Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ମୃତଦେହ ଉଦ୍ଧାର

ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ମୃତଦେହ ଉଦ୍ଧାର

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଥତା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀ ବୃଷ୍ଟି ମୁଖାର୍ଜୀଙ୍କର ବୀରଭୂମି ଜିଲ୍ଲାସ୍ଥିତ ନିଜ ବାସଭବନରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ୨୮ ବର୍ଷୀୟା ବୃଷ୍ଟିଙ୍କ ମୃତଦେହ ରାମପୁରହାଟ ନିକଟସ୍ଥ କୁସୁମ୍ବା ଗ୍ରାମରେ ଥିବା ତାଙ୍କ ଘରର ଦ୍ୱିତୀୟ ମହଲା କୋଠରୀରେ ଝୁଲନ୍ତା ଅବସ୍ଥାରେ ମଙ୍ଗଳବାର ସକାଳ ପ୍ରାୟ ୯ଟାରେ ଉଦ୍ଧାର କରାଯାଇଛି।

ଘଟଣାର ସୂଚନା ପାଇବା ପରେ ରାମପୁରହାଟ ଥାନା ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାମପୁରହାଟ ସରକାରୀ ମେଡିକାଲ କଲେଜ ଏବଂ ହସପିଟାଲକୁ ପଠାଯାଇଛି। ବୃଷ୍ଟିଙ୍କ ପିତା ନିହାର ରଞ୍ଜନ ମୁଖାର୍ଜୀ ହେଉଛନ୍ତି ମମତା ବାନାର୍ଜୀଙ୍କ ମାମୁପୁଅ ଭାଇ ଏବଂ ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା।

ସୂଚନା ଅନୁଯାୟୀ, ବୃଷ୍ଟି ମୁଖାର୍ଜୀ ବୋଲପୁରର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲର୍କ ଭାବେ କାର୍ଯ୍ୟ କରୁଥିଲେ। ୨୦୨୩ ମାର୍ଚ୍ଚ ମାସରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତି ପ୍ରକ୍ରିୟା ଅନିୟମିତତା ମାମଲାରେ ବହୁ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଚାକିରି ଯାଇଥିବା ବେଳେ ବୃଷ୍ଟି ମଧ୍ୟ ନିଜ ଚାକିରି ହରାଇଥିଲେ। ଚାକିରି ହରାଇବା ସହ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ମାମଲା ଚାଲିଥିବାରୁ ସେ ଗତ କିଛି ବର୍ଷ ହେଲାଣି ଗୁରୁତର ମାନସିକ ଅବସାଦରେ ରହି ଚିକିତ୍ସିତ ହେଉଥିବା ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି। କୋର୍ଟ ନିର୍ଦ୍ଦେଶ ଏବଂ ପରିବାରଗତ ସମସ୍ୟା ଯୋଗୁଁ ସେ ଏହି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ହିଁ ମୃତ୍ୟୁର ସଠିକ୍ କାରଣ ଅଧିକ ସ୍ପଷ୍ଟ ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia