ନୂଆଦିଲ୍ଲୀ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଚଳିତ ଅଗଷ୍ଟ ୧୫ରୁ ୨୭ ପର୍ଯ୍ୟନ୍ତ ଖେଳାଯିବ।ଏଥିପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ବାଦ୍ ପଡ଼ିଛନ୍ତି। ଫିଟ୍ନେସ ପାଇଁ ବୁମ୍ରା ଏବେ ଉକ୍ତ ଟେଷ୍ଟ ଶୃଙ୍ଖଳାରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି। ବୁମ୍ରା ବିସିସିଆଇ ସେଣ୍ଟର ଫର ଏକ୍ସଲେନ୍ସିରେ ପୁନଃବାସନ ଥିବାରୁ ଫିଟ୍ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା।
ତେବେ ବୁମ୍ରାଙ୍କ ପ୍ରାରମ୍ଭିକ ଫିଟ୍ନେସ ମୂଲ୍ୟାଙ୍କନ ବେଳେ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡ଼ିଥିଲା। ଆଣ୍ଠୁ ଯନ୍ତ୍ରଣା ପାଇଁ ସେ ଖେଳଠାରୁ ଦୂରରେ ରହିବେ। ଫଳରେ ସେ ଭାରତୀୟ ଦଳ ସହ ଶ୍ରୀଲଙ୍କା ଗସ୍ତ କରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏବେ ବୁମରାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସିଇଓରେ ରହିବାକୁ ବିସିସିଆଇ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ବିସିସିଆଇ ଡାକ୍ତରୀ ଦଳ ଟ୍ବେଣ୍ଟି୨୦ ବିଶ୍ବକପ ପରେ ଆଣ୍ଠୁ ଯନ୍ତ୍ରଣା ପାଇଁ ବୁମ୍ରାଙ୍କୁ ଇଞ୍ଜେକ୍ସନ ନେବାକୁ କହିଥିଲେ। ସେହି ଅନୁଯାୟୀ ବୁମ୍ରା ଗତ ମାସରେ ଇଞ୍ଜେକ୍ସନ ନେଇଥିଲେ। ଏହି ସମସ୍ୟାରୁ ମୁକୁଳିବା ପାଇଁ ତାଙ୍କୁ ଆଉ କିଛି ଦିନ ଲାଗିଯିବ। ଫଳରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଖେଳିପାରିବେ ନାହିଁ। ଅନ୍ୟପକ୍ଷରେ ଗଲ୍ରେ ଅଗଷ୍ଟ ୧୫ରୁ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରୁ ବୁମ୍ରା ବାଦ ପଡ଼ିବାବେଳେ କଲମ୍ବୋରେ ଅଗଷ୍ଟ ୨୩ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ଖେଳିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ବୁମ୍ରା ଇଂଲଣ୍ଡ ଗସ୍ତ ସମୟରେ ଏକଦିବସୀୟ ଶୃଙ୍ଖଳା ଖେଳିଥିଲେ। ଯେଉଁଠାରେ ସେ ଆଘାତ ପାଇଥିଲେ। ପରେ ବିସିସିଅାଇ ସେଣ୍ଟର ଅଫ ଏକ୍ସଲେନ୍ସିରେ ତାଙ୍କୁ ପୁନର୍ବାସନ କରାଯାଇଥିଲା। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ବୁମ୍ରାଙ୍କ ସ୍ଥାନରେ ସାମିଲ ନେଇ ଦୌଡ଼ରେ ୩ ବୋଲର ଆକିବ୍ ନବି, ଯଶ ଠାକୁର ଓ ଅଂଶୁଲ କାମ୍ବୋଜ ରହିଛନ୍ତି।
