାଯାଇଛି। ହେଲେ ତଥାପି କୋର୍ଟ ରାଜ୍ୟ ପ୍ରଶାସନର ମନୋଭାବକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।ମୁଖ୍ୟ ବିଚାରପତି, ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ କହିଥିଲେ ଯେ ଆପଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତିକୁ ମଧ୍ୟ ଗମ୍ଭୀରତାର ସହ ନେଇ ନାହାଁନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ହୋଇ ମୁଖ୍ୟ ସଚିବ ସ୍ପଷ୍ଟ କରିଥିଲେ ଯେ ସେ ଦିଲ୍ଲୀରେ ଏକ ବୈଠକରେ ଥିଲେ ଏବଂ ସେ କୌଣସି ଫୋନ୍ କଲ୍ ପାଇ ନଥିଲେ। ଜଷ୍ଟିସ୍ ବାଗଚି ପାଲଟା ଜବାବ ଦେଇ କହିଥିଲେ ଯେ, “ଆପଣ ଏତେ ବଡ଼ ନୁହଁନ୍ତି ଯେ ମୁଖ୍ୟ ବିଚାରପତି ଆପଣଙ୍କ ପାଖରେ ପହଞ୍ଚି ପାରିବେ ନାହିଁ।”
ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ଫୋନ୍ କଲ୍ ଦ୍ୱାରା ଉପଲବ୍ଧ ରହିଥାନ୍ତେ ତାହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିଥାନ୍ତା। ମୁଖ୍ୟ ବିଚାରପତି ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କ୍ଷମା ମାଗିବା ଆବଶ୍ୟକ। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ପୋଲିସ ଏବଂ ପ୍ରଶାସନର ବିଫଳତା ନ୍ୟାୟିକ ଅଧିକାରୀଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା।
