ବରଗଡ଼: ଅବୈଧ କଫ୍ ସିରପ୍ କାରବାର ବିରୋଧରେ ବଡ଼ ସଫଳତା ପାଇଛି ଭଟଲି ଥାନା ପୁଲିସ। ମାଟିତଳେ ତିଆରି ଏକ ଗୁପ୍ତ କୋଠରୀରେ ଲୁଚାଇ ରଖାଯାଇଥିବା ୮୧୩ ବୋତଲ କୋଡିନ୍ଯୁକ୍ତ କଫ୍ ସିରପ୍ ଜବତ କରାଯାଇଛି। ସେପ୍ଟେମ୍ବର ୮ ତାରିଖରେ ବିଶ୍ୱସନୀୟ ସୂଚନା ଆଧାରରେ ଭଟଲି ପୁଲିସ ବାଦମାଲ ଗାଁର ସୂର୍ଯ୍ୟକାନ୍ତ ସାହୁଙ୍କ ଘରେ ଚଢ଼ାଉ କରିଥିଲା।
ଘର ପଛପଟେ ଥିବା ଗୁପ୍ତ ମାଟିତଳ କୋଠରୀରୁ ୧୦୦ ମିଲିଲିଟର ବିଶିଷ୍ଟ 'ଏସ୍କଫ୍' ଓ 'ୱାଇନରେକ୍ସ' ବ୍ରାଣ୍ଡର ୮୧୩ ବୋତଲ କଫ୍ ସିରପ୍ ମିଳିଥିଲା। ଏଥିରେ କୋଡିନ୍ ଫସ୍ଫେଟ୍ ଓ ଟ୍ରାଇପ୍ରୋଲିଡିନ୍ ହାଇଡ୍ରୋକ୍ଲୋରାଇଡ୍ ରହିଥିବା ପୁଲିସ କହିଛି।
ଚଢ଼ାଉ ବେଳେ ସୂର୍ଯ୍ୟକାନ୍ତ ଅନୁପସ୍ଥିତ ଥିବାବେଳେ ତାଙ୍କ ପତ୍ନୀ ପାର୍ବତୀ ସାହୁ (୪୦)ଙ୍କୁ ପୁଲିସ ଗିରଫ କରିଥିଲା। ଘଟଣାସ୍ଥଳରୁ ୩ ଲକ୍ଷ ୩୩ ହଜାର ୬୦୦ ଟଙ୍କା ନଗଦ, ଦୁଇଟି ଚାରିଚକିଆ ଗାଡ଼ି, ୪ଟି ମୋବାଇଲ୍ ଫୋନ୍, ବ୍ୟାଙ୍କ ପାସ୍ବୁକ୍, ଏଟିଏମ୍ କାର୍ଡ, ଆଧାର ଓ ଭୋଟର କାର୍ଡ ଜବତ ହୋଇଛି।
ଏନ୍ଡିପିଏସ୍ ଆଇନର ଧାରା ୨୧(ବି)/୨୫/୨୯ ଅନୁଯାୟୀ ମାମଲା ରୁଜୁ କରାଯାଇ ପାର୍ବତୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫେରାର ସୂର୍ଯ୍ୟକାନ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

