Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଜାରରେ ବିକ୍ରୀ ହେଉଥିବା ପାଉଁରୁଟି ପ୍ୟାକେଟ୍‍ରେ ରହୁନି କୌଣସି ସୂଚନା !

ବଜାରରେ ବିକ୍ରୀ ହେଉଥିବା ପାଉଁରୁଟି ପ୍ୟାକେଟ୍‍ରେ ରହୁନି କୌଣସି ସୂଚନା !

ସିକା (ୱାଇଏନ୍‍ଏସ୍‍): ଆସିକା ସହର ତଥା ଏହାର ଆଖପାଖ କେତେକ ଚାହା ଦୋକାନ ସମେତ ଅନ୍ୟାନ୍ୟ ବହୁ ବ୍ୟବସାୟୀ ପ୍ରତିଷ୍ଟାନରେ ବିକ୍ରୀ ହେଉଛି ଭଳିକି ଭଳି ପାଉଁରୁଟି, କେକ୍ ଓ ବିସ୍କୁଟ୍‌। ତେବେ କେତେକ ବ୍ୟବସାୟ ପ୍ରତିଷ୍ଟାନରେ ବିକ୍ରୀ ହେଉଥିବା ପାଉଁରୁଟି ଓ କେକ୍ ପ୍ୟାକେଟ୍ ଉପରେ ରହୁନି ପ୍ରସ୍ତୁତି ତାରିଖ ଓ ଅବଧି ଶେଷ ତାରିଖ।

ଯାହାରି ଫଳରେ ପାଉଁରୁଟି ଓ କେକ୍ କିଣୁଥିବା ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। କେତେକ ବ୍ୟବସାୟ ପ୍ରତିଷ୍ଟାନ ଦୀର୍ଘ ଦିନ ଧରି ପାଉଁରୁଟି ଓ କେକ୍ ପ୍ୟାକେଟ୍ ଗୁଡିକ ନିଜ ଦୋକାନରେ ରଖି ବିକ୍ରୀ କରୁଥିବା ଅଭିଯୋଗ ହେଉଛି। ଅନେକ ସମୟରେ କେତେକ କମ୍ପାନୀର ପାଉଁରୁଟି ଗୁଡିକ ବହୁ ଦିନ ପର୍ଯ୍ୟନ୍ତ ପଡି ରହିବା ଫଳରେ ଖରାପ ହେବା ସହ ଫିମ୍ପି ପଡିଯାଉଛି। ଏପରିକି କେତେକ ଗ୍ରାହକ ମଧ୍ୟ ପ୍ୟାକେଟ ଖୋଲିବା ପରେ ଯଦି ପାଉଁରୁଟି ଖରାପ ଥାଏ ତେବେ ତାହା ଫେରାଇଲେ ମଧ୍ୟ କେତେକ ଦୋକାନୀ ନେଉନଥିବା ଦେଖିବାକୁ ମିଳୁଛି।

ସ୍ଥଳ ବିଶେଷରେ ଗ୍ରାହକ ମାନେ ବାଧ୍ୟ ହୋଇ ଫିମ୍ପି ମରା ପାଉଁରୁଟି କଣିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ନୀତି ନୀୟମ ଉଲଂଘନ କରି କୌଣସି ସୂଚନା ଉପଲବ୍ଧ ନଥାଇ ବିକ୍ରୀ ହେଉଥିବା ପାଉଁରୁଟି ବିକ୍ରୀ କେନ୍ଦ୍ର ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଉ ନଥିବା ଯୋଗୁଁ ସାଧାରଣରେ ଆସନ୍ତୋଷ ପ୍ରକାଶ ପାଉଥିବା ବେଳେ ବେଆଇନ ଭାବେ ସରକାରୀ ନୀତି ନିୟମକୁ ଉଲଙ୍ଘନ କରି ବିକ୍ରୀ କରାଯାଉଥିବା କେତେକ ପାଉଁରୁଟି ବ୍ୟବସାୟ ପ୍ରତିଷ୍ଠାନ ଚଢାଉ ପାଇଁ ପ୍ରଶାସନର ନିଘୋଡ ନିଦ୍ରା କେବେ ଭାଙ୍ଗିବ ବୋଲି ସଚେତନ ନାଗରିିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି। ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବହୁ ପରିବାର ସକାଳୁ ଜଳଖିଆ ପାଇଁ ପାଉଁରୁଟି ଖାଇ ଥାନ୍ତି। ସେହିଭଳି ଶରୀର ଅସୁସ୍ଥ ହେଲେ ଭାତ କିମ୍ବା ରୁଟି ବଦଳରେ ପାଉଁରୁଟି ମଧ୍ୟ ବହୁ ଲୋକେ ଖାଇଥାନ୍ତି।

ଶିଶୁ ମାନେ ମଧ୍ୟ ପାଉଁରୁଟି ଖାଇବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି। ଲୋକଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ବହୁ ବ୍ୟବସାୟ ପ୍ରତିଷ୍ଟାନ ବିଭିନ୍ନ ଅଞ୍ଚଳରୁ ବହୁ ସ୍ୱାଦିଷ୍ଟ ପାଉଁରୁଟି ମଗାଇ ବିକ୍ରୀ କରିଥାନ୍ତି। ତେବେ କେତେକ ପାଉଁରୁଟି ପ୍ୟାକେଟ୍‌ରେ ପ୍ରସ୍ତୁତକାରୀ ସଂସ୍ଥାର ଠିକଣା ରହିବା ତ ଦୂରର କଥା ପ୍ରସ୍ତୁତ ତାରିଖ ଏବଂ ଅବଧି ଶେଷ ତାରିଖ ମଧ୍ୟ ରହୁ ନଥିବା ଅଭିଯୋଗ ହେଉଛି। ଗତ କିଛି ମାସ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ କୌଣସି ସୂଚନା ଉପଲବ୍ଧ ନଥିବା ପାଉଁରୁଟି ବିକ୍ରୀ ହେଉଥିବା ଆଲୋଚିତ ହେଉଛି। ଆସିକା ଅଞ୍ଚଳରେ ପାଉଁରୁଟି ବିକ୍ରୀ ଦିନକୁ ଦିନ ବୃଦ୍ଧିପାଇ ଚାଲିଥିବା ଯୋଗୁଁ କେତେକ କମ୍ପାନୀ ଲୋକଙ୍କ ଜୀବନ ସହ ଖେଳୁଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ଖାଦ୍ୟ ପଦାର୍ଥର ଯାଞ୍ଚ କରିବା ସାଙ୍ଗକୁ ବଜାରରେ ବିକ୍ରୀ ହେଉଥିବା ପାଉଁରୁଟି ଓ କେକ୍ ପ୍ୟାକେଟ ଉପରେ ପ୍ରସ୍ତୁତି ତାରିଖ ଓ ଅବଧି ଶେଷ ତାରିଖ ଯେପରି ରହି ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha