Dailyhunt

ଯାତ୍ରା ଦେଖୁଥିଲେ ପରିବାର ଲୋକେ; ଘରୁ ଲୁଟିନେଲେ ୬୦ଲକ୍ଷରୁ ସୁନା ଓ ନଗଦଟଙ୍କା

ସମାଜ 1 week ago

ରଡ଼ି : ଯାତ୍ରା ଦେଖିବାକୁ ଯାଇଥିଲେ ଘରଲୋକେ, ଫେରିଲା ବେଳକୁ ଘରୁ ଲୁଟ ହୋଇଛି ୬୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସମେତ ନଗଦ ୧ଲକ୍ଷ ୨୦ ହଜାର ଟଙ୍କା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋହରା ପାଟଣାରେ ଶୁକ୍ରବାର ରାତିରେ ଘଟିଛି ଏହି ଘଟଣା।

ଗାଁରେ ଯାତ୍ରା ଚାଲିଥିବା ସୁଯୋଗ ନେଇ ୪ଜଣଙ୍କ ଘରୁ ଲୁଟେରା ମାନେ ସୁନା ଗହଣା ଓ ଟଙ୍କା ଲୁଟି ନେଇଥିବା ଧୁଷୁରୀ ଥାନାରେ ଅଭିଯୋଗ ହୋଇଛି।

ଘରେ ତାଲା ପକାଇ ଜଗବନ୍ଧୁ ପରିଡା, ମୀନ କେତନ ପରିଡା, ଦୁର୍ଗା ଚରଣ ପରିଡା ଓ ଶିବ ପ୍ରସାଦ ପରିଡାଙ୍କ ପରିବାର ଲୋକେ ଯାତ୍ରା ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରା ମାନେ ଘରେ ପଶି ଏଭଳି କାଣ୍ଡ ଘଟାଇବାରେ ସକ୍ଷମ ହୋଇଛନ୍ତି। ଚୋରୀ ସଂକ୍ରାନ୍ତରେ ଧୂଷୁରୀ ଥାନାରେ ଅଭିଯୋଗ ହେବାରୁ ପୋଲିସ ଚୋରୀ ହୋଇଥିବା ସ୍ଥାନରେ ପହଞ୍ଚି ଚୋରୀର ତଦନ୍ତ କରିଛନ୍ତି।
ବାଲେଶ୍ୱରରୁ ସନ୍ଧାନୀ କୁକୁର ସହ ବୈଜ୍ଞାନିକ ଦଳ ପହଞ୍ଚି ଚୋରୀର ଅନୁସନ୍ଧାନ କରୁଥିଲା ବେଳେ ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁଁ ଚୋରୀ ତଦନ୍ତରେରେ ବାଧା ଉପୁଜିଥିଲା ଓ ଟିମ ସଦସ୍ୟ ନିରାଶରେ ଫେରିଥିଲେ। ତେବେ ପୁଲିସ ସନ୍ଦେହରେ ସେହି ଗାଁର ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି। ଏ ସଂକ୍ରାନ୍ତରେ ଥାନାରେ ଏତଲା ନଂ ୧୬୨/୨୬ରେ ଏକ ମାମଲା ରୁଜ୍ଜୁ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia