Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
'ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି': ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

'ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି': ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

The Samikhsya Odia 2 weeks ago

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ରାଜ୍ୟ ସରକାର। ଶିକ୍ଷାକୁ ସମସ୍ତଙ୍କ ପାଇଁ ଅଧିକ ସୁଲଭ ଓ ସମାନ ସୁଯୋଗଭିତ୍ତିକ କରିବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ୍ 'ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି' ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ଅଧୀନରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଫି' ସମ୍ପୂର୍ଣ୍ଣ ଛାଡ଼ କରାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ୪୩ତମ ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆର୍ଥିକ ଅଭାବ ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ପାଠପଢ଼ାରୁ ବଞ୍ଚିତ ନ ହୁଅନ୍ତି, ତାହା ହିଁ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ।

ଯୋଜନା ଅନୁଯାୟୀ, ଚଳିତ ୨୦୨୬-୨୭ ଶିକ୍ଷାବର୍ଷରୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନିୟମିତ ଛାତ୍ରଛାତ୍ରୀଙ୍କ ନାମଲେଖା ଫି' ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଏହାଦ୍ୱାରା ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତର ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସହ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ପଢ଼ୁଥିବା ଲକ୍ଷାଧିକ ଶିକ୍ଷାର୍ଥୀ ସିଧାସଳଖ ଉପକୃତ ହେବେ।

ଓଡ଼ିଶାରେ ପୂର୍ବରୁ କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ମାଗଣା ରହିଥିବା ବେଳେ, ଏହି ଯୋଜନା ନବମରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଫି' ଛାଡ଼ର ପରିଧିକୁ ବଢ଼ାଇଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ସୁବିଧା ସେଲ୍ଫ-ଫାଇନାନ୍ସିଙ୍ଗ୍ କୋର୍ସ, ବେସରକାରୀ କଲେଜ, ପିପିପି ମୋଡ୍‌ର ଅନୁଷ୍ଠାନ ଏବଂ ବୈଷୟିକ କିମ୍ବା ପ୍ରଫେସନାଲ୍ ପାଠ୍ୟକ୍ରମ ପାଇଁ ଲାଗୁ ହେବ ନାହିଁ। ଏହି ଯୋଜନା କେବଳ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନର ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହେବ।

'ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି' ଯୋଜନାକୁ ରାଜ୍ୟ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଆର୍ଥିକ ପଦକ୍ଷେପ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ଏହାର କାର୍ଯ୍ୟକାରିତା ପାଇଁ ପ୍ରଥମ ବର୍ଷରେ ୮୯୫.୫୭ କୋଟି ଟଙ୍କା ବ୍ୟୟ କରାଯିବ। ଆଗାମୀ ପାଞ୍ଚ ବର୍ଷରେ ମୋଟ ୫,୪୬୭.୫୫ କୋଟି ଟଙ୍କା ବ୍ୟୟବରାଦ ପାଇଁ କ୍ୟାବିନେଟ୍ ମଞ୍ଜୁରି ଦେଇଛି।

ସରକାରଙ୍କ ଆକଳନ ଅନୁସାରେ, ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିଧାସଳଖ ଉପକୃତ ହେବେ। ନାମଲେଖା ଫି' ଛାଡ଼ ହେବା ଦ୍ୱାରା ଗରିବ ଓ ମଧ୍ୟବିତ୍ତ ପରିବାରର ଶିକ୍ଷାର୍ଥୀଙ୍କ ଉପରେ ଆର୍ଥିକ ବୋଝ କମିବ ଏବଂ ଉଚ୍ଚଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହ ବଢ଼ିବ ବୋଲି ଆଶା କରାଯାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, 'ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି' କେବଳ ଏକ ଫି' ଛାଡ଼ ଯୋଜନା ନୁହେଁ, ବରଂ ବିକଶିତ ଓଡ଼ିଶା ଗଠନ ପାଇଁ ଏକ ଦୀର୍ଘମିଆଦୀ ନିବେଶ। ଉଚ୍ଚଶିକ୍ଷାରେ ଭର୍ତ୍ତି ହାର ବଢ଼ାଇବା, ଡ୍ରପ୍-ଆଉଟ୍ କମାଇବା ଏବଂ ଆର୍ଥିକ ସ୍ଥିତି ଯୋଗୁଁ ପଢ଼ା ବନ୍ଦ କରୁଥିବା ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ଦିଗରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ।

'ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି' ଯୋଜନା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ଦିଗ ଖୋଲିପାରେ। ଫି' ଛାଡ଼ ମାଧ୍ୟମରେ ଉଚ୍ଚଶିକ୍ଷାକୁ ଅଧିକ ସୁଲଭ କରିବା ଏବଂ ଆର୍ଥିକ ପ୍ରତିବନ୍ଧକକୁ ଦୂର କରିବାର ଏହି ପଦକ୍ଷେପ ରାଜ୍ୟର ମାନବ ସମ୍ପଦ ବିକାଶରେ ଦୀର୍ଘମିଆଦୀ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ରାଜ୍ୟ ସରକାର। ଶିକ୍ଷାକୁ ସମସ୍ତଙ୍କ ପାଇଁ ଅଧିକ ସୁଲଭ ଓ ସମାନ ସୁଯୋଗଭିତ୍ତିକ କରିବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ୍ 'ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି' ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ଅଧୀନରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଫି' ସମ୍ପୂର୍ଣ୍ଣ ଛାଡ଼ କରାଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia