Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳରେ ମୃତ୍ୟୁର ତାଣ୍ଡବ! ଉଦ୍ଧାର ଅପେକ୍ଷାରେ ୭ ଓଡ଼ିଆଙ୍କ ସମେତ ୫୧ ପର୍ଯ୍ୟଟକ

ନେପାଳରେ ମୃତ୍ୟୁର ତାଣ୍ଡବ! ଉଦ୍ଧାର ଅପେକ୍ଷାରେ ୭ ଓଡ଼ିଆଙ୍କ ସମେତ ୫୧ ପର୍ଯ୍ୟଟକ

ନେପାଳରେ ପ୍ରକୃତିର ପ୍ରଳୟ । ପ୍ରବଳ ବର୍ଷା ପରେ ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ଏବେ ସାରା ବିଶ୍ୱକୁ ସ୍ତବ୍ଧ କରିଛି । ଆଖି ପିଛୁଳାକେ ମାଡ଼ି ଆସିଲା ବନ୍ୟା, ଆଉ ତା' ସହ ଭୂସ୍ଖଳନ । ଚାଲିଗଲା ଅନେକ ଜୀବନ । ଏହାରି ଭିତରେ, ଘରଠାରୁ ହଜାର ହଜାର କିଲୋମିଟର ଦୂରରେ ଏବେ ବିପଦ ଭିତରେ ଫସିଛନ୍ତି ୫୧ ପର୍ଯ୍ୟଟକ । ଯେଉଁମାନେ ବନ୍ୟା ଓ ଭୂସ୍ଖଳନ ଦାଉରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଏମାନଙ୍କ ମଧ୍ୟରେ ରହିଛନ୍ତି ଚାନ୍ଦବାଲି ଅଞ୍ଚଳର ୭ ଜଣ ଓ କେରଳର ୪୩ ଜଣ ପର୍ଯ୍ୟଟକ ।

ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତର କୈଳାସ ବିଶ୍ୱାଳଙ୍କ କୋଲକାତାସ୍ଥିତ କୈଳାସ ଟ୍ରାଭେଲର୍ସ ଜରିଆରେ ଏହି ପର୍ଯ୍ୟଟକମାନେ ନେପାଳ ବୁଲିବାକୁ ଯାଇଥିଲେ । ଦଳରେ ଟ୍ରାଭେଲର୍ସ ମାଲିକ କୈଳାସ ବିଶ୍ୱାଳ, ୫ ଜଣ ରୋଷେୟା ଓ ଚାନ୍ଦବାଲିର ଟୁନା ଦାଶଙ୍କ ସମେତ ୭ ଜଣ ଓଡ଼ିଆ ରହିଛନ୍ତି ।

ବନ୍ୟା ହଠାତ୍ ମାଡ଼ି ଆସିବାରୁ ବଢ଼ିଥିଲା ବିପଦ । ତ୍ରିଶୂଳୀ ନଦୀରେ ପାଣି ବଢ଼ିବା ସହ ଭୂସ୍ଖଳନ ଯୋଗୁଁ ରାସ୍ତା ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଥିଲା । ପରିସ୍ଥିତି ଦେଖି ଗାଡ଼ି ବୁଲାଇ ପ୍ରାୟ ୭୦ କିଲୋମିଟର ପଛକୁ ଫେରିଥିଲେ ପର୍ଯ୍ୟଟକମାନେ । ପଛେ ପଛେ ମାଡ଼ି ଆସୁଥିଲା ପ୍ରଳୟଙ୍କରୀ ବନ୍ୟା ଓ କାଦୁଆ ପାଣି । ଶେଷରେ ମନତାମନା ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ ୫୧ ପର୍ଯ୍ୟଟକ । ପରିସ୍ଥିତି ଅଧିକ ଖରାପ ହେବାରୁ ନେପାଳ ପୋଲିସ ଓ ପ୍ରଶାସନ ସେମାନଙ୍କୁ ରୋପ୍‌ୱେ ଯୋଗେ ଭୈରବା ସିଟିକୁ ସ୍ଥାନାନ୍ତର କରିଛି ।

ବର୍ତ୍ତମାନ ଭୈରବା ସିଟିର ଏକ ଛୋଟ ଲଜ୍‌ରେ ସମସ୍ତ ୫୧ ଜଣ ରହିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ସମସ୍ତେ ସୁରକ୍ଷିତ ଅଛନ୍ତି । ତେବେ ନେପାଳର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ଓ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଗୋଟିଏ ସପ୍ତାହ ତଳେ ଖୁସିରେ ନେପାଳ ବୁଲିବାକୁ ବାହାରିଥିଲେ । ହେଲେ ହଠାତ୍ ଆସିଥିବା ବନ୍ୟା ସେମାନଙ୍କୁ ଘେରି ନେଇଛି । ଚାରିଆଡ଼େ ଉଛୁଳୁଛି ବନ୍ୟାଜଳ, ମୁଣ୍ଡ ଉପରେ ବିପଦ । ଆଉ ଏବେ ପରିବାର ଲୋକଙ୍କ ଆଖିରେ କେବଳ ଗୋଟିଏ ଆଶା,ସୁରକ୍ଷିତ ଫେରିଆସନ୍ତୁ ଆମ ଲୋକ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV