Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Maa Ukulei: ମା' ଉକୁଳେଇ ଠାକୁରାଣୀଙ୍କ ଅଲୌକିକ କାହାଣୀ, ମା'ଙ୍କ ସ୍ନାନ ଜଳରେ ଭଲ ହୁଏ ରୋଗ !

Maa Ukulei: ମା' ଉକୁଳେଇ ଠାକୁରାଣୀଙ୍କ ଅଲୌକିକ କାହାଣୀ, ମା'ଙ୍କ ସ୍ନାନ ଜଳରେ ଭଲ ହୁଏ ରୋଗ !

ମା'ଙ୍କ ନାଁରେ ଗାଁର ପରିଚୟ । ତ୍ରିବେଣୀ ଅମାବାସ୍ୟାରେ ମା' ହୋଇଥିଲେ ଆର୍ବିଭାବ । ମା'ଙ୍କ ସ୍ନାନ ଜଳରେ ଭଲ ହୁଏ ଅନେକ ରୋଗ । ଅଗ୍ନିପିଣ୍ଡରୁ ଜାତ ମା'ଉକୁଳେଇ । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର କେନ୍ଦ୍ରାପଟି ପଞ୍ଚାୟତ। ଏହି ପଞ୍ଚାୟତର ଏକ ଛୋଟ ଗାଁ ଉକୁଳେଇ। ମା' ଉକୁଳେଇଙ୍କ ନାମରୁ ଗାଁର ନାଁ ହୋଇଛି ଉକୁଳେଇ। ଅସ୍ତରଙ୍ଗ ବଜାରରୁ ପଶ୍ଚିମକୁ ପ୍ରାୟ ଦୁଇ କିଲୋମିଟର।

ସେଠି ରହିଛି ମା'ଙ୍କ ପବିତ୍ର ପୀଠ। କେବଳ ପୁରୀ ଜିଲ୍ଲା ନୁହେଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମା'ଙ୍କ ମହିମାକୁ ନେଇ ରହିଛି ଅନେକ ବିଶ୍ୱାସ।

ମା'ଙ୍କ ଆବିର୍ଭାବର କାହାଣୀ ଆହୁରି ରୋଚକ। ପୂର୍ବରୁ ଏହି ଗାଁର ନାଁ ଥିଲା କଳାବୁଦି। ଚାରିପଟେ ଥିଲା ଘଞ୍ଚ ଜଙ୍ଗଲ। କିମ୍ବଦନ୍ତୀ ଅନୁସାରେ ୧୯୦୦ ମସିହାର କଥା। କେନ୍ଦ୍ରାପଟି ପଞ୍ଚାୟତର ଜୀଉନ୍ତି ଗାଁର ଗୋପୀନାଥ ମହାନ୍ତି ରାତିରେ ଘରେ ଶୋଇଥିଲେ। ହଠାତ୍ ତାଙ୍କ ନିଦ ଭାଙ୍ଗିଗଲା। ବାଡ଼ି ପଟ ଝରକା ଖୋଲା ଥିଲା। ଆଉ ସେହି ଝରକା ଦେଇ ଦେଖାଗଲା ଏକ ଅଦ୍ଭୁତ ଦୃଶ୍ୟ। ଅଗ୍ନିପିଣ୍ଡ ଭିତରେ ଜଣେ ଦିବ୍ୟ ସ୍ୱରୂପା ଦେବୀ । ଗୋପୀନାଥ ଭୟଭୀତ ହୋଇଗଲେ। ଝରକା ବନ୍ଦ କରିଦେଲେ। ଆଉ ଶୋଇପଡ଼ିଲେ। ପରଦିନ ରାତି। ପୁଣି ଆସିଲା ସ୍ୱପ୍ନ। ସ୍ୱପ୍ନରେ ଦେବୀ କହିଲେ'ଭୟ କରନାହିଁ।' 'ମୁଁ ମା' ଉକୁଳେଇ ଠାକୁରାଣୀ।' 'କଳାବୁଦି ଗାଁର ଜଙ୍ଗଲ ଭିତରେ ମୁଁ ରହିଛି।' 'ମୋତେ ଉଦ୍ଧାର କର।' 'ମୁଁ ଭକ୍ତଙ୍କ ଦୁଃଖ ଦୂର କରିବି।'

