Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନ୍ ଶୁଭାରମ୍ଭ

ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନ୍ ଶୁଭାରମ୍ଭ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ବିଶେଷ ତୀର୍ଥଯାତ୍ରୀ ଟ୍ରେନ୍ ଆଜି ଉତ୍ସାହଜନକ ପରିବେଶ ମଧ୍ୟରେ ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱରର ପଟିଆସ୍ଥିତ ନୂତନ ରେଳ ଷ୍ଟେସନରୁ ବାରାଣସୀ ଏବଂ ଅଯୋଧ୍ୟା ଅଭିମୁଖେ ଏହି ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରାଯାଇଛି।

ରାଜ୍ୟର ବୟସ୍କ ନାଗରିକମାନଙ୍କୁ ଧାର୍ମିକ ସ୍ଥଳଗୁଡ଼ିକର ଦର୍ଶନ କରାଇବା ଉଦ୍ଦେଶ୍ୟରେ ୧୦ଟି ଟ୍ରେନ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଟ୍ରେନ୍‌ରେ ୮୦୦ ଜଣ ଶ୍ରଦ୍ଧାଳୁ ଧାମ ଯାତ୍ରାରେ ବାହାରିଛନ୍ତି।

ଏହି ସ୍ୱତନ୍ତ୍ର ଯାତ୍ରାର ଉଦ୍‌ଘାଟନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଜଣାଇବା ସହ ସେମାନଙ୍କ ଶୁଭ ଯାତ୍ରା କାମନା କରିଛନ୍ତି। ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବୃଦ୍ଧବୃଦ୍ଧାମାନଙ୍କୁ ପବିତ୍ର ତୀର୍ଥସ୍ଥଳୀ ଦର୍ଶନର ସୁଯୋଗ ଦେବା ସରକାରଙ୍କ ଏକ ପ୍ରମୁଖ ସେବା କାର୍ଯ୍ୟ। ଚଳିତ ବର୍ଷର ଏହି ପ୍ରଥମ ଯାତ୍ରାରେ ବାରାଣସୀର ପ୍ରସିଦ୍ଧ ଗଙ୍ଗା ଆଳତୀ ଦର୍ଶନ ସହିତ ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ଭବ୍ୟ ମନ୍ଦିର ଦର୍ଶନର ସୌଭାଗ୍ୟ ଯାତ୍ରୀମାନେ ପାଇବେ।

ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଯାତ୍ରା ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସମସ୍ତ ବରିଷ୍ଠ ନାଗରିକଙ୍କର ସମ୍ପୂର୍ଣ୍ଣ ଶାରୀରିକ ଓ ଚିକିତ୍ସା ସମ୍ବନ୍ଧୀୟ ଯାଞ୍ଚ କରାଯାଇଛି। ଟ୍ରେନ୍‌ ମଧ୍ୟରେ ଯାତ୍ରୀଙ୍କ ସୁବିଧା ପାଇଁ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ବ୍ୟବସ୍ଥା ହୋଇଛି। ଯାତ୍ରା ସମାପ୍ତ ହେବା ପରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ସମ୍ମାନର ସହିତ ସେମାନଙ୍କ ନିଜ ନିଜ ଜିଲ୍ଲା ଓ ଘରେ ପହଞ୍ଚାଇବାର ଦାୟିତ୍ୱ ମଧ୍ୟ ରାଜ୍ୟ ପ୍ରଶାସନ ବହନ କରିବ। ଆଗାମୀ ଦିନରେ ଅନ୍ୟାନ୍ୟ ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ପରବର୍ତ୍ତୀ ଟ୍ରେନ୍‌ଗୁଡ଼ିକ ପରିଚାଳିତ ହେବ ବୋଲି ସୂଚନା ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia