କିଭ୍: ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କ୍ରମରେ ୟୁକ୍ରେନର ଏକାଧିକ ସହର ଉପରେ ରୁଷ୍ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ କରିଛି। ସୋମବାର ରାତିରେ ହୋଇଥିବା ରୁଷ୍ର ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ସମେତ ୧୨ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କି କହିଛନ୍ତି ଯେ ରୁଷ୍ର ଆକ୍ରମଣରେ ୧୨ଜଣଙ୍କର ମୃତ୍ୟୁ ହେବା ସହ ଦେଶର ପ୍ରମୁଖ ଭିତ୍ତିଭୂମି ନଷ୍ଟ ହୋଇଛି।
ଭିତ୍ତିଭୂମି ନଷ୍ଟ ହେବା କାରଣରୁ ହଜାର ହଜାର ୟୁକ୍ରେନ ପରିବାର ଏବେ ଅନ୍ଧକାରରେ ରହିଛନ୍ତି। ରୁଷ୍ର କ୍ଷେପଣାସ୍ତ୍ର ମାଡରେ ବୋରିସପିଲ୍ ଅଞ୍ଚଳରେ ଏକ ୫ ମହଲା କୋଠା ନଷ୍ଟ ହୋଇଛି। ଏହି ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ସେହିପରି କିଭ୍ସ୍ଥିତ ଏକ ରେଳ ଡିପୋ ଉପରେ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ ହୋଇଥିବାରୁ ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୬ଜଣ ୟୁକ୍ରେନର ରେଳବିଭାଗ କର୍ମଚାରୀ।
