ବଲାଙ୍ଗିର: ବଲାଙ୍ଗିର ଜିଲା ଦେଓଗାଁ ଥାନା ବଗଡ଼ା ଗାଁରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୁଲିସ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସ୍ତ୍ରୀକୁ ବାପଘରୁ ଫେରାଇ ଆଣିବା ପାଇଁ ନରବଳି ଦେଇଥିବା ଅଭିଯୋଗରେ ବଗଡ଼ା ଗାଁର ଶତୃଘନ ସାହୁ (୪୦)ଙ୍କୁ ଦେଓଗାଁ ପୁଲିସ ଗିରଫ କରିଛି। ମୃତକ ହେଉଛନ୍ତି ତୁଷୁରା ଥାନା ଟେବେଡ଼ାମୁଣ୍ଡା ଗାଁର ସନ୍ତୋଷ ଖର୍ସେଲ (୪୦)।
ଏନେଇ ବଲାଙ୍ଗିର ଏସ୍ପି ଅଭିଳାଷ ଜୀ ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଗତ ଗୁରୁବାର ସକାଳେ ଦେଓଗାଁ ଥାନା ବଗଡ଼ା ପାଣିଟାଙ୍କି ନିକଟ ଏକ ଜଳାଶୟରେ ମୁଣ୍ଡବିହୀନ ମୃତଦେହ ଭାସୁଥିବା ଦେଖାଯାଇଥିଲା। ଖବର ପାଇ ଏସ୍ଡିପିଓ ସରୋଜ ଉପାଧ୍ୟାୟଙ୍କ ନେତୃତ୍ୱରେ ଦେଓଗାଁ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୁଣ୍ଡ ନଥିବାରୁ ମୃତକଙ୍କ ପରିଚୟ ଜାଣିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା।ପରେ ପରିବାର ଲୋକେ ମୃତକଙ୍କୁ ଟେବେଡ଼ାମୁଣ୍ଡା ଗାଁର ସନ୍ତୋଷ ଖର୍ସେଲ ବୋଲି ଚିହ୍ନଟ କରିଥିଲେ। ସନ୍ତୋଷ ଗତ ୧୮ ତାରିଖରୁ ନିଖୋଜ ଥିଲେ। ସେ ମାନସିକ ଅନଗ୍ରସର ଥିବା ବେଳେ ୧୮ ତାରିଖ ଅପରାହ୍ଣ ପ୍ରାୟ ୫ଟାରେ ଘରୁ ବାହାରି ଆଉ ଫେରିନଥିଲେ।
ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ, ୧୮ ତାରିଖ ସନ୍ଧ୍ୟାରେ ସନ୍ତୋଷଙ୍କୁ ବଗଡ଼ା ଗାଁର ଶତୃଘନ ସାହୁଙ୍କ ସହ ବୁଲୁଥିବା କିଛି ଲୋକ ଦେଖିଥିଲେ। ଏହି ସୂଚନା ଆଧାରରେ ପୁଲିସ ଶତୃଘନଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଚରାଉଚରା ବେଳେ ସେ ସନ୍ତୋଷଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିବା ପୁଲିସ କହିଛି।
ପୁଲିସ ସୂଚନା ଅନୁଯାୟୀ, ୧୮ ତାରିଖ ରାତିରେ ସନ୍ତୋଷ ଶତୃଘନଙ୍କ ସହ ବଗଡ଼ା ଗାଁକୁ ଆସିଥିଲେ। ଶତୃଘନ ତାଙ୍କୁ ଘରେ ରଖିଥିଲେ। ଉଭୟ ରାତିରେ ଖାଇବା ପରେ ଶୋଇପଡ଼ିଥିଲେ। ରାତି ପ୍ରାୟ ୧ଟାରୁ ୧ଟା ୩୦ ମଧ୍ୟରେ ସନ୍ତୋଷ ଶୋଇଥିବା ସୁଯୋଗ ନେଇ ଶତୃଘନ ଏକ କଟୁରୀରେ ତାଙ୍କ ମୁଣ୍ଡ କାଟି ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି।ହତ୍ୟା ପରେ ମୁଣ୍ଡବିହୀନ ମୃତଦେହକୁ ଘରଠାରୁ ପ୍ରାୟ ୨୦ ମିଟର ଦୂର ଏକ ପୋଖରୀରେ ଫିଙ୍ଗି ଦେଇଥିବା ବେଳେ କଟାମୁଣ୍ଡକୁ ଘରର ପୂଜାଘରେ ମାଟି ତଳେ ପୋତି ଦେଇଥିଲା।ତଦନ୍ତ ବେଳେ ପୁଲିସ ଶତୃଘନଙ୍କ ପୂଜାଘରେ ଖୋଳତାଡ଼ କରି ମାଟି ତଳୁ ସନ୍ତୋଷଙ୍କ କଟାମୁଣ୍ଡ ଉଦ୍ଧାର କରିଥିଲା। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ମଧ୍ୟ ଜବତ କରାଯାଇଛି।
କଟାମୁଣ୍ଡ ପୋତାଯାଇଥିବା ସ୍ଥାନରୁ ବେଲପତ୍ର ଏବଂ ପୂଜାଘରୁ ରକ୍ତଛିଟା ମଧ୍ୟ ଜବତ କରିଛି ପୁଲିସ।ପୁଲିସ ତଦନ୍ତ ଅନୁଯାୟୀ, କିଛି ବର୍ଷ ତଳେ ଶତୃଘନଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ। ନରବଳି ଦେଲେ ସ୍ତ୍ରୀ ବାପଘରୁ ତାଙ୍କ ପାଖକୁ ଫେରିଆସିବେ ବୋଲି ଶତୃଘନ ବିଶ୍ୱାସ କରୁଥିଲେ। ଏହି ଅନ୍ଧବିଶ୍ୱାସରୁ ସେ ସନ୍ତୋଷଙ୍କୁ ଘରକୁ ଆଣି ନରବଳି ଦେଇଥିବା ଏସ୍ପି ସୂଚନା ଦେଇଛନ୍ତି।ଘଟଣାରେ ଦେଓଗାଁ ପୁଲିସ ଅଭିଯୁକ୍ତ ଶତୃଘନ ସାହୁଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଘଟଣାର ଅନ୍ୟାନ୍ୟ ଦିଗ ନେଇ ପୁଲିସର ତଦନ୍ତ ଜାରି ରହିଛି।
