ଭାରତକୁ ଟି-୨୦ ବିଶ୍ୱକପ୍ ୨୦୨୬ ଚାମ୍ପିଅନ କରାଇବା ପରେ ଭାରତୀୟ ଟି-୨୦ ଦଳରୁ ବାଦ୍ ପଡ଼ିବା ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ବିଶ୍ୱକପ୍ ବିଜୟ ପରେ ତାଙ୍କୁ ଦଳରୁ ବାଦ୍ ଦିଆଯିବା ତାଙ୍କ ପାଇଁ ବଡ଼ ଝଟକା ବୋଲି ସୂର୍ଯ୍ୟ କହିଛନ୍ତି । ୨୦୨୪ରେ ଟି୨୦ ଟିମର ଅଧିନାୟକ ଦାୟିତ୍ବ ନେବା ପରେ ସୂର୍ଯ୍ୟକୁମାର ଯାଦବ ଗୋଟିଏ ବି ଟି୨୦ ସିରିଜ ହାରିନାହାନ୍ତି ।
ତାଙ୍କ ନେତ୍ତ୍ବରେ ଟିମ୍ ଇଣ୍ଡିଆ ଏସିଆ କପ୍ ଏବଂ ଟି୨୦ ବିଶ୍ବକପ ଜିତିଥିଲା । ଏହାସତ୍ତ୍ବେ ଚୟନକର୍ତ୍ତା ତାଙ୍କୁ ଇଂଲଣ୍ଡ ଏବଂ ଆୟରଲାଣ୍ଡ ସିରିଜରୁ ବାଦ୍ ଦେଇ ଶ୍ରେୟସ ଆୟରଙ୍କୁ ଅଧିନାୟକ କରାଯାଇଥିଲା ।
ସୂର୍ଯ୍ୟକୁମାର ପ୍ରଥମ ଥର ପାଇଁ କହିଛନ୍ତି ଯେ, ଘରେ ପ୍ରାୟ ଦେଢ଼ ମାସ ବସିଥିବା ସମୟରେ ଏହି ଘଟଣାକୁ ନେଇ ସେ ଅନେକ ଚିନ୍ତା କରିଥିଲେ । ବିଶ୍ୱକପ୍ ଜିତିବା ପରେ ଦଳକୁ ଆଗକୁ ନେବା ପାଇଁ ସେ ପ୍ରସ୍ତୁତ ଥିଲେ । ତେଣୁ ଦଳରୁ ବାଦ୍ ପଡ଼ିବା ଖବର ତାଙ୍କ ପାଇଁ ସହଜରେ ଗ୍ରହଣ କରିବା ସମ୍ଭବ ହୋଇନଥିଲା । ଦଳ ଘୋଷଣା ହେବାର ୨-୩ ଦିନ ପୂର୍ବରୁ ଚୟନକର୍ତ୍ତାମାନେ ତାଙ୍କୁ ଫୋନ୍ କରିଥିଲେ । ଏହି ସମୟରେ ତାଙ୍କୁ ଆଗକୁ ଦଳ ସହିତ ଚାଲିବାର ସମୟ ଶେଷ ହୋଇଥିବା କଥା ଜଣାଇ ଦିଆଯାଇଥିଲା । ତେଣୁ ସେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରିଛନ୍ତି ।
ସୂର୍ଯ୍ୟକୁମାର କହିଛନ୍ତି ଯେ, ଶ୍ରେୟସ ଆୟରଙ୍କୁ ନୂଆ ଅଧିନାୟକ କରାଯିବା ନିଷ୍ପତ୍ତିକୁ ନେଇ ତାଙ୍କର କୌଣସି ଅସନ୍ତୋଷ ନାହିଁ । ଶ୍ରେୟସ ଜଣେ ଭଲ ଖେଳାଳି, ଭଲ ମଣିଷ ଏବଂ ଭଲ । ଦଳ ଭବିଷ୍ୟତରେ ଭଲ ପ୍ରଦର୍ଶନ କଲେ ତାଙ୍କୁ ଏଥିରେ କୌଣସି ସମସ୍ୟା ନାହିଁ ବୋଲି ସୂର୍ଯ୍ୟ ସ୍ପଷ୍ଟ କରିଛନ୍ତି ।
ଚୟନକର୍ତ୍ତାଙ୍କ ନିଷ୍ପତ୍ତି ପଛରେ ସୂର୍ଯ୍ୟକୁମାରଙ୍କ ନିକଟ ଅତୀତର ବ୍ୟାଟିଂ ଫର୍ମ ମଧ୍ୟ ଏକ ପ୍ରମୁଖ କାରଣ ଥିବା କୁହାଯାଇଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ କହିଥିଲେ ଯେ, ଦଳର ଆଗାମୀ ଦୁଇ ବର୍ଷର ଯୋଜନା ଏବଂ ସୂର୍ଯ୍ୟଙ୍କ ଫର୍ମକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଦଳରୁ ବାଦ୍ ପଡ଼ିଥିଲେ ମଧ୍ୟ ଭାରତୀୟ ଦଳକୁ ଫେରିବା ଲକ୍ଷ୍ୟରେ ସୂର୍ଯ୍ୟକୁମାର ନିଜ ଖେଳ ଉପରେ ଧ୍ୟାନ ଦେଉଛନ୍ତି । ସୁଯୋଗ ମିଳିଲେ ପୁଣି ଦଳ ପାଇଁ ଖେଳିବାକୁ ସେ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଛନ୍ତି ।
utkalmailtv

