Dailyhunt
ଆସିକାରେ ମେଧାବୀ ପରୀକ୍ଷାର୍ଥୀଙ୍କ ସଫଳତା ସଂଖ୍ୟା ହ୍ରାସ

ଆସିକାରେ ମେଧାବୀ ପରୀକ୍ଷାର୍ଥୀଙ୍କ ସଫଳତା ସଂଖ୍ୟା ହ୍ରାସ

ସିକା (ୱାଇଏନ୍‍ଏସ୍‍) : ଚଳିତ ବର୍ଷ ଆସିକା ବ୍ଳକ ଓ ଏନ୍‍ଏସି ଅଧୀନସ୍ଥ ଅଞ୍ଚଳରେ ଥିବା ସମୂଦାୟ ୧୬ଟି ସରକାରୀ, ୧୧ଟି ନୂତନ ଅନୁଦାନପ୍ରାପ୍ତ ଓ ୬ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଗୁଡିକ ମଧ୍ୟରୁ ମାତ୍ର ୮ ଜଣ ପରୀକ୍ଷାର୍ଥୀ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୭ଟି ହାଇସ୍କୁଲରୁ ଜଣେ ହେଲେ ବିଦ୍ୟାର୍ଥୀ ଏ-୧ ଗ୍ରେଡରେ ପାସ୍‍ ନହେବା ଘଟଣାକୁ ନେଇ ବୁଦ୍ଧିଜିବୀ, ଅଭିଭାବକ ଓ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ଶିକ୍ଷା ବିଭାଗ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ କେଉଁ କାରଣରୁ ମେଧାବୀ ବିଦ୍ୟାର୍ଥୀଙ୍କ ସଫଳତା ସଂଖ୍ୟା ହ୍ରାସ ପାଇଲା ତାହାର ଏକ ତର୍ଜମା ଓ ସମୀକ୍ଷା କରିବା ସାଙ୍ଗକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ କାର୍ଯ୍ୟଧାରା ଉପରେ ନଜର ରଖିବା ପାଇଁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‍ ପରୀକ୍ଷାରେ ଆସିକା ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳରେ ସରକାରୀ ଓ ନୂତନ ଅନୁଦାନୁପ୍ରାପ୍ତ ଏବଂ ପୂର୍ଣ୍ଣ ଅନୁଦାନପ୍ତାପ୍ତ ବିଦ୍ୟାଳୟ ଗୁଡିକରୁ ପାସ୍‍ ହାର ୯୯.୩୨ ପ୍ରତିଶତ ରହିଥିଲା ବେଳେ ଏ-୧ ଗ୍ରେଡରେ ୬ଟି ହାଇସ୍କୁଲରୁ ମାତ୍ର ୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାରୁ ସାଧାରଣରେ ନାନା କଥା ଆଲୋଚିତ ହେଉଛି । ଛାତ୍ରଛାତ୍ରୀମାନଙ୍କୁ ଯୁଗପଯୋଗୀ ଶିକ୍ଷା ଦେବା ପାଇଁ ଆସିକା ବ୍ଳକ ଓ ଏନ୍‍ଏସି ଅଧୀନସ୍ଥ ଅଞ୍ଚଳରେ ଥିବା ୩୩ଟି ହାଇସ୍କୁଲକୁ ତତ୍କାଳୀନ ବିଜେଡି ସରକାର ୫-ଟି ଉପକ୍ରମରେ ସାମିଲ୍‍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭିତ୍ତିଭୂମୀକୁ ସୁଦୃଢ କରାଯିବା ସହ ନବକଳେବର କରାଯାଇଥିଲା ବେଳେ ୨୭ଟି ହାଇସ୍କୁଲରେ ଜଣେ ବି ବିଦ୍ୟାର୍ଥୀ ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ପାସ୍‍ ନହେବାର ମୁଖ୍ୟ କାରଣ କଣ ବୋଲି ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଏନ୍‍ଏସି ଅଧୀନସ୍ଥ ଅଞ୍ଚଳରେ ଥିବା ୩୩ଟି ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୨୪ଟି ହାଇସ୍କୁଲର ମାଟ୍ରିକ୍‍ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିଲା ବେଳେ ଅବଶିଷ୍ଟ ୯ଟି ହାଇସ୍କୁଲରେ ପରୀକ୍ଷା ଫଳ ଶତପ୍ରତିଶତ ସଫଳତା ହୋଇନଥିବା ଜଣାପଡିଛି । ଗତ ୨୦୨୫-୨୬ ଶିକ୍ଷାବର୍ଷରେ ଆସିକା ବ୍ଳକ ଓ ଏନ୍‍ଏସି ଅଧୀନସ୍ଥ ୩୩ଟି ସରକାରୀ ଶିକ୍ଷାନୁଷ୍ଠାନରୁ ସମୂଦାୟ ୧୯୨୯ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ଦେଇଥିଲା ବେଳେ ସେଥି ମଧ୍ୟରୁ ମାତ୍ର ୮ ଜଣ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲା ବେଳେ ଏ-୨ ଗ୍ରେଡରେ ୫୮ ଜଣ, ବି-୧ ଗ୍ରେଡରେ ୧୯୮ ଜଣ, ବି-୨ ଗ୍ରେଡରେ ୪୨୨ ଜଣ, ସି-ଗ୍ରେଡରେ ୫୫୦ ଜଣ, ଡି-ଗ୍ରେଡରେ ୪୯୨ ଜଣ, ଇ-ଗ୍ରେଡରେ ୧୮୮ ଜଣ , ଏଫ୍‍ ଗ୍ରେଡରେ ୧୩ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି ।

