ଗୋପ : ରବିବାର ସନ୍ଧ୍ୟାରେ ପୁରୀ ଜିଲ୍ଲା କୋଣାର୍କ ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖରେ ଏକ ସ୍କୁଟି ଉପରେ ଡିଜେୟାର କାର ଚଢିଯିବା ଫଳରେ ସ୍କୁଟି ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି।
ଖବର ଅନୁସାରେ ରବିବାର ସନ୍ଧ୍ୟାରେ ବାଣପଦା ରୋଡରୁ ଟେଲିଫୋନ ଏକ୍ସଚେଞ୍ଜ ଆଡକୁ ଏକ ସ୍କୁଟି(ଓଡି୦୨ସିଜେ ୧୪୩୯) ଯୋଗେ ନିଆଳି ଥାନା ବାହାରଣା ଗ୍ରାମର ଅର୍ପିତା ପରିଡା(୧୯) ରାସ୍ତା ପାର ହେଉଥିଲେ।
ଏହି ସମୟରେ କୋଣାର୍କରୁ ପୁରୀ ଅଭିମୁଖେ ଯାଉଥିବା ଏକ ଡିଜେୟାର କାର (ଓଡି୦୨ବିଜେ ୭୦୨୨) ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଅର୍ପିତାଙ୍କ ଡାହାଣ ଗୋଡ ସଂପୂର୍ଣ୍ଣ ଭାଙ୍ଗି ଦୁଇ ଖଣ୍ଡ ହୋଇଯାଇଛି ଏବଂ ମୁହଁ ଓ ଶରୀରରେ ଗଭୀର ଆଘାତ ଲାଗିଛି। ଖବର ପାଇ କୋଣାର୍କ ଥାନାଧିକାରୀ ପ୍ରଶାନ୍ତ କୁମାର ପଢିଆରୀଙ୍କ ନିର୍ଦେଶ କ୍ରମେ ଏଏସଆଇ ସୋରାଜ କୁମାର ସିଂ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତ ଯୁବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।
ଭୁବନେଶ୍ବର ଓଲ୍ଡ ଟାଉନ ଅଞ୍ଚଳର ଡିଜେୟାର ଡ୍ରାଇଭରକୁ ପୁଲିସ ଅଟକ ରଖିଥିବା ଜଣାପଡିଛି। କୋଣାର୍କ ପୁଲିସ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ଶ୍ରୀ ପଢିଆରୀ ପ୍ରକାଶ କରିଛନ୍ତି।
