Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅପେରା ଦୁନିଆରେ ଅସଜଡ଼ା ଆଚରଣ

ଅପେରା ଦୁନିଆରେ ଅସଜଡ଼ା ଆଚରଣ

ଡ଼ିଶାର ମାଟି ଓ ପାଣିରେ ଯାତ୍ରା ବା ଅପେରା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ଏହା ଆମର ସାମାଜିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗାଁ ଗହଳିରୁ ସହର ପର୍ଯ୍ୟନ୍ତ ଶୀତୁଆ ରାତିରୁ ବସନ୍ତର ଶେଷ ଯାଏଁ ଯାତ୍ରାର ଆସର ଜମେ। କିନ୍ତୁ ବିଗତ କିଛି ବର୍ଷ ହେବ ଓଡ଼ିଶାର ଏହି ଗୌରବମୟ କଳା ସଂସ୍କୃତିରେ ଏକ ଭୟଙ୍କର ଅଧୋପତନ ଦେଖାଦେଇଛି।

'ଅପେରା' ନାମରେ ଏବେ ଯେଉଁ ପ୍ରକାରର ପରିବେଷଣ ଚାଲିଛି ତାହା ସଭ୍ୟ ସମାଜ ପାଇଁ ଏକ ଚିନ୍ତାର ବିଷୟ। ବିଶେଷକରି କମେଡି ନାଁରେ ଦ୍ୱିଅର୍ଥବୋଧକ ଶବ୍ଦର ପ୍ରୟୋଗ, ମଞ୍ଚ ଉପରେ ରେପ୍ ବା ବଳାତ୍କାର ଦୃଶ୍ୟର ନଗ୍ନ ପ୍ରଦର୍ଶନ ଏବଂ ଆଙ୍କରିଂ ସମୟରେ ଅଭିନେତା-ଅଭିନେତ୍ରୀଙ୍କ ମଧ୍ୟରେ ଚାଲିଥିବା ଅଶାଳୀନ ବାର୍ତ୍ତାଳାପ ଓଡ଼ିଆ ସଂସ୍କୃତିର ଗାରିମାକୁ ଧୂଳିସାତ କରୁଛି। ଯେଉଁ ମଞ୍ଚ ଦିନେ ସାମାଜିକ ସଂସ୍କାର, ପୌରାଣିକ କଥାବସ୍ତୁ ଏବଂ ନୈତିକ ଶିକ୍ଷାର ପ୍ରସାର କରୁଥିଲା ତାହା ଆଜି କେବଳ ବାସନା ଓ କୁତ୍ସିତ ମନୋରଞ୍ଜନର ପେଣ୍ଠସ୍ଥଳୀରେ ପରିଣତ ହୋଇଛି।

