ବିସ୍କେକ୍: କିର୍ଗିଜସ୍ତାନର ବିସ୍କେକ୍ରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଇରାନର ରାଷ୍ଟ୍ରପତି ମାସୁଦ ପେଜେସକିୟାନଙ୍କ ସମେତ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ପୁଟିନ୍ ଓ ପେଜେସକିୟାନଙ୍କ ବ୍ୟତୀତ ମୋଦୀ ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାଶିନ୍ୟାନ ଓ କିର୍ଗିଜ୍ ରିପବ୍ଲିକର ରାଷ୍ଟ୍ରପତି ସାଦିର ଜାପାରୋଭଙ୍କୁ ସାକ୍ଷାତ କରିଛନ୍ତି।
ପୁଟିନଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କାଳରେ ମୋଦୀ ରୁଷ-ୟୁକ୍ରେନ ଯୁଦ୍ଧର ସ୍ଥାୟୀ ସମାଧାନ ଓ ଶାନ୍ତି ପ୍ରତିଷ୍ଠା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି।
ମୋଦୀ କହିଛନ୍ତି ଯେ, 'ଭାରତ ହେଉଛି ମହାତ୍ମା ଗାନ୍ଧୀ ଏବଂ ଗୌତମ ବୁଦ୍ଧଙ୍କ ଭୂମି, ଯାହାର ଗୋଟିଏ ମାତ୍ର ବାର୍ତ୍ତା ହେଉଛି ଶାନ୍ତିର ମାର୍ଗ।' ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଭାରତ ସବୁବେଳେ କୂଟନୈତିକ ଆଲୋଚନା ଓ ଶାନ୍ତିପୂର୍ଣ୍ଣ ପନ୍ଥାକୁ ସମର୍ଥନ କରିଆସିଛି। ମୋଦୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯୁଦ୍ଧରେ ବିତିଯାଉଥିବା ପ୍ରତ୍ୟେକ ଦିନ ମାନବସମାଜକୁ ପଛକୁ ନେଇଯାଉଛି। ଆମକୁ ଅସରନ୍ତି ଯୁଦ୍ଧରୁ ବାହାରି ଯୁଦ୍ଧର ସମାପ୍ତି ଆଡ଼କୁ ଆଗେଇବାକୁ ପଡ଼ିବ। ମାନବ କଲ୍ୟାଣ ପାଇଁ ଏହା ଅତ୍ୟନ୍ତ ଜରୁରୀ। ରୁଷ-ଭାରତ ସମ୍ପର୍କକୁ ଏକ 'ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ଅଂଶୀଦାର' ବୋଲି ବର୍ଣ୍ଣନା କରି ଉଭୟ ନେତା ଦ୍ୱିପାକ୍ଷିକ ବାଣିଜ୍ୟ, ଶକ୍ତି, ଓ ପ୍ରତିରକ୍ଷା ସହଯୋଗକୁ ଆଗକୁ ନେବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏହି ଅବସରରେ ଭାରତରେ ହେବାକୁ ଯାଉଥିବା ଆସନ୍ତା ବ୍ରିକ୍ସ ସମ୍ମିଳନୀ ପାଇଁ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ଜଣାଇଛନ୍ତି।
ସେହିପରି ପେଜେସକିୟାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କାଳରେ ମୋଦୀ ପଶ୍ଚିମ ଏସିଆ ବିବାଦର ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ଉତ୍ତେଜନା ବୃଦ୍ଧି ଉପରେ ଚିନ୍ତା ପ୍ରକାଶ କରିଥିଲେ। ଭାରତର ମନୋଭାବକୁ ପୁଣି ଥରେ ଦୋହରାଇ ମୋଦୀ କହିଥିଲେ ଯେ ସମସ୍ତ ପ୍ରସଙ୍ଗ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉଚିତ। ନୌଚାଳନା ଓ ବାଣିଜ୍ୟର ସ୍ୱାଧୀନତାକୁ ସୁରକ୍ଷା ଦେବାକୁ ସେ ଗୁରୁତ୍ବ ଦେଇଥିଲେ। ବାଣିଜ୍ୟିକ ଜାହାଜ ଓ ନାବିକ ସମେତ ନାଗରିକ ଏବଂ ବେସାମରିକ ଭିତ୍ତିଭୂମିକୁ କୌଣସି ପରିସ୍ଥିତିରେ କ୍ଷତି ପହଞ୍ଚାଇବା ଉଚିତ୍ ନୁହେଁ ବୋଲି ମୋଦୀ କହିଥିଲେ।