ସ୍ୱପ୍ନ ଭାଙ୍ଗିଲା। ଗୋପୀନାଥ ଉଠିଲେ। ଆଉ ଘରସାରା ଚୁଆ ଚନ୍ଦନର ସୁଗନ୍ଧ । ଭୟଭୀତ ଗୋପୀନାଥ ପତ୍ନୀଙ୍କୁ ଉଠାଇଲେ। ସବୁ କଥା କହିଲେ। ସକାଳ ହେବା ପରେ ବାହାରିଲେ କଳାବୁଦି ଅଭିମୁଖେ। ଜଙ୍ଗଲ ଭିତରେ ଚାଲିଲା ଖୋଜାଖୋଜି। ଶେଷରେ ଏକ ଚୂନିକୋଳି ଗଛ ମୂଳରେ ମିଳିଲା ଏକ ପଥର। ପଥର ଦେହରେ ସିନ୍ଦୁର। ଆଉ ସେଠାରୁ ଚୁଆ ଚନ୍ଦନର ସୁଗନ୍ଧ। ଗୋପୀନାଥ ଏହାକୁ ଦେବୀଙ୍କ ସ୍ୱରୂପ ବୋଲି ବିଶ୍ୱାସ କଲେ। ଆଖପାଖ ଛଅ ଖଣ୍ଡ ଗାଁର ଲୋକଙ୍କୁ ଡାକିଲେ। ଜଣେ ବ୍ରାହ୍ମଣଙ୍କୁ ଡାକି ପୂଜା ଆରମ୍ଭ ହେଲା। କିଛି ଦିନ ପରେ ପୁଣି ହେଲା ସ୍ୱପ୍ନାଦେଶ। କୁହାଯାଏ ମା' ଗୋପୀନାଥଙ୍କୁ କହିଥିଲେ 'ମୁଁ ବ୍ରାହ୍ମଣ ପୂଜାରେ ସନ୍ତୁଷ୍ଟ ନୁହେଁ।' 'ତୁମେ ମୋତେ ପୂଜା କର।' ତା'ପରେ ଗୋପୀନାଥ ନିଜ ହାତରେ ମା'ଙ୍କ ପୂଜା ଆରମ୍ଭ କଲେ। ଆଜି ବି ତାଙ୍କ ବଂଶଧରମାନେ ବଂଶାନୁକ୍ରମେ ମା'ଙ୍କ ପୂଜା କରୁଛନ୍ତି। ମା' ଉକୁଳେଇଙ୍କ ନାମରେ ବଦଳିଗଲା କଳାବୁଦିର ପରିଚୟ। ହୋଇଗଲା ଉକୁଳେଇ ଗାଁ। ମା' ଉକୁଳେଇ ଠାକୁରାଣୀଙ୍କୁ ବିଭିନ୍ନ ଜ୍ୱରଜନିତ ରୋଗର ଠାକୁରାଣୀ ବୋଲି ବି ମାନନ୍ତି ଭକ୍ତ। ପ୍ରତି ଗୁରୁବାର ଏଠାରେ ଲାଗେ ଭିଡ଼। ଛୋଟ ଶିଶୁଠାରୁ ବୃଦ୍ଧ ସମସ୍ତଙ୍କ ମନରେ ମା'ଙ୍କ ପ୍ରତି ଅଟୁଟ ବିଶ୍ୱାସ।

ଗୁରୁବାର ଦିନ ରୋଗୀମାନେ ପୀଠରେ ପହଞ୍ଚନ୍ତି। ଅପେକ୍ଷା କରନ୍ତି ମା'ଙ୍କ ସ୍ନାନ ପାଇଁ। ମା'ଙ୍କ ସ୍ନାନ ପରେ ସେହି ସ୍ନାନ ଜଳକୁ ଭକ୍ତମାନେ ଶରୀରରେ ଲଗାନ୍ତି। ପରେ ମନ୍ଦିର ନିକଟରେ ଥିବା ସିଦ୍ଧ ପୋଖରୀରେ ସ୍ନାନ କରନ୍ତି। କେହି ପୁଣି ଜଳ ଛିଞ୍ଚି ହୋଇଥାନ୍ତି।ଏହା ପରେ ଚାଲେ ମା'ଙ୍କ ବିଭିନ୍ନ ନୀତିକାନ୍ତି। ମଧ୍ୟାହ୍ନ ପ୍ରାୟ ୩ଟାରେ ମା'ଙ୍କ ଧୂପ ଉଠେ।ମା'ଙ୍କ ନିକଟରେ ଝୁଣା ଧୂପ ଲାଗି ହୁଏ। ସେହି ଧୂପ ଭକ୍ତମାନଙ୍କୁ ଦିଆଯାଏ। ଭକ୍ତଙ୍କ ବିଶ୍ୱାସ ଏହା ପାଇବା ପରେ ଜ୍ୱରରୁ ଆରୋଗ୍ୟ ମିଳେ। ଏହି ପୀଠର ସବୁଠୁ ବଡ଼ ଆସ୍ଥାର ଦିନ ତ୍ରିବେଣୀ ଅମାବାସ୍ୟା। କୁହାଯାଏ ଏହି ଦିନ ମା' ଉକୁଳେଇ ଆବିର୍ଭାବ ହୋଇଥିଲେ। ତେଣୁ ଏହି ଦିନକୁ ମା'ଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ। ମା' ପୁଷ୍କରିଣୀକୁ ଆସି ସ୍ନାନ କରନ୍ତି ବୋଲି ଭକ୍ତଙ୍କ ବିଶ୍ୱାସ। ହଜାର ହଜାର ମାନସିକଧାରୀ ଭକ୍ତ କଳଶ ବୁଡ଼ାନ୍ତି। ମାନସିକ ରଖନ୍ତି। ମା'ଙ୍କ ଉପାସନା କରନ୍ତି।ଏହି ଦିନ ପୀଠରେ କଳଶ ସ୍ଥାପନ କଲେ ମନୋକାମନା ପୂରଣ ହୁଏ ବୋଲି ରହିଛି ବିଶ୍ୱାସ। କାହା ପାଇଁ ଏହା ଆସ୍ଥା । କାହା ପାଇଁ ଭକ୍ତି । ଆଉ କାହା ପାଇଁ ମା' ଉକୁଳେଇ ହିଁ ସବୁକିଛି। ଏହି ବିଶ୍ୱାସକୁ ନେଇ ଆଜି ବି ଚାଲିଛି ମା'ଙ୍କ ପୂଜା। ପିଢ଼ି ପରେ ପିଢ଼ି ଅତୁଟ ରହିଛି ଆସ୍ଥା।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV