Dailyhunt
୯୦ ଭାଗ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ, ୪ବର୍ଷ ହେଲା ପଦୋନ୍ନତି ବନ୍ଦ

୯୦ ଭାଗ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ, ୪ବର୍ଷ ହେଲା ପଦୋନ୍ନତି ବନ୍ଦ

ହାଟଡିହି (ଓ୍ବାଇଏନଏସ): ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଯୋଜନା ପରେ ଯୋଜନା ଆଣୁଛନ୍ତି, କିନ୍ତୁ ସରକାରଙ୍କ ଆନ୍ତରିକତା ଅଭାବରୁ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଘଟି ପାରୁନି। ବିଶେଷକରି ସ୍କୁଲ ଗୁଡିକରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଅଭାବରୁ ଉନ୍ନତ ମାନର ଶିକ୍ଷାଦାନ ହୋଇ ପାରୁନଥିବା ବେଳେ ବିଦ୍ୟାଳୟ ଗୁଡିକରେ ଶୃଙ୍ଖଳା ରହୁ ନଥିବା ଦେଖିବାକୁ ମିଳିଛି।

ହାଟଡିହି ବ୍ଲକରେ ୯୦ ଭାଗ ଉଚ୍ଚ ପ୍ରାଥମିକ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ। ବ୍ଲକରେ ୮୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ମାତ୍ର ୫ଟି ସ୍କୁଲରେ ଲେବୁଲ -୩ ପ୍ରଧାନଶିକ୍ଷକ ଅଛନ୍ତି। ଅନ୍ୟ ସବୁଠି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରେ କାର୍ଯ୍ୟ ଚାଲିଛି। କେଉଁଠି କନିଷ୍ଠ ଶିକ୍ଷକ ଦାୟିତ୍ୱରେ ଅଛନ୍ତି ତ ଆଉ କେଉଁଠି ଡେପୁଟେସନ ରେ ଆସିଥିବା ଶିକ୍ଷକ ପ୍ରଧାନଶିକ୍ଷକ ଦାୟିତ୍ୱ ନେଇ କାର୍ଯ୍ୟଭାର ସମ୍ଭାଳିଛନ୍ତି।

ଏହିସବୁ ବିଦ୍ୟାଳୟରେ ଲେବୁଲ -୩ ପ୍ରଧାନଶିକ୍ଷକ ଆବଶ୍ୟକ ଥିବା ୪ବର୍ଷ ହେଲା ପଦୋନ୍ନତି ବନ୍ଦ ହୋଇଯାଇ ଥିବାରୁ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଥିବା କୁହା ଯାଉଛି। ଗତ ୨୦୨୨ରେ କିଛି ଶିକ୍ଷକ ପଦୋନ୍ନତି ପାଇ ପ୍ରଧାନଶିକ୍ଷକ ହୋଇଥିବା ବେଳେ ତା ଭିତରୁ ପ୍ରାୟ ୯୫ ଭାଗ ପ୍ରଧାନଶିକ୍ଷକ ଅବସର ନେଇସାରି ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଏପରିକି ଅନେକ ପଦୋନ୍ନତି ପାଇବାକୁ ଥିବା ଯୋଗ୍ୟ ଶିକ୍ଷକ ପଦୋନ୍ନତି ନପାଇ ଅବସର ନେଇ ଗଲେଣି। ସେହିପରି ହାଟଡିହି ବ୍ଲକରେ ୧୧୧ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ମାତ୍ର ୪୪ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଅଛନ୍ତି।

ଅବଶିଷ୍ଟ ପ୍ରାଥମିକ ବିଦ୍ୟାଳୟ ରେ ସମାନ ଅବସ୍ଥା। ଏହାଦ୍ୱାରା ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ବିଦ୍ୟାଳୟ ଗୁଡିକରେ ଶୃଙ୍ଖଳା ରହୁ ନଥିବା ଅଭିଯୋଗ ହେଉଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନଙ୍କ ନିର୍ଦେଶକୁ ସହକାରୀ ଶିକ୍ଷକ ମାନେ ମାନୁ ନଥିବା ଯୋଗୁଁ ବିଦ୍ୟାଳୟ ମାନଙ୍କରେ ଅରାଜକତା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ପଦୋନ୍ନତି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇ ପ୍ରଧାନଶିକ୍ଷକ ନିଯୁକ୍ତି ଦେବାକୁ ଦାବି ହେଉଛି। ଏ ସମ୍ପର୍କ ରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହା ସାରା ରାଜ୍ୟର ସମସ୍ୟା, ରାଜ୍ୟ ସରକାର ଏହି ପଦୋନ୍ନତି କରାଇବା କଥା। ମାତ୍ର କିଛି ଶିକ୍ଷକ ଆଇନର ଆଶ୍ରୟ ନେଇଯାଉ ଥିବାରୁ ଏହି ପଦୋନ୍ନତି ବନ୍ଦ ହୋଇ ରହିଛି ବୋଲି କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha