ଭୁବନେଶ୍ୱର, ୦୧ ମଇ - ଆଜି ହେଉଛି ଶ୍ରମିକ ଦିବସ । ଏହି ଅବସରରେ ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ତେତା ।
ଅନ୍ତର୍ଜାତୀୟ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ମୁଁ ଓଡିଶାର ପ୍ରଗତିର ମୂଳ ଭିତ୍ତି ଥିବା ସମସ୍ତ ପରିଶ୍ରମୀ ଶ୍ରମିକ ଓ କାର୍ମିକମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଉଛି।
ସେମାନଙ୍କର ସମର୍ପଣ, ଧୈର୍ଯ୍ୟ ଏବଂ ନିଷ୍ଠା ଆମ ରାଜ୍ୟକୁ ଆହୁରି ସଶକ୍ତ ଏବଂ ସମୃଦ୍ଧ କରୁଛି।
ଆମ ସରକାର ସେମାନଙ୍କର ଅଧିକାର ସୁରକ୍ଷା, କଳ୍ୟାଣ ବୃଦ୍ଧି ଏବଂ ଗରିମାପୂର୍ଣ୍ଣ ଜୀବିକା ପାଇଁ ଅଧିକ ସୁଯୋଗ ସୃଷ୍ଟିରେ ଦୃଢ଼ ପ୍ରତିବଦ୍ଧ। ଆସନ୍ତୁ, ଆମେ ସମସ୍ତେ ମିଶି ପ୍ରତ୍ୟେକ ଶ୍ରମିକଙ୍କୁ ସଶକ୍ତ କରିବା ଏବଂ ଆହୁରି ସମାବେଶୀ ଓ ସମୃଦ୍ଧ ଓଡିଶା ଗଢ଼ି ତୋଳିବା ପାଇଁ ଏକତ୍ର ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଶ୍ୱ ଶ୍ରମିକ ଦିବସର ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 'ବିଶ୍ୱ ଶ୍ରମିକ ଦିବସ' ଅବସରରେ ଦେଶର ସମସ୍ତ କର୍ମଯୋଗୀ ଶ୍ରମିକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆପଣମାନଙ୍କର ଶ୍ରମ ହିଁ ଭାରତର ପ୍ରଗତିର ବାସ୍ତବ ଶକ୍ତି। ଆଜି ଯେତେବେଳେ ଦେଶ 'ବିକଶିତ ଭାରତ 2047' ଲକ୍ଷ୍ୟ ଦିଗରେ ଦ୍ରୁତଗତିରେ ଅଗ୍ରସର ହେଉଛି, ସେତେବେଳେ ଶ୍ରମିକମାନଙ୍କର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଆପଣମାନଙ୍କର ଅବଦାନ ହିଁ ଆତ୍ମନିର୍ଭର ଏବଂ ସଶକ୍ତ ଭାରତର ସଙ୍କଳ୍ପକୁ ସାକାର କରୁଛି।
ଅନ୍ତର୍ଜାତୀୟ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ଶ୍ରମିକମାନେ ହେଉଛନ୍ତି ଦେଶ ତଥା ରାଜ୍ୟ ବିକାଶର ବିନ୍ଧାଣି ବୋଲି ନବୀନ କହିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଶ୍ରମିକମାନେ ହେଉଛନ୍ତି ଦେଶ ତଥା ରାଜ୍ୟ ବିକାଶର ବିନ୍ଧାଣି। ପ୍ରତିଟି ନିର୍ମାଣ ପଛରେ ଶ୍ରମିକମାନଙ୍କ ଥିବା ଅତୁଳନୀୟ ତ୍ୟାଗ ଓ ନିଷ୍ଠା ପ୍ରତି ମୋର ସମ୍ମାନ ଜଣାଉଛି। ବିଜୁ ଜନତା ଦଳର ସରକାର ଶ୍ରମିକଙ୍କ ସର୍ବାଙ୍ଗୀନ ଉନ୍ନତି ତଥା କଲ୍ୟାଣରେ ନୂଆ ଇତିହାସ ଲେଖିଥିଲା। ବିକାଶର ଧାରାରେ ଶ୍ରମିକମାନଙ୍କ ହିତ ସାଧନ ପ୍ରତି ଆମେ ସର୍ବଦା ପ୍ରତିବଦ୍ଧ।
TagsCMmohan majhiunion ministerwishesworld labour day

