Dailyhunt
ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ସିକା (ୱାଇଏନ୍‍ଏସ୍‍) :ଆଜି ପାଳିତ ହେବ ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସ୍ୱାସ୍ଥ୍ୟ ହିଁ ସଂପଦ । ଉତ୍ତମ ସ୍ୱାସ୍ଥ୍ୟ ବିନା ଜୀବନର ମୂଲ୍ୟ କିଛି ନାହିଁ । ତେଣୁ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ନିତାନ୍ତ ଆବଶ୍ୟକ ହୋଇଥିଲା ବେଳେ ସ୍ୱାସ୍ଥ୍ୟ ଭଲ ରହିଲେ ସବୁ ଠିକ୍‍ ରହିବ । ପ୍ରତ୍ୟେକ ବ୍ୟକ୍ତି ଯେ ଯେଉଁଠାରେ ଥାଆନ୍ତୁ ନା କାହିଁକି ଆର୍ଥିକ ଅସୁବିଧାର ସମ୍ମୁଖୀନ ନହୋଇ ସ୍ୱାସ୍ଥ୍ୟସେବା (ପ୍ରତିଷେଧକ, ଚିକିତ୍ସା, ପୁନର୍ବାସ) ପାଇପାରିବେ ।

ତାହାକୁ ସୁନିଶ୍ଚିତ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଳୁଏଚ୍‍ଓ)ର ପରାମର୍ଶକ୍ରମେ ପ୍ରତିବର୍ଷ ଏପ୍ରିଲ ମାସ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ଭିଟାମିନ୍‍ 'ଡି' ମନୁଷ୍ୟ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ । ଶରୀରରେ ଯେତେବେଳେ ଏହି ଭିଟାମିନ୍‍ ଡି ର ଅଭାବ ଘଟେ ସେତେବେଳେ ଏହା ଆଣ୍ଠୁଗଣ୍ଠିକୁ ଦୁର୍ବଳ କରିବା ସହ ହାର୍ଟକୁ ପ୍ରଭାବିତ କରିବାର ବିଶେଷ ସମ୍ଭାବନା ଥାଏ । ଜଣେ ବ୍ୟକ୍ତିଙ୍କ ଶରୀରରେ ଭିଟାମିନ୍‍ ଡି ପରିମାଣ ଅସନ୍ତୁଳିତ ରହିଲେ ହୃଦ୍‍ଘାତ ହେବା ସହ ରକ୍ତଚାପ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଥାଏ ।

ତେଣୁ ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁୁ ସାଧାରଣ ଜନତା ସଚେତନ ହୋଇ ଶରୀରରେ ଭିଟାମିନ୍‍ ଡି ପରିମାଣ କେତେ ରହୁଛି ତାହା ଡାକ୍ତରଙ୍କ ପରାମର୍ଶକ୍ରମେ ପରୀକ୍ଷା କରି ହୃତ୍‍ପିଣ୍ଡର କାର୍ଯ୍ୟ ସହ ତୁଳନା କରିବା ଅପରିହାର୍ଯ୍ୟ । ବିଶେଷକରି ସକାଳର କଅଁଳ ସୂର୍ଯ୍ୟକିରଣ ଠାରୁ ଆରମ୍ଭ କରି କଦଳୀ, କମଳା, ଛତୁ, ଅଣ୍ଡାକେଶର, କ୍ଷୀରରେ ଭିଟାମିନ୍‍ ଡି ଭରିରହିଛି । ତେଣୁ ଯେଉଁ ଋତୁ ହେଉନା କାହିଁକି ଉତ୍ତମ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ପାଇଁ ଖାଦ୍ୟପେୟ ପ୍ରତି ସଦାସର୍ବଦା ସତର୍କ ରହିବା, ରାତିରେ ହାଲ୍‍କା ଖାଦ୍ୟ ଖାଇବାକୁ ପ୍ରାଥମିକତା ଦେବା, ଦୃଷ୍ଟିଶକ୍ତି ଜନିତ ସମସ୍ୟା ଥିଲେ ନିୟମିତ ସମୟ ଅନ୍ତରାଳରେ ଚକ୍ଷୁ ପରୀକ୍ଷା କରିବା, ପ୍ରତ୍ୟୁଷରୁ ଖାଲିପେଟରେ ଉଷୁମ ପାଣି ପିଇବା, ଯଦି କୌଣସି ରୋଗରେ ଆକ୍ରାନ୍ତ ହେଉଛନ୍ତି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା, ବ୍ରେକ୍‍ଫାଷ୍ଟ ବା ସକାଳ ଜଳଖିଆରେ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବା, ସକାଳୁ ଖାଲି ପେଟରେ ତୈଳଜାତୀୟ ଖାଦ୍ୟ ନ ଖାଇବା, ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା, ପ୍ରତିଦିନ ବ୍ରେକ୍‍ଫାଷ୍ଟରେ ତଟକା ଫଳମୂଳ ଖାଇବା, ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସଦାସର୍ବଦା ସତର୍କତା ଅବଲମ୍ବନ କରିବା, ରାତିରେ ଶୋଇବା ପୂର୍ବରୁ ପାଦ ଓ ମୁହଁକୁ ଭଲ ଭାବେ ଧୋଇବା, ପ୍ରତିଦିନ ଜଳଖିଆରେ ଗଜାମୁଗ ଓ ବୁଟ ମିଶ୍ରିତ ସାଲାଡ୍‍ ଖାଇବାକୁ ପ୍ରାଥମିକତା ଦେବା, ଛୋଟ ଛୋଟ କଥାକୁ ନେଇ ଚିନ୍ତା ପ୍ରକଟ ନକରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ନିଜର ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha