ନୂଆଦିଲ୍ଲୀ:ପେଟ୍ରୋଲ୍ରେ କେତେ ପରିମାଣର ଇଥାନଲ୍ ରହିଛି ସେ ସମ୍ପର୍କରେ ପେଟ୍ରୋଲ୍ ପମ୍ପ ଓ ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ରସିଦ୍ରେ ସ୍ପଷ୍ଟ ଭାବେ ଦର୍ଶାଇବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଆବଶ୍ୟମ ନିର୍ଦେଶକ ଦେବାକୁ ହୋଇଥିବା ଏକ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଆଇନଜୀବୀ ନରେନ୍ଦ୍ର ଗୋସ୍ବାମୀଙ୍କ ତରଫରୁ ଆଗତ ଏହି ଆବେଦନରେ ଦର୍ଶାଯାଇଥିଲା ଯେ ପେଟ୍ରୋଲ୍ରେ କେତେ ପରିମାଣର ଇଥାନଲ ମିଶ୍ରଣ କରାଯାଇଛି ସେ ସମ୍ପର୍କରେ ଗ୍ରାହକଙ୍କର ଜାଣିବା ଅଧିକାର ରହିଛି।
ପେଟ୍ରୋଲ୍ରେ ଇଥାନଲର ମିଶ୍ରଣ ସମ୍ପର୍କିତ ସୂଚନା ପେଟ୍ରୋଲ୍ ପମ୍ପ ଓ ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ରସିଦ୍ରେ ରହିବା ଆବଶ୍ୟକ। ଏଥିସହ ଇଥାନଲ ମିଶ୍ରିତ ପେଟ୍ରୋଲ୍ ବ୍ୟବହାର କରିବା ଫଳରେ ଗାଡ଼ିର ମାଇଲେଜ, ଇଞ୍ଜିନ୍, ରକ୍ଷଣାବେକ୍ଷଣ ଉପରେ କି ପ୍ରକାର ପ୍ରଭାବ ପଡୁଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ପେଟ୍ରୋଲିୟମ୍ ଏବଂ ସଡ଼କ ପରିବହନ ମନ୍ତ୍ରଣାଳୟର ପ୍ରତିନିଧିଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନରେନ୍ଦ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ବିଚାରପତି ଏମ୍ଏମ୍ ସୁନ୍ଦରେଶ ଓ ପିବି ବରଲେଙ୍କଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ମନା କରିବା ସହ ଆଇନଜୀବୀ ନରେନ୍ଦ୍ର ଚାହିଁଲେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି କହିଥିଲେ।
