Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆସୁଛି କାର୍ତ୍ତିକ ପୂର୍ଣ୍ଣିମା: ଆସିକାରେ ହାତତିଆରି ଡଙ୍ଗାର କାରବାର ବୃଦ୍ଧି

ଆସୁଛି କାର୍ତ୍ତିକ ପୂର୍ଣ୍ଣିମା: ଆସିକାରେ ହାତତିଆରି ଡଙ୍ଗାର କାରବାର ବୃଦ୍ଧି

ଆସିକା (ୱାଇଏନ୍‍ଏସ୍‍) : ହିନ୍ଦୁ ଧର୍ମାବଲମ୍ବୀମାନେ ବାର ମାସରେ ତେର ପର୍ବ ଅତ୍ୟନ୍ତ ନିଷ୍ଠାର ସହ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ପାଳନ କରିଥାନ୍ତି । ପୂଣ୍ୟ ଓ ଧର୍ମଅର୍ଜନର ମାସ କାର୍ତ୍ତିକର ଅନ୍ତିମ ଦିବସରେ ଶ୍ରଦ୍ଧାଳୁମାନେ ବଡିଭୋରରୁ ଉଠି ନଦୀ ଓ ପୋଖରୀରେ ଡଙ୍ଗା ଭସାଇଥାନ୍ତି । ଆଉମାତ୍ର ଗୋଟିଏ ଦିନ ପରେ ଅର୍ଥାତ୍‍ ଆସନ୍ତା ମଙ୍ଗଳବାର ଦିନ ପାଳିତ ହେବ କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ।

ଏହି ଅବସରରେ ପରମ୍ପରା ଅନୁଯାୟୀ ଆସିକାର ପବିତ୍ର ଋଷିକୁଲ୍ୟା ନଦୀରେ ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିବ । ଆ କା ମା ବୋଇ ପାନ ଗୁଆ ଥୋଇ, ପାନ ଗୁଆ ତୋର …….. ଏଭଳି ଶବ୍ଦରେ ଗୁଞ୍ଜରିତ ହେବ ଆସିକାର ପବିତ୍ର ଋଷିକୁଲ୍ୟା ନଦୀପଠା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଭକ୍ତ ପବିତ୍ର ଋଷିକୁଲ୍ୟା ନଦୀରେ ଡଙ୍ଗା ଭସାଇ ପାଳିବେ କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ।

ସେଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅସ୍ଥାୟୀ ଡଙ୍ଗା ବିକ୍ରୀ ହେଉଥିବା ବ୍ୟବସାୟିକ କେନ୍ଦ୍ର । ଗ୍ରାହକଙ୍କ ଆବଶ୍ୟକତା ଓ ସର୍ବାଧିକ ପସନ୍ଦକୁ ଦୃଷ୍ଟିରେ ରଖି ଆସିକା ସହରର ବହୁ ବ୍ୟବସାୟୀ ଭଳିକି ଭଳି ଅତ୍ୟାଧୁନିକ ତଥା ନୁଆଁ ନୁଆଁ ଡିଜାଇନ୍‍ର ହାତତିଆରି ଡଙ୍ଗା ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଆସିକା ଅଞ୍ଚଳରେ ବିକ୍ରୀ ହେଉଥିବା ଅତି ଆକର୍ଷଣୀୟ ରଙ୍ଗବେରଙ୍ଗର ହାତତିଆରି ଡଙ୍ଗାର ମୂଲ୍ୟ ୧୫ ଟଙ୍କାରୁ ଆରମ୍ଭ ହୋଇ ୪୦ ଟଙ୍କା ରହିଥିବା ବେଳେ ବ୍ୟବସାୟୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଡଙ୍ଗା ଆଣି ବିକ୍ରୀ କରୁଥିବା ଜଣାପଡିଛି । ଚଳିତବର୍ଷ ଗ୍ରାହକଙ୍କ ସବୁଠାରୁ ଆଦର ତଥା ପସନ୍ଦ ସାଉଁଟିଛି ରଙ୍ଗୀନ କାଗଜ ଓ ସୋଲରେ ତିଆରି ଆକର୍ଷଣୀୟ ଡଙ୍ଗା ।

ଡଙ୍ଗା ଭସାକୁ ଆଉମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଯୁବପିଢୀ ଅତ୍ୟନ୍ତ ଆଗ୍ରହର ସହ ବେଶ୍‍ ଉତ୍ସାହିତ ହୋଇ ରଙ୍ଗବେରଙ୍ଗର ହାତତିଆରି ଡଙ୍ଗା କ୍ରୟ କରୁଥିବା ଦେଖିବାକୁ ମିଳୁଛି । ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଓ ସାଧବ ପୁଅମାନଙ୍କ ସାହସିକ ସମୁଦ୍ର ଯାତ୍ରାକୁ ସ୍ମରଣ କରିବା ସହିତ ଧାର୍ମିକ ତଥା ଆଧ୍ୟାତ୍ମିକ ଚିନ୍ତାଧାର ଜାଗ୍ରତ କରିବା ଲକ୍ଷ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଡଙ୍ଗା ଭସା (ବୋଇତ ବନ୍ଦାଣ) କାହିଁ କେଉଁ ଆବାହମାନ କାଳରୁ ପାଳିତ ହୋଇଆସୁଛି । ଓଡିଆ ଜାତିର ଐତିହ୍ୟ, ଇତିହାସ, ପରମ୍ପରା ଓ ଗୌରବମୟ ଅତୀତର ଅବିସ୍ମରଣୀୟ ଅଧ୍ୟାୟ ହେଉଛି ବୋଇତ ବନ୍ଦାଣ ଉତ୍ସବ । କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରେ ହିନ୍ଦୁ ସଂପ୍ରଦାୟର ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ, ଜଳାଶ୍ରୟମାନଙ୍କରେ ଡଙ୍ଗା ଭସାଇବା ପରମ୍ପରା ପଛରେ ରହିଛି ପ୍ରାଚୀନ କଳିଙ୍ଗର ସମୃଦ୍ଧ ସାମୁଦ୍ରିକ ବାଣିଜ୍ୟର ଗୌରବମୟ ଇତିବାସ । ସମୟ ବଦଳିବାରେ ଲାଗିଛି । ଆଧୁନିକତାକ ପ୍ରଭାବରେ ମଣିଷର ଜୀବନଶୈଳୀ ଓ ଚଳଣିରେ ଅନେକ ପରିବର୍ତ୍ତନ ଆସିଛି । ତଥାପି ପୂର୍ବପୁରୁଷଙ୍କ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟକୁ ହିନ୍ଦୁ ଧର୍ମାବଲମ୍ବୀ ମାନେ ସାଇତି ରଖିଥିବା ଦେଖିବାକୁ ମିଳୁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha