ନୂଆଦିଲ୍ଲୀ: ଜାପାନରେ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏସୀୟ କ୍ରୀଡ଼ା-୨୦୨୬ ଲାଗି ଟ୍ରାଏଲ୍ସ ଦେବାକୁ କୁସ୍ତିଯୋଦ୍ଧା ବିନେଶ ଫୋଗଟ୍ଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ବିନେଶଙ୍କୁ ଦିଲ୍ଲୀ ହାଇକୋର୍ଟ ଗତ ୨୩ରେ ଟ୍ରାଏଲ୍ସରେ ଭାଗ ନେବାକୁ ଅନୁମତି ପ୍ରଦାନ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫ୍ଆଇ) ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା।
ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଡବ୍ଳ୍ୟୁଏଫ୍ଆଇର ଆବେଦନକୁ ଖାରଜ କରିବା ସହିତ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ବିଚାରପତି ପି ଏସ୍ ନରସିମା ଓ ବିଚାରପତି ଆଲୋକ ଆନ୍ଧରେଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।
ଏସୀୟ କ୍ରୀଡ଼ା ଲାଗି ଭାରତୀୟ କୁସ୍ତି ଦଳର ଟ୍ରାଏଲ୍ସ ଚଳିତ ମେ ୩୦ ଓ ୩୧ରେ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟ କହିଛନ୍ତି ଯେ, ବିନେଶଙ୍କ ପରି ନାମୀ କ୍ରୀଡ଼ାବିତ୍ ମାତୃତ୍ବ ବିରତି ପରେ ଫେରୁଛନ୍ତି। ତାଙ୍କ ପ୍ରସଙ୍ଗ ବିବେକ ଅନୁସାରେ ବିଚାର କରିବା ଅପେକ୍ଷା ଡବ୍ଲ୍ୟୁଏଫଆଇର ନୀତି ତାଙ୍କୁ ବହିଷ୍କାର କରିବା ପ୍ରତିଶୋଧମୂଳକ ଭଳି ଥିଲା। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏସୀୟ କ୍ରୀଡ଼ା ଲାଗି ଟ୍ରାଏଲ୍ସ ପାଇଁ ବିନେଶଙ୍କୁ ସାମିଲ କରାଯାଉ ବୋଲି କହିଥିଲେ। ସୂଚନାଯୋଗ୍ୟ, ବିନେଶ ଡୋପିଂ ନିରୋଧୀ ନିୟମ ପାଳନ କରିବାରେ ବିଫଳ ହୋଇଥିବାରୁ ତାଙ୍କୁ ଡବ୍ଳ୍ୟୁଏଫ୍ଆଇ ପକ୍ଷରୁ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ନିଷେଧ କରାଯାଇଥିଲା।
ବିଶ୍ବ କୁସ୍ତି ସଂଘର ନିୟମାନୁସାରେ ଅବସରରୁ ଫେରିଥିବା ଖେଳାଳିମାନଙ୍କୁ ୬ ମାସ ପୂର୍ବରୁ ନୋଟିସ ଦେବାକୁ ପଡ଼ିବ। ବିନେଶ ଏହି ପ୍ରକ୍ରିୟାଗତ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଥିବାରୁ ଡବ୍ଲ୍ୟୁଏଫ୍ଆଇ ପକ୍ଷରୁ ତାଙ୍କୁ ଜୁନ୍ ୨୬ ପର୍ଯ୍ୟନ୍ତ ନିଷେଧ କରାଯାଇଥିଲା। ଫଳରେ ବିନେଶ ଉତ୍ତରପ୍ରଦେଶର ଗୋଣ୍ଡାରେ ଆୟୋଜିତ ଜାତୀୟ ଓପନ ରାଙ୍କିଙ୍ଗ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇପାରିନଥିଲେ।
