Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜାତୀୟସ୍ତରରେ ଚମକିଲେ ୪ ଓଡ଼ିଆ, ମୋଦିଙ୍କଠାରୁ ପାଇଲେ ସମ୍ମାନ

ଜାତୀୟସ୍ତରରେ ଚମକିଲେ ୪ ଓଡ଼ିଆ, ମୋଦିଙ୍କଠାରୁ ପାଇଲେ ସମ୍ମାନ

ଜାତୀୟ ମଞ୍ଚରେ ପୁଣି ଓଡ଼ିଶାର ଗୌରବ ବଢ଼ାଇଛନ୍ତି ୪ ଜଣ ଯୁବ ପ୍ରତିଭା। ଅଖିଳ ଭାରତୀୟ ବୃତ୍ତି ପରୀକ୍ଷା-୨୦୨୬ରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଦେଶର ୫୨ ଜଣ ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଏହି ୪ ଛାତ୍ରଛାତ୍ରୀ। ଲକ୍ଷ୍ନୌରେ ଆୟୋଜିତ ପଞ୍ଚମ କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ସମ୍ମାନିତ ହୋଇଥିବା ୪ ଓଡ଼ିଆ ହେଲେ କଟକ ସରକାରୀ ଆଇଟିଆଇର ଅଭିଜିତ ଦାସ, ପୁରୀ ସରକାରୀ ଆଇଟିଆଇର ସୁପ୍ରୀତି ମହାପାତ୍ର ଏବଂ ଭୁବନେଶ୍ୱରସ୍ଥିତ ନ୍ୟାସନାଲ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ର ସମିଦା ବେଗମ୍ ଓ ସଚିନ କୁମାର।

ଏମାନଙ୍କ ମଧ୍ୟରେ ଅଭିଜିତ ଦାସ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କ୍ରାଫ୍ଟସମ୍ୟାନ୍ ଟ୍ରେନିଂ ସ୍କିମ୍‌ର ୱେଲ୍ଡର୍ ଟ୍ରେଡ୍‌ରେ ୬୦୦ରୁ ୬୦୦ ନମ୍ବର ରଖି ସେ ପୂର୍ବ ଭାରତର ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ହୋଇଛନ୍ତି। ସେହିପରି ସୁପ୍ରୀତି ମହାପାତ୍ର ମେକାନିକ୍ ମୋଟର ଭେହିକିଲ୍ ଟ୍ରେଡ୍‌ରେ ୧୨୦୦ରୁ ୧୧୯୪ ନମ୍ବର ରଖି ଦେଶର ଶ୍ରେଷ୍ଠ ମହିଳା ପ୍ରଶିକ୍ଷାର୍ଥୀ ହୋଇଛନ୍ତି।

ଅନ୍ୟପଟେ, କ୍ରାଫ୍ଟ ଇନଷ୍ଟ୍ରକ୍ଟର ଟ୍ରେନିଂ ସ୍କିମ୍‌ରେ ସମିଦା ବେଗମ୍ କମ୍ପ୍ୟୁଟର ସଫ୍ଟୱେର୍ ଆପ୍ଲିକେସନ୍ ଏବଂ ସଚିନ କୁମାର ଇଲେକ୍ଟ୍ରୋନିକ୍ସ ମେକାନିକ୍ ଟ୍ରେଡ୍‌ରେ ପୂର୍ବ ଭାରତର ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବେ ସ୍ୱୀକୃତି ପାଇଛନ୍ତି। ଏହି ସଫଳତା ପାଇଁ ଅଭିଜିତ ନିଜ ବାପା ଅଭୟ କୁମାର ଦାସ, ମାଆ ଜୟନ୍ତୀ ଦାସ ଓ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି।

ଦେଶର ବିଭିନ୍ନ ଆଇଟିଆଇର ପ୍ରଶିକ୍ଷାର୍ଥୀଙ୍କୁ ନେଇ ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି ପରୀକ୍ଷା ଆୟୋଜିତ ହୋଇଥିଲା। ଏହି ସଫଳତା ରାଜ୍ୟର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ହେଉଥିବା ଉନ୍ନତିକୁ ପ୍ରତିଫଳିତ କରିଛି। ରାଜ୍ୟ ସରକାର ୧୦ଟି ସରକାରୀ ଆଇଟିଆଇକୁ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଉତ୍କର୍ଷ ଆଇଟିଆଇ ଭାବେ ବିକଶିତ କରୁଥିବା ବେଳେ ୨୫ଟି ଆଇଟିଆଇରେ ୨୦୦ କୋଟି ଟଙ୍କା ବ୍ୟୟରେ ଶିଳ୍ପଭିତ୍ତିକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏଥିସହ ୨୨ଟି ଆଇଟିଆଇର ବିକାଶ ଓ ୧୩ଟି ସରକାରୀ ଆଇଟିଆଇରେ ଏଆଇ ଲ୍ୟାବ୍ ସ୍ଥାପନ ମାଧ୍ୟମରେ ଯୁବପିଢ଼ିଙ୍କୁ ଆଧୁନିକ ଜ୍ଞାନକୌଶଳରେ ଦକ୍ଷ କରିବାକୁ ଉଦ୍ୟମ ଜାରି ରହିଛି।

Show less

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari