ନୂଆଦିଲ୍ଲୀ:ଫୁଟବଲର ସର୍ବୋଚ୍ଚ ପ୍ରତିଯୋଗିତା ଫିଫା ଫୁଟବଲ ବିଶ୍ବକପ-୨୦୨୬ ଆମେରିକା ,ମେକ୍ସିକୋ ଓ କାନାଡାରେ ଆସନ୍ତା ଜୁନ୍ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ଖେଳାଯିବ। ପ୍ରଥମ ଥର ପାଇଁ ବିଶ୍ବକପରେ ୪୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଫିଫା ଫୁଟବଲ ବିଶ୍ବକପର ଇତିହାସକୁ ଦେଖିଲେ ୧୯୩୦ରୁ ଆରମ୍ଭ ହୋଇଥିବା ହି ଫୁଟବଲ ମହାକୁମ୍ଭର ୯୬ ବର୍ଷ ମଧ୍ୟରେ ୨୨ଟି ସଂସ୍କରଣ ଶେଷ ହୋଇଛି।
ସେଥିମଧ୍ୟରୁ ବ୍ରାଜିଲ ସର୍ବାଧିକ ୫ଥର ୧୯୫୮, ୧୯୬୨, ୧୯୭୦, ୧୯୯୪ ଓ ୨୦୦୨ରେ ଚମ୍ପିଆନ ହୋଇଛି। ବିଶ୍ବ ଫୁଟବଲର ପାୱାର ହାଉସ ଭାବେ ପରିିଚିତ ବ୍ରାଜିଲ ୨୪ ବର୍ଷ ହେବ ବିଶ୍ବକପ ଟ୍ରଫି ହାତେଇ ନାହିଁ। ଦଳ ୨୦୦୨ରେ ଶେଷ ଥର ପାଇଁ ଚମ୍ପିଆନ ହୋଇଥିଲା। ବ୍ରାଜିଲ ୨୦୨୬ରେ ୨୪ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟ ରଖିଛି।
ଦଳର ତାରକା ଫରୱାର୍ଡ ନୈମାରଙ୍କ ପାଇଁ ସମ୍ଭବତଃ ଏହା ଶେଷ ବିଶ୍ବକପ ହେବ। ନୈମାର ବିଶ୍ବକପ ଟ୍ରଫି ପୂରଣ କରିବା ନେଇ ଆଶା ରଖିଛନ୍ତି। ଅନ୍ୟ ଦଳ ଗୁଡ଼ିକ ମଧ୍ୟରେ ଇଟାଲି ୧୯୩୪, ୧୯୩୮, ୧୯୮୨ ଓ ୨୦୦୬ରେ ୪ଥର, ଜର୍ମାନୀ ୧୯୫୪, ୧୯୭୪, ୧୯୯୦ ଓ ୨୦୧୪ରେ ୪ଥର, ଆର୍ଜେଣ୍ଟିନା ୧୯୭୮, ୧୯୮୬ ଓ ୨୦୨୨େର ୩ଥର, ଉରୁଗୁଏ ୧୯୩୦ ଓ ୧୯୫୦ରେ ଦୁଇଥର, ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଦୁଇଥର, ସ୍ପେନ ୨୦୧୦, ଇଂଲଣ୍ଡ ୧୯୬୬ରେ ଚମ୍ପିଆନ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ୨୨ଟି ସଂସ୍କରଣରେ ମୋଟ୍ ୮ଟି ଦେଶ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ୪ଥର ଚମ୍ପିଆନ ଇଟାଲିକୁ କ୍ରମାଗତ ୩ୟ ଥର ପାଇଁ ବିଶ୍ବକପ ମଇଦାନରେ ଦେଖିବାକୁ ମିଳିବନି।