ଆସିକା ବ୍ଳକ ଓ ଏନ୍‍ଏସି ଅଧୀନସ୍ଥ ହାଇସ୍କୁଲ ଗୁଡିକୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅତୀତରେ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଥିଲେ ମଧ୍ୟ ବହୁ ହାଇସ୍କୁଲର ପରୀକ୍ଷା ଫଳ ସନ୍ତୋଷଜନକ ହୋଇନଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଆସିକା ବ୍ଳକ ଓ ଏନ୍‍ଏସି ଅଧୀନସ୍ଥ ଅଞ୍ଚଳରେ ଥିବା ୩୩ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ୨୭ଟି ହାଇସ୍କୁଲରେ ଜଣେ ବି ପରୀକ୍ଷାର୍ଥୀ ଏ-୧ ଗ୍ରେଡରେ କୃତକାର୍ଯ୍ୟ ନହେବା ସେ ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭାରତାର ସହ ବିଚାରକୁ ନେଇ ତର୍ଜମା କରାଯିବା ସହ ପଦକ୍ଷେପ ନିଆଯିବ । ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‍ ସଂଖ୍ୟା ବୃଦ୍ଧିକୁ ନେଇ ଶିକ୍ଷାବିଭାଗ ପକ୍ଷରୁ ଅତୀତରେ ଅନୁଷ୍ଠିତ ହୋଇଥିବା ମାଟ୍ରିକ ମନ୍ତ୍ର କାର୍ଯ୍ୟକ୍ରମ ଆସିକାରେ କାମ ଦେଲାନି ବୋଲି ସଚେତନ ନାଗରିକଙ୍କ ମହଲରେ ଆଲୋଚିତ ହେଉଛି । ମେଧାବୀ ବିଦ୍ୟାର୍ଥୀମାନେ ଗତ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ କୃତକାର୍ଯ୍ୟ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ବେସ୍‍ଲାଇନ୍‍-୧ ଏବଂ ୨, ପ୍ରଗତି-୧ ଏବଂ ୨ ପରୀକ୍ଷା କରାଯାଇଥିଲେ ମଧ୍ୟ ଏ-୧ ଗ୍ରେଡରେ ଆଶାନୁରୂପ ସଫଳତା ହାସଲ କରିପାରିନଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଯେଉଁ ବିଦ୍ୟାଳୟ ଗୁଡିକରେ ମାଟ୍ରିକ୍‍ ପରୀକ୍ଷା ଫଳ ନୈରାଶ୍ୟଜନକ ହୋଇଛି ତାହାର ଏକ ଉଚ୍ଚସ୍ତରୀୟ ତର୍ଜମା କରି ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha