ପୁରୀ: ପବିତ୍ର ଦୀପାବଳି ତଥା ପୟାଶ୍ରାଦ୍ଧ ଅବସରରେ ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କର ଅପୂର୍ବ ସମାଗମ ଦେଖିବାକୁ ମିଳିଛି। କାର୍ତ୍ତିକ କୃଷ୍ଣ ଅମାବାସ୍ୟାର ଏହି ପବିତ୍ର ତିଥିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ପୁରୀରେ ପହଞ୍ଚିଛନ୍ତି।
ଶ୍ରୀମନ୍ଦିର ଚାରିପାଖ ସହିତ ବଡ଼ଦାଣ୍ଡ ଆଜି ଶ୍ରଦ୍ଧାଳୁଙ୍କ ଭକ୍ତିପୂର୍ଣ୍ଣ ଆବହବାୱା ମଧ୍ୟରେ କମ୍ପିତ ହୋଇଉଠୁଛି।
ଏହି ଦିନରେ ନିଜ ନିଜର ବଂଶାନୁକ୍ରମିକ ପିତୃପୁରୁଷଙ୍କୁ ମନେ ପକାଇ ସେମାନଙ୍କ ଆତ୍ମାର ସଦଗତି ପାଇଁ ଆଲୋକ ବର୍ତ୍ତିକା ବା କାଉଁରିଆ କାଠି ଜାଳି ଦୀପଦାନ କରିବାର ସନାତନ ପରମ୍ପରା ରହିଛି। ଶ୍ରଦ୍ଧାଳୁମାନେ ବଡ଼ ବଡୁଆ ହୋ, ଅନ୍ଧାରରେ ଆସି ଆଲୋକରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚେ ଗଡ଼ୁଥାଅ ବୋଲି ଉଚ୍ଚାରଣ କରି ପିତୃପୁରୁଷଙ୍କୁ ବୈକୁଣ୍ଠ ଧାମକୁ ବାଟ ଦେଖାଇବା ପାଇଁ କାଉଁରିଆ ପ୍ରଜ୍ଜ୍ୱଳିତ କରୁଛନ୍ତି। ବଡ଼ଦାଣ୍ଡରେ ଏହି ମହାନ ଆଧ୍ୟାତ୍ମିକ ଦୃଶ୍ୟ ଏକ ଅଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।
ଜନସମାଗମକୁ ଆଖିଆଗରେ ରଖି ଏବଂ ପୟାଶ୍ରାଦ୍ଧକୁ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୬ ପ୍ଲାଟୁନ ପୁଲିସ ଫୋର୍ସ ସହିତ ୪୦ ଜଣ ହୋମଗାର୍ଡ, ୨୦ ଉପପୁଲିସ ନିରୀକ୍ଷକ, ୧୦ ପୁଲିସ ନିରୀକ୍ଷକ, ୩ ଉପପୁଲିସ ଅଧୀକ୍ଷକ ଏବଂ ୨ ଅତିରିକ୍ତ ପୁଲିସ ଅଧୀକ୍ଷକଙ୍କୁ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସୁରକ୍ଷିତ ଭାବେ ଦର୍ଶନ ଓ ପିଣ୍ଡଦାନ କରିପାରିବେ, ସେଥିପାଇଁ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପର ରହିଛି।