ହାସ୍ୟରସ ହେଉଛି ଜୀବନର ଅମୃତ କିନ୍ତୁ ଆଜିକାଲି ଯାତ୍ରା କମେଡିରେ ହସ ଅପେକ୍ଷା ଘୃଣା ଅଧିକ ଉପୁଜୁଛି। କମେଡିଆନ୍‌ମାନେ ଦର୍ଶକଙ୍କୁ ହସାଇବା ପାଇଁ ଯେଉଁ ସବୁ ଶବ୍ଦ ବ୍ୟବହାର କରୁଛନ୍ତି ତାହା ପରିବାର ସହିତ ବସି ଶୁଣିବା ସମ୍ଭବ ନୁହେଁ। ନାରୀ ଶରୀରକୁ ନେଇ କଟାକ୍ଷ କରିବା, ଯୌନଉଦ୍ଦୀପକ ଇଙ୍ଗିତ ଦେବା ଏବଂ ଦ୍ୱିଅର୍ଥବୋଧକ ସଂଳାପ କହିବା ଏବେ ଏକ ସାଧାରଣ କଥା ହୋଇଗଲାଣି। ଏହା କୌଣସି ଶିଳ୍ପୀର କଳାତ୍ମକ ପରିପ୍ରକାଶ ନୁହେଁ ବରଂ ନିଜର ନିମ୍ନରୁଚିର ପରିଚୟ। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଶସ୍ତା ମନୋରଞ୍ଜନର ଆଶ୍ରୟ ନେବା ଦ୍ୱାରା ଯାତ୍ରା ଜଗତରେ ଥିବା ବରିଷ୍ଠ କଳାକାରଙ୍କ ସମ୍ମାନ ମଧ୍ୟ ହାନି ହେଉଛି। କେବଳ ସେତିକି ନୁହେଁ, ମଞ୍ଚ ଉପରେ 'ରେପ୍ ସିନ୍' ବା ବଳାତ୍କାରର ଚିତ୍ରଣ ଯେଭଳି ଭାବରେ କରାଯାଉଛି, ତାହା ଅତ୍ୟନ୍ତ ଭୟାବହ। କଳା ନାମରେ ଏହିପରି ଜଘନ୍ୟ ଅପରାଧକୁ ଦର୍ଶକଙ୍କ ସମ୍ମୁଖରେ ମଞ୍ଚସ୍ଥ କରିବା ଦ୍ୱାରା ସମାଜରେ ଏହାର କୁପ୍ରଭାବ ପଡୁଛି। ବଳାତ୍କାର ପରି ଏକ ସମ୍ବେଦନଶୀଳ ଘଟଣାକୁ ଗ୍ଲାମରାଇଜ୍ କରିବା କିମ୍ବା ତାହାକୁ ଏକ ଉତ୍ତେଜକ ଦୃଶ୍ୟ ଭାବେ ଉପସ୍ଥାପନ କରିବା ଦ୍ୱାରା ଯୁବପିଢ଼ି କି ପ୍ରକାର ବାର୍ତ୍ତା ପାଉଛନ୍ତି, ତାହା ଯାତ୍ରା ମାଲିକ ଓ ନିର୍ଦ୍ଦେଶକମାନେ ଚିନ୍ତା କରିବା ଉଚିତ୍। ଏହା କେବଳ ମାନସିକ ବିକୃତିର ପରିପ୍ରକାଶ।

ଯାତ୍ରା ଆରମ୍ଭରେ ହେଉଥିବା ଆଙ୍କରିଂ (ଉପସ୍ଥାପନା) ମଧ୍ୟ ଏହି ପ୍ରଦୂଷଣରୁ ମୁକ୍ତ ନୁହେଁ। ପୂର୍ବରୁ ଉଦ୍‌ଘୋଷକମାନେ ନିଜର ଶୁଦ୍ଧ ଭାଷା ଓ ଶୈଳୀରେ ଦର୍ଶକଙ୍କୁ ନାଟକ ସହ ଯୋଡ଼ୁଥିଲେ। ମାତ୍ର ଏବେ ଆଙ୍କରିଂ ନାଁରେ ଯେଉଁ ପ୍ରକାରର ଥଟ୍ଟା-ତାମସା ଓ ଦ୍ୱିଅର୍ଥବୋଧକ ପ୍ରଶ୍ନୋତ୍ତର ଚାଲିଛି, ତାହା ଅତି ନିମ୍ନମାନର। ଅନେକ ସମୟରେ ମହିଳା ଆଙ୍କରମାନଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦିଆଯାଉଛି କିମ୍ବା ସେମାନଙ୍କ ପୋଷାକକୁ ନେଇ ଚର୍ଚ୍ଚା କରାଯାଉଛି। ଏସବୁ କ'ଣ ପ୍ରକୃତରେ ଯାତ୍ରାର ଏକ ଅଂଶ? ନା କେବଳ ଭିଡ଼ ଜମାଇବା ପାଇଁ ଏକ କଦର୍ଯ୍ୟ ରଣନୀତି? ଏହିପରି ପରିବେଶରେ ଜଣେ ସଭ୍ୟ ପରିବାର ନିଜ ପିଲାମାନଙ୍କୁ ଧରି ଯାତ୍ରା ଦେଖିବାକୁ ଯିବା ଏକ ବଡ଼ ଦ୍ୱନ୍ଦ୍ୱରେ ପରିଣତ ହୋଇଛି।

ଅଭିବ୍ୟକ୍ତିର ସ୍ୱାଧୀନତା ନାଁରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେବା କଦାପି ଗ୍ରହଣୀୟ ନୁହେଁ। ଯାତ୍ରା କମିଟି, ମାଲିକ ସଂଘ ଏବଂ କଳାକାର ସଂଘ ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ଜରୁରୀ। ସେନ୍ସର ବୋର୍ଡର ଅନୁପସ୍ଥିତିରେ ଯାତ୍ରା ଦୁନିଆରେ ଯେଉଁ ମନମୁଖୀ ଶାସନ ଚାଲିଛି, ତାହାକୁ ରୋକିବା ପାଇଁ ସରକାରୀ ସ୍ତରରେ ଏକ ନିୟନ୍ତ୍ରକ ସଂସ୍ଥାର ଆବଶ୍ୟକତା ରହିଛି। ପ୍ରତ୍ୟେକ ନାଟକର ପରିବେଷଣ ଶୈଳୀ ଓ ଭାଷା ଉପରେ ନଜର ରଖାଯିବା ଉଚିତ୍। କଳାକାରମାନେ ମଧ୍ୟ ମନେ ରଖିବା ଉଚିତ୍ ଯେ, ସେମାନେ ସମାଜର ଦର୍ପଣ। ସେମାନଙ୍କର ପ୍ରତିଟି ଶବ୍ଦ ଓ ଆଚରଣ ସମାଜକୁ ପ୍ରଭାବିତ କରେ। ଶସ୍ତା ଲୋକପ୍ରିୟତା ପାଇଁ ନିଜର ମର୍ଯ୍ୟାଦା ଓ ସଂସ୍କୃତିକୁ ବଳି ଦେବା ଆତ୍ମଘାତୀ ନୀତି।

ଦର୍ଶକମାନଙ୍କର ମଧ୍ୟ ଏକ ବଡ଼ ଦାୟିତ୍ୱ ରହିଛି। ଯେଉଁ ଯାତ୍ରା ମଞ୍ଚରେ ଅଶ୍ଳୀଳତା ପରିବେଷଣ କରାଯାଉଛି, ତାହାକୁ ପ୍ରଶ୍ରୟ ନଦେଇ ବର୍ଜନ କରିବା ଉଚିତ୍। ଯେପର୍ଯ୍ୟନ୍ତ ଦର୍ଶକ ଏହିପରି ବିକୃତ ମନୋରଞ୍ଜନକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି ସେପର୍ଯ୍ୟନ୍ତ ଯାତ୍ରା ମାଲିକମାନେ ଏହାର ଫାଇଦା ଉଠାଇ ଚାଲିବେ। ଓଡ଼ିଶାର ଯାତ୍ରା ପରମ୍ପରା ଏକ ପବିତ୍ର ପରମ୍ପରା। ଏହାକୁ ଅଶ୍ଳୀଳତାର କଳଙ୍କରୁ ମୁକ୍ତ କରି ଏକ ସୁସ୍ଥ ଓ ସଭ୍ୟ ସମାଜ ଗଠନରେ ବିନିଯୋଗ କରିବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ। ଯାତ୍ରା ହେଉ ମନର ଆଲୋକ, ଅଶାଳୀନତାର ଅନ୍ଧକାର ନୁହେଁ।

ଅଖିଳ ତରାଇ

ଗଞ୍ଜାମ, ମୋ: ୭୭୮୭୦୦୧୦୦୧

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha